ଭୁବନେଶ୍ବର : ସରିଲା ଓଡ଼ିଶାରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଆଜି ପ୍ରକାଶ ପାଇବ ବହୁ ପ୍ରତୀକ୍ଷିତ ଚିଠା ଭୋଟର ତାଲିକା । ଆଜି ଚିଠା ତାଲିକା ପ୍ରକାଶ ପାଇବା ପରେ ସାଧାରଣ ନାଗରିକମାନଙ୍କ ଯାଞ୍ଚ ପାଇଁ ଅଗଷ୍ଟ ୪ ପର୍ଯ୍ୟନ୍ତ ସମୟ ଦିଆଯିବ । ଏହି ସମୟ ମଧ୍ୟରେ ଆପତ୍ତି ଅଭିଯୋଗ ଦାଖଲ କରିହେବ। ନୂଆ ନାଁ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬ ଆବେଦନ କରିପାରିବେ । ଅଯୋଗ୍ୟ କିମ୍ବା ମୃତ ବ୍ୟକ୍ତିଙ୍କ ନାଁ ଥିଲେ, ଏହା ବିରୋଧରେ ଆପତ୍ତି ଉଠାଇବା ପାଇଁ ଫର୍ମ-୭ ଦେଇପାରିବେ । ସେହିପରି ନାମର ବନାନ, ବୟସ କିମ୍ବା ଠିକଣା ଭୁଲ୍ ଥିଲେ ତାହା ବଦଳାଇବା ପାଇଁ ଫର୍ମ-୮ ଦାଖଲ କରିପାରିବେ । ଅଭିଯୋଗର ସମାଧାନ ଓ ଶୁଣାଣି ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ।
ରାଜ୍ୟର ସମସ୍ତ ଯୋଗ୍ୟ ନାଗରିକ ଏବଂ ରାଜନୈତିକ ଦଳଗୁଡ଼ିକୁ ଏହି ଡ୍ରାଫ୍ଟ ରୋଲ୍ କୁ ଭଲଭାବେ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି, ଯେପରି କୌଣସି ଜଣେ ବି ପ୍ରକୃତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ନ ହୁଅନ୍ତି । ଏହି ବ୍ୟାପକ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଅଯୋଗ୍ୟ ଭୋଟରଙ୍କୁ ବାଦ୍ ଦେବା ଏବଂ ନୂତନ ଭୋଟରଙ୍କୁ ସାମିଲ କରିବା । ମୃତ ବ୍ୟକ୍ତି, ସ୍ଥାନାନ୍ତରିତ ହୋଇଥିବା ଭୋଟର ଏବଂ ଦୋହରା ନାମ ଗୁଡ଼ିକୁ ତାଲିକାରୁ ହଟାଇବା । ଯେଉଁମାନେ ୨୦୨୬ ଜୁଲାଇ ୧ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି, ସେମାନଙ୍କ ନାମକୁ ତାଲିକାରେ ଯୋଡ଼ିବା । ଭୋଟରଙ୍କ ନାମ, ବୟସ, ଠିକଣା ଏବଂ ପରିଚୟପତ୍ରରେ ଥିବା ଅନ୍ୟାନ୍ୟ ଭୁଲ୍ କୁ ସୁଧାରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
