Saturday, September 28, 2024
24.7 C
Odisha

    ଭକ୍ତର ଜଗନ୍ନାଥ

    ଆଗକୁ ପଢନ୍ତୁ

     

    ନାଆଁ ତାର ରଘୁ ବେହେରା । ଜାତିରେ କେଉଟ । ମାଛ ମାରି ଜୀବିକା ନିର୍ବାହ କରେ । ଘର ପୁରୀ ନିକଟସ୍ଥ ପିପିଲି ଗ୍ରାମରେ । ଲୋକଟି ଖୁବ ଈଶ୍ଵର ବିଶ୍ଵାସୀ । ଜଗନ୍ନାଥଙ୍କୁ ଭାରି ମାନେ । ପୁରାଣ ପଢେ । ଦିନେ ପୁରାଣରୁ ଶୁଣିଲା ଜୀବହତ୍ୟା ମହାପାପ । ତେଣୁ ସେ ମାଛ ମାରି ବିକିବାକୁ ରାଜ୍ୟ ହେଲା ନାହିଁ । ତାକୁ ତା’ ମାଆ ଓ ସ୍ତ୍ରୀ କହିଲେ- ତୁମକୁ ଯେମିତି ବି ହେଉ ନିଜ ପରିବାର ବଞ୍ଚାଇବାକୁ ପଡିବ । ଜୀବହତ୍ୟା ମହାପାପ ହେଲେ କୁଟୁମ୍ବ ଜନଙ୍କୁ ପୋଷିବା ମୁରବୀର ଦାୟିତ୍ଵ । ରଘୁ ବେହେରା ବାଧ୍ୟ ହୋଇ ମାଛ ମାରିବାକୁ ଗଲା ।

    ଦିନକର କଥା । ଗୁଣ୍ଡିଚା ଯାତ୍ରା ସମୟ । ପ୍ରଭୁ ଜଗନ୍ନାଥ ଭ୍ରାତା ଓ ଭଗ୍ନୀଙ୍କ ସହ ଗୁଣ୍ଡିଚା ମନ୍ଦିର ଯିବାପାଇଁ ପ୍ରସ୍ତୁତ ହେଉଥାନ୍ତି । ରଥଯାତ୍ରା ପରି ପବିତ୍ର ଦିନରେ ଜୀବହତ୍ୟା କରିବା ଅନୁଚିତ ବୋଲି ସେ ସେଦିନ ମାଛ ମାରିବାକୁ ନଯାଇ ପୁରୀ ଯିବାକୁ ସ୍ଥିର କରିଥାଏ । ମାତ୍ର ମାଆ ଓ ସ୍ତ୍ରୀଙ୍କଠାରୁ ଅନେକ କଥା ଶୁଣି ସେ ପ୍ରଭୁ ଜଗନ୍ନାଥଙ୍କୁ ମନେ ମନେ ଆକୁଳ ହୋଇ କ୍ଷମା ପ୍ରାର୍ଥନା କଲା ଏବଂ ମାଛ ମାରିବାକୁ ବାହାରିଗଲା । ସେଦିନ ତା ଜାଲରେ ବଡ଼ ରୋହି ମାଛଟିଏ ପଡିଲା । ସେ ମାଛଟିକୁ କ’ଣ କରିବ ଦ୍ଵନ୍ଦରେ ଥାଏ । ସେ ଶୁଣିଥିଲା, ପ୍ରଭୁ ଶ୍ରୀଜଗନ୍ନାଥ ଏକଦା ମତ୍ସ୍ୟ ଅବତାର ଧାରଣ କରିଥିଲେ । ହେଲେ ଘର ଚଳେଇବା ପାଇଁ ତାକୁ ମାଛ ମାରିବାକୁ ପଡିବ । ଏହା ଭାବି ସେ ମାଛଟିକୁ ବାଡ଼େଇ ମାରିବା ବେଳକୁ ମାଛଟି ଚିତ୍କାର କଲା- ହେ ଜଗନ୍ନାଥ! ମୋତେ ରକ୍ଷା କର । ଏକଥା ଶୁଣି ରଘୁ ଗୋଟିଏ ଝରଣାରେ ମାଛଟିକୁ ଛାଡିଦେଇ ଆକୁଳ କଣ୍ଠରେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବାରେ ଲାଗିଲା । ବଡ଼ ପାଟିରେ କାନ୍ଦି କାନ୍ଦି ଡାକୁଥାଏ- ପ୍ରଭୁ, ଏ ମୀନକୁ ବଞ୍ଚେଇ ଦିଅ । ନହେଲେ ମୁଁ କିଛି ନଖାଇ ନପିଇ ଏହିଠାରେ ପ୍ରାଣତ୍ୟାଗ କରିବି ।

    ଏହି ସମୟରେ ବଡ଼ଦାଣ୍ଡରେ ରଥ ଗଡିବା ଆରମ୍ଭ ହୋଇ ସରିଲାଣି । ରଘୁର ଅକୁଳ ପ୍ରାର୍ଥନା ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଶୁଣାଗଲା । ଭକ୍ତର ଆକୁଳ ନିବେଦନ ଶୁଣି  ପ୍ରଭୁଙ୍କ ରଥ ହଠାତ ଅଟକି ଗଲା । ଆଉ ତିଳେ ମାତ୍ର ଆଗକୁ ଗଡ଼ିଲା ନାହିଁ । ଭଗବାନ ରଥରୁ ଓଲ୍ହେଇ ଆସି ଏକ ବ୍ରାହ୍ମଣ ବେଶରେ ରଘୁ ବେହେରାକୁ ଦେଖା ଦେଲେ ଏବଂ ତାକୁ ବୁଝାଇବାକୁ ଚେଷ୍ଟା କଲେ । ହେଲେ ରଘୁ ନିଜ ଜିଦ ରେ ଅଟଳ ରହି କହିଲା-ମୋ ଜଗନ୍ନାଥ ମୋତେ ଦେଖା ନଦେଲେ ମୁଁ ଏଠାରୁ ତିଳେ ହେଲେ ଘୁଞ୍ଚିବି ନାହିଁ । ଜଗନ୍ନାଥ ବାଧ୍ୟ ହୋଇ ନିଜ ପ୍ରକୃତ ରୂପ ଭକ୍ତ ସମ୍ମୁଖରେ ଧାରଣ କଲେ । କହିଲେ କ’ଣ ବର ମଗୁଛୁ ମାଗ । ରଘୁ ପ୍ରଭୁଙ୍କ ରୂପ ଦେଖି ବିଭୋର ହୋଇ ତାଙ୍କ ପାଦତଳେ ପଡିଗଲା ଏବଂ ହାତ ଯୋଡି କହିଲା- ହେ ମହାପ୍ରଭୁ! ପ୍ରଥମେ ଏହି ମୀନଟିକୁ ବଞ୍ଚେଇ ଦିଅ । ମୋତେ ଏପରି ଏକ ଜୀବିକା ନଦେଇ ଅନ୍ୟ କର୍ମରେ ଅନ୍ନଜଳ ମିଳୁ । ମୁଁ ଆପଣଙ୍କ ଦର୍ଶନ କରି ମୁକ୍ତିଲାଭ କରିବି । ଜଗନ୍ନାଥ ତଥାସ୍ତୁ କହିଲେ । ମହାପ୍ରଭୁଙ୍କ ଦୟାରୁ ତାର କିଛି ଅଭାବ ରହିଲା ନାହିଁ । ନିଜ ପ୍ରିୟ ଭକ୍ତର ମନସ୍କାମନା ପୂରଣ କରି ପ୍ରଭୁ ପୁନଶ୍ଚ ନିଜ ରଥକୁ ଲେଉଟି ଆସିଲେ । ମହାପ୍ରଭୁଙ୍କ ରଥ ହଠାତ ଅଟକି ଯାଇଥିବାରୁ ବଡଦାଣ୍ଡରେ ଭକ୍ତମାନଙ୍କ ମଧ୍ୟରେ ଭାଳେଣି ପଡିଥିଲା । ପ୍ରଭୁ ରଥରେ ପୁଣିଥରେ ବିଜେ କରିବାରୁ ରଥ ଗଡିବା ଆରମ୍ଭ କଲା । ସମସ୍ତ ଭକ୍ତଙ୍କର ବୁଝିବାର ବାକି ରହିଲା ନାହିଁ ଯେ କାଳିଆ ଠାକୁର ନିଜର କୌଣସି ପ୍ରିୟ ଭକ୍ତର ଗୁହାରି ଶୁଣି ତାକୁ ଦର୍ଶନ ଦେବାକୁ ରଥରୁ ଓଲ୍ହେଇ ଯାଇଥିଲେ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    93 %
    1.4kmh
    7 %
    Sat
    24 °
    Sun
    31 °
    Mon
    31 °
    Tue
    32 °
    Wed
    30 °

    ସମ୍ବନ୍ଧିତ