Sunday, October 18, 2026
23.2 C
Odisha

    ଆର୍‌ଜି କର ହସ୍ପିଟାଲ ମାମଲା: ଦୁଷ୍କର୍ମ, ହତ୍ୟା ଘଟଣାରେ ସଞ୍ଜୟ ରାୟ ଏକମାତ୍ର ଅଭିଯୁକ୍ତ

    ଆଗକୁ ପଢନ୍ତୁ

    କୋଲକାତା: କୋଲକାତାର ଆର୍‌ଜି କର ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗଣଦୁଷ୍କର୍ମ ହୋଇଥିବା ସମ୍ଭାବନାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପ୍ରତ୍ୟାଖ୍ୟାନ କରିଛି। ସିବିଆଇ କହିଛି, ଉପଲବ୍ଧ ପ୍ରମାଣରୁ ଜଣାପଡୁଛି ଯେ ଏହି ଭୟଙ୍କର ଦୁଷ୍କର୍ମ ଓ ହତ୍ୟା ଘଟଣାରେ କେବଳ ସଞ୍ଜୟ ରାୟ ସମ୍ପୃକ୍ତ ଥିଲା।

    ସୂତ୍ରରୁ ପ୍ରକାଶ ଯେ, ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ତଦନ୍ତ ରିପୋର୍ଟ ଦେବା ପାଇଁ ସିବିଆଇ ଉପରେ ଚାପ ପକାଉଛନ୍ତି। କାରଣ ଏହି ଜଘନ୍ୟ ଅପରାଧକୁ ନେଇ ସେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଓ ନାଗରିକ ସମାଜ କର୍ମୀଙ୍କର ଆକ୍ରୋଶଭାଜନ ହୋଇଛନ୍ତି। ଗତ ସପ୍ତାହରେ ସେ ଏକ ଅପଡେଟ୍ ମାଗିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ସେ ପୁଲିସ ପାଇଁ ୫ ଦିନ ସମୟ ମାଗିଥିଲେ, କିନ୍ତୁ ମାମଲା ସିବିଆଇକୁ ଦିଆଯାଇଥିଲା। ଏବେ ୧୬ ଦିନ ବିତିଗଲାଣି, ନ୍ୟାୟ କେଉଁଠି ବୋଲି ମମତା ପ୍ରଶ୍ନ କରିଥିଲେ। ମମତା ବାନାର୍ଜୀଙ୍କ ସହଯୋଗୀ ତଥା ରାଜ୍ୟ ମନ୍ତ୍ରୀ ବ୍ରାତ୍ୟ ବସୁ ମଧ୍ୟ ରିପୋର୍ଟ ମାଗିଛନ୍ତି। ମାମଲା ସ୍ଥାନାନ୍ତର ହେବାର ୨୩ ଦିନ ବିତିଯିବା ପରେ ବି ସିବିଆଇ ପକ୍ଷରୁ କୌଣସି ଅଗ୍ରଗତି ରିପୋର୍ଟ ଆସିନାହିଁ। ତଦନ୍ତର ବିସ୍ତୃତ ରିପୋର୍ଟ ଦେବାକୁ ଆମେ ଦାବି କରୁଛୁ ବୋଲି ସେ କହିଛନ୍ତି।

    ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏଜେନ୍ସି ଅଭିଯୁକ୍ତର ଡିଏନ୍‌ଏ ସହିତ ଏକ ଡାକ୍ତରୀ ରିପୋର୍ଟ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ବିଶେଷଜ୍ଞମାନଙ୍କୁ ପଠାଇଛି। ଡାକ୍ତରଙ୍କ ଚୂଡ଼ାନ୍ତ ମତାମତ ପାଇବା ପରେ ଏଜେନ୍ସି ଏହି ତଦନ୍ତ ଶେଷ କରିବାକୁ ଚେଷ୍ଟା କରିବ। ସିବିଆଇ ଇତିମଧ୍ୟରେ ୧୦୦ରୁ ଅଧିକ ବୟାନ ରେକର୍ଡ କରିଛି ଏବଂ ଡାକ୍ତରଖାନାର ପୂର୍ବତନ ମୁଖ୍ୟ ଡାକ୍ତର ସନ୍ଦୀପ ଘୋଷଙ୍କ ସମେତ ୧୦ଟି ପଲିଗ୍ରାଫ୍ ଟେଷ୍ଟ କରିଛି। ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବାରେ ଅନ୍ୟମାନେ ସମ୍ପୃକ୍ତ ବୋଲି ବିଶ୍ୱାସ କରିବାର କୌଣସି କାରଣ ନାହିଁ ବୋଲି ସିବିଆଇ କହିଛି।
    ଏଜେନ୍ସି ନିଜେ ୩ ଜଣଙ୍କୁ ଗିରଫ କରିଛି, ସେଥିମଧ୍ୟରୁ ସବୁଠାରୁ ବଡ଼ମୁଣ୍ଡ ହେଉଛନ୍ତି ଡାକ୍ତର ସନ୍ଦୀପ ଘୋଷ, ଯିଏ କି ହତ୍ୟାର କିଛି ଦିନ ପରେ ନୈତିକତା ଆଧାରରେ ଇସ୍ତଫା ଦେଇଥିଲେ, କିନ୍ତୁ କିଛି ଘଣ୍ଟା ପରେ ତାଙ୍କୁ ଅନ୍ୟ ଏକ ସରକାରୀ ହସ୍ପିଟାଲର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ଦୁଇ ସପ୍ତାହ ଧରି ସିବିଆଇ ଜେରା କରିବା ପରେ ସୋମବାର ଡାକ୍ତର ଘୋଷଙ୍କୁ ଆର୍‌ଜି କର ହସ୍ପିଟାଲର ମୁଖ୍ୟ ଥିବା ସମୟରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଥିଲା।

    ହସ୍ପିଟାଲର ଜଣେ ପୂର୍ବତନ କର୍ମଚାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲିଙ୍କ ଆବେଦନ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା। ସେ ଡାକ୍ତର ଘୋଷଙ୍କ ବିରୋଧରେ ବେଆଇନ ମୃତଦେହ ବିକ୍ରି କରିବା, ବାୟୋମେଡିକାଲ ବର୍ଜ୍ୟବସ୍ତୁ ଚୋରା ଚାଲାଣ କରିବା ଏବଂ ଔଷଧ ଓ ଚିକିତ୍ସା ଉପକରଣ ଯୋଗାଣକାରୀଙ୍କଠାରୁ କମିସନ ନେଇ ଟେଣ୍ଡର ପାସ୍ କରିଥିବା ଅଭିଯୋଗ ଆଣିଥିଲେ। ଜଣେ ସିକ୍ୟୁରିଟି ଗାର୍ଡଙ୍କ ସମେତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ହେବା ପରେ ଡାକ୍ତର ଘୋଷଙ୍କୁ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ଡାକ୍ତର ସଂଘ ନିଲମ୍ବିତ କରିଛନ୍ତି। ପୂର୍ବରୁ ତାଙ୍କୁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ନିଲମ୍ବିତ କରିଥିଲା। ଆଜି ସକାଳେ ସିବିଆଇ ପୁଣି ଥରେ ଡାକ୍ତର ଘୋଷଙ୍କ କୋଲକାତାସ୍ଥିତ ଘରେ ଚଢ଼ଉ କରିଛି। ସେପ୍ଟେମ୍ବର ୧୭ରେ ସିବିଆଇ କଲିକତା ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ