Monday, October 19, 2026
21.6 C
Odisha

    ଭୋଟର ପରିଚୟପତ୍ର ଆଧାରରେ ନିରୂପଣ ହେବନି ଜନ୍ମ ତାରିଖ : ଓଡ଼ିଶା ହାଇକୋର୍ଟ

    ଆଗକୁ ପଢନ୍ତୁ

    କଟକ : ଭୋଟର ପରିଚୟପତ୍ର ଓ ଭୋଟର ତାଲିକାରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖକୁ ଆଧାର କରି ଜଣେ ବ୍ୟକ୍ତିଙ୍କ ଜନ୍ମ ତାରିଖ ନିରୂପଣ କରାଯାଇ ପାରିବ ନାହିଁ। ତେଣୁ ଭୋଟର ପରିଚୟପତ୍ରରେ ରହିଥିବା ଜନ୍ମ ତାରିଖକୁ ଆଧାର କରି ବୀମା ବାବଦ ଅର୍ଥ ଦାବିକୁ ଅଗ୍ରାହ୍ୟ କରି ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଆବେଦନକାରୀଙ୍କୁ ଜୀବନବୀମା ପଲିସି ବାବଦ ଅର୍ଥ ଚାରି ସପ୍ତାହ ଭିତରେ ପ୍ରଦାନ କରିବା ଲାଗି ଏଲଆଇସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡ.ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ତପସ୍ବିନୀ ପଣ୍ଡାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ବୀମା ପଲିସି ସଂପର୍କିତ (ପ୍ରପୋଜାଲ) ପ୍ରସ୍ତାବ ଫର୍ମ ଅଧିକ ସଂପୂର୍ଣ୍ଣ, ସରଳ ଓ ଅର୍ଥପୂର୍ଣ୍ଣ ହେବା ଉଚିତ। ଏ ସଂପର୍କିତ ପ୍ରଶ୍ନ ଓ ଉତ୍ତର ଭଲ ଭାବେ ‌ପ୍ରସ୍ତାବକଙ୍କୁ ବୁଝାଯିବା ଆବଶ୍ୟକ। ବୀମା ପଲିସିରେ ଦସ୍ତଖତ ଆଣିବା ପୂର୍ବରୁ ପ୍ରସ୍ତାବକଙ୍କୁ ଘୋଷଣାନାମା ସଂକ୍ରାନ୍ତରେ ଅବଗତ କରାଯିବା ଉଚିତ।ବୀମା ଏଜେଣ୍ଟ ଉପଯୁକ୍ତ ଭାବେ ତାଲିମପ୍ରାପ୍ତ ହେବା ଆବଶ୍ୟକ। ଯାହା ଦ୍ବାରା ଏଜେଣ୍ଟମାନେ ପଲିସିଧାରୀ ହେବାକୁ ଯାଉଥିବା ବ୍ୟକ୍ତିଙ୍କୁ ଭୁଲ ସୂଚନା ଦେବାର ପରିଣତି ସଂକ୍ରାନ୍ତରେ ସଚେତନ କରି ପାରିବେ। ବୀମା ପଲିସି ବାବଦ ପ୍ରିମିୟମ ଆଦାୟ ସହଜ ହୋଇଥିବା ବେଳେ ବୀମା ବାବଦ ଅର୍ଥ ଦାବି ସଂପର୍କିତ ପ୍ରକ୍ରିୟା ଜଟିଳ। ପଲିସି ବାବଦ ଅର୍ଥ ଦାବି ପ୍ରକ୍ରିୟା କଷ୍ଟସାଧ୍ୟ ହୋଇଥାଏ। ବହୁ ପ୍ରମାଣପତ୍ରର ଆବଶ୍ୟକତା ପଡ଼ିଥାଏ।

    ପ୍ରକ୍ରିୟା ବିଳମ୍ବିତ କରି ତନ୍ନ ତନ୍ନ କରି ସବିଶେଷ ବିବରଣୀ ଯାଞ୍ଚ କରାଯାଇଥାଏ। ଏଭଳି ବିଳମ୍ବ, ଅଗ୍ରାହ୍ୟ ଭଳି ଘଟଣା ବ୍ୟକ୍ତିଗତ କ୍ଷତି ଓ ସମସ୍ୟାର ସମ୍ମୁଖୀନ ହୋଇଥିବା ବ୍ୟକ୍ତିର ଦୁଃଖକୁ ବଢାଇ ଦେଇଥାଏ। ଏଭଳି ସ୍ଥିତିରେ ବୀମା କମ୍ପାନିଗୁଡ଼ିକ ନିଜ କାର୍ଯ୍ୟକଳାପର ମୂଲ୍ୟାଙ୍କନ କରିବା ସହିତ ଗ୍ରାହକଙ୍କ ଫାଇଦାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।

    ମାମଲାର ବିବରଣୀରୁ ପ୍ରକାଶ, ଆବେଦନକାରୀଙ୍କ ବାପା ତିନୋଟି ଜୀବନବୀମା ପଲିସି କରିଥିଲେ। ପଲିସିଧାରୀ ରଘୁନାଥ ନାୟକଙ୍କ ୨୦୧୨, ମାର୍ଚ୍ଚ ୧୫ରେ ମୃତ୍ୟୁ ‌ହୋଇଥିଲା। ଏହା ପରେ ଆବେଦନକାରୀ ତିନି ବୀମା ପଲିସି ବାବଦ ଅର୍ଥ ପାଇବାକୁ ଆବେଦନ କରିଥିଲେ। ଦୁଇଟି ପଲିସି ବାବଦ ଅର୍ଥ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ତୃତୀୟ ପଲିସି ବାବଦରେ ଆବେଦନକାରୀଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଥିଲା।ଭୋଟର ପରିଚୟପତ୍ରରେ ରହିଥିବା ଜନ୍ମ ତାରିଖ ପଲିସିରେ ରହିଥିବା ତଥ୍ୟ ସହିତ ମେଳ ଖାଉ ନଥିବାରୁ ଏହି ପଲିସି ବାବଦ ଦାବି ୨୦୧୩, ମାର୍ଚ୍ଚ ୨୫ରେ ଅଗ୍ରାହ୍ୟ କରାଯାଇଥିଲା। ଆବେଦନକାରୀ ଏହା ବିରୋଧରେ ଓମ୍‌ବୁଡସ୍‌ମ୍ୟାନଙ୍କ ନିକଟରେ ଦାଖଲ କରିଥିବା ଦରଖାସ୍ତ ୨୦୧୫‌, ମାର୍ଚ୍ଚ ୩୧ରେ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରଥମେ ରଘୁନାଥ ଗୋଟିଏ ପଲିସି କରିଥିଲେ। ସେହି ପଲିସିରେ ଦେଇଥିବା ତଥ୍ୟକୁ ଆଧାର କରି ସେ ଦ୍ବିତୀୟ ଓ ତୃତୀୟ ପଲିସି କରିଥିଲେ। ବୀମା କମ୍ପାନି ସେତେବେଳ କେବେ ବି ଜନ୍ମ ତାରିଖ ନେଇ ପ୍ରଶ୍ନ ଉଠାଇ ନଥିଲା। ଏଥି ସହିତ ପଲିସିଧାରୀଙ୍କ ମୃତ୍ୟୁ ପରେ ପ୍ରଥମ ଓ ଦ୍ବିତୀୟ ପଲିସି ବାବଦ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଭୋଟର ପରିଚୟପତ୍ରରେ ଥିବା ଜନ୍ମ ତାରିଖକୁ ଆଳ କରି ତୃତୀୟ ପଲିସି ବାବଦ ଦାବିକୁ ଅଗ୍ରାହ୍ୟ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ