ନୂଆଦିଲ୍ଲୀ : ବୃଦ୍ଧି ହେବ ଲୋକସଭା ଆସନ ସଂଖ୍ୟା । ୫୪୩ରୁ ହେବ ୮୧୬। କାର୍ଯ୍ୟକାରୀ ହେବ ମହିଳା ସଂରକ୍ଷଣ ଆଇନ। କେନ୍ଦ୍ରର ବଡ଼ ଯୋଜନା। ଲୋକସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ସହ ବଢାଯିବ ୨୭୩ ଆସନ। ଫଳରେ ସାଧାରଣ ଆସନରେ ବଡ଼ କାଟଛାଣ୍ଟ ନ କରି, ମହିଳାଙ୍କୁ ସଂରକ୍ଷଣ ଦିଆଯିବ। ଜନଗଣନା ସରିବା ପରେ ମହିଳା ସଂରକ୍ଷଣ ଆଇନ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସରକାର ଧାର୍ଯ୍ୟ ସମୟ ପୂର୍ବରୁ ମହିଳା ସଂରକ୍ଷଣ ଆଇନ ଲାଗୁ କରିବା ସହ ସମ୍ବିଧାନ ସଂଶୋଧନ କରି ଲୋକସଭା ଆସନ ସଂଖ୍ୟା ବଢାଇବାକୁ ଯାଉଛନ୍ତି। ସମ୍ବିଧାନ ସଂଶୋଧନ ପାଇଁ ଚଳିତ ବଜେଟ୍ ଅଧିବେଶନରେ ଆସିପାରେ ବିଲ୍। ଯଦି ଆସନ ସଂଖ୍ୟା ବଢେ ତେବେ ଓଡ଼ିଶାର ଆସନ ସଂଖ୍ୟା ୨୧ରୁ ବଢି ୩୨ ହେବ।
ବର୍ତ୍ତମାନ ଲୋକସଭାରେ ୫୪୩ଟି ଆସନ ଅଛି। ସରକାରଙ୍କ ନୂଆ ପ୍ରସ୍ତାବ ଅନୁଯାୟୀ ଏହାକୁ ପ୍ରାୟ ୫୦% ବଢ଼ାଇ ୮୧୬ କରାଯିବ । ଏହି ବର୍ଦ୍ଧିତ ୮୧୬ଟି ଆସନ ମଧ୍ୟରୁ ଠିକ୍ ଏକ-ତୃତୀୟାଂଶ ଅର୍ଥାତ୍ ୨୭୩ଟି ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ। ଏହାଦ୍ୱାରା ବର୍ତ୍ତମାନର ପୁରୁଷ ସାଂସଦ ବା ସାଧାରଣ ଆସନଗୁଡ଼ିକରେ କୌଣସି ବଡ଼ ଧରଣର କାଟଛାଣ୍ଟ ନକରି ନୂଆ ଆସନ ସୃଷ୍ଟି କରାଯାଇ ମହିଳାଙ୍କୁ ସୁଯୋଗ ଦିଆଯିବ।
ପୂର୍ବ ନିୟମ ଅନୁଯାୟୀ, ଆସନ୍ତା ଜନଗଣନା ଶେଷ ହେବା ପରେ ହିଁ ସଂରକ୍ଷଣ ଲାଗୁ ହେବାର ଥିଲା। କିନ୍ତୁ ନୂଆ ଜନଗଣନା ୨୦୨୭ ଶେଷ ସୁଦ୍ଧା ହେବାକୁ ଥିବାରୁ ଏହା ବିଳମ୍ବ ହେବାର ସମ୍ଭାବନା ଥିଲା। ତେଣୁ ସରକାର ଏବେ ୨୦୧୧ ଜନଗଣନାକୁ ଆଧାର କରି ଏବଂ ସମ୍ବିଧାନ ସଂଶୋଧନ କରି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି। ଏହି ବଡ଼ ପରିବର୍ତ୍ତନ ପାଇଁ ସମ୍ବିଧାନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିବାକୁ ପଡ଼ିବ। ଏଥିପାଇଁ ସଂସଦରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏ ସମ୍ପର୍କରେ ବିରୋଧୀ ଦଳଗୁଡ଼ିକ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି, ଯେପରି ଏକ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇପାରିବ।
