Sunday, November 29, 2026
24.2 C
Odisha

    ବାପାଙ୍କ ଆଖି ଆଗରୁ ଝିଅ ଅପହରଣ ଘଟଣା, ରାତି ଅଧରେ ବୋଲେରୋ ସହ ଝିଅ ଉଦ୍ଧାର; ଡ୍ରାଇଭର ଅଟକ

    ଆଗକୁ ପଢନ୍ତୁ

    ଗଜପତି : ଗଜପତି ଜିଲ୍ଲାରୁ ଚାଞ୍ଚଲ୍ୟକର ଅପହରଣ ଘଟଣା। ଦିନ ଦ୍ୱିପ୍ରହରରେ ଫିଲ୍ମ ଷ୍ଟାଇଲରେ ରାସ୍ତା ମଝିରୁ ବାପା-ମା’ଙ୍କ କବଳରୁ ଝିଅକୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ତେଲ ସରିଯିବାର ବାହାନା ଦେଖାଇ ପ୍ରଥମେ ବାଇକ୍ ଅଟକାଇଲେ । ଆଉ ତା’ପରେ ବାପାଙ୍କ ସାମ୍ନାରେ ମା’ ଓ ଝିଅଙ୍କୁ ଜୋରଜବରଦସ୍ତ ବୋଲେରୋରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ । ତେବେ ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ରାତି ୧୨ଟାରେ ଝିଅକୁ ଉଦ୍ଧାର କରାଯାଇଛି । ମୁଖ୍ୟ ଅପହରଣକାରୀ ଏବେ ବି ଫେରାର୍ ରହିଛି । ରାସ୍ତା ମଝିରୁ ଜଣେ ଯୁବତୀଙ୍କୁ ଅପହରଣ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା ।

    ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ମହାଳିମ୍ବ ଗାଁର ତାରିଣୀ ଦଳାଇ ନିଜ ସ୍ତ୍ରୀ ଓ ଝିଅଙ୍କ ସହ ବାଇକ୍ ଯୋଗେ ଗଜପତି ଜିଲ୍ଲା ରାମଗିରି ନିକଟ ଅଞ୍ଚମା ଗାଁକୁ ନିଜ ଶାଳୀଙ୍କ ଘରକୁ ଆସିଥିଲେ । ସେଠାରୁ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ଫେରୁଥିବା ବେଳେ ଘଟିଥିଲା ଏହି ଅଭାବନୀୟ ଘଟଣା । ଆର. ଉଦୟଗିରି ଥାନା ଶିଆଳିଲଟି ନିକଟସ୍ଥ ମୂଷାଦଲି ଠାରେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୃତ୍ତ ଏକ ବୋଲେରୋ ଗାଡ଼ିରେ ଆସିଥିଲେ । ଗାଡ଼ିରେ ତେଲ ସରିଯାଇଥିବା ବାହାନା କରି ସେମାନେ ତାରିଣୀଙ୍କ ବାଇକକୁ ଅଟକାଇଥିଲେ ।

    ତାରିଣୀ କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ଅତର୍କିତ ଭାବେ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଜୋରଜବରଦସ୍ତ ବୋଲେରୋ ଭିତରକୁ ଟାଣିନେଇଥିଲେ । ବାପାଙ୍କ ଆଖି ସାମ୍ନାରେ ହିଁ ସ୍ତ୍ରୀ ଓ ଝିଅଙ୍କୁ ନେଇ ସେଠାରୁ ଫେରାର୍ ହୋଇଯାଇଥିଲେ ଅପହରଣକାରୀ । କିଛି ବାଟ ଯିବା ପରେ ଦୁର୍ବୃତ୍ତମାନେ ତାରିଣୀଙ୍କ ସ୍ତ୍ରୀଙ୍କୁ ରାସ୍ତା ମଝିରେ ଓହ୍ଲାଇ ଦେଇ ଝିଅକୁ ସାଙ୍ଗରେ ନେଇ କେଉଁଆଡ଼େ ଚାଲିଯାଇଥିଲେ । ଅନ୍ୟପଟେ, ଘଟଣାସ୍ଥଳରୁ ତାରିଣୀ ଯାଇ ନିଜ ସ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ ଏବଂ ତୁରନ୍ତ ପୋଲିସ ସହାୟତା ନମ୍ବର ୧୧୨କୁ କଲ୍ କରି ସବୁ କଥା ଜଣାଇଥିଲେ ।

    ଖବର ପାଇ ଆର. ଉଦୟଗିରି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ପୋଲିସର ଘନଘନ ଚଢ଼ାଉ ଓ ତ୍ୱରିତ ତଦନ୍ତ ଫଳରେ ରାତି ପ୍ରାୟ ୧୨ଟା ବେଳକୁ ଅପହରଣରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଠାବ କରାଯାଇଥିଲା । ପୋଲିସ ଗାଡ଼ି ସହ ଅପହୃତା ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ବୋଲେରୋ ଡ୍ରାଇଭରକୁ ଅଟକ ରଖିଛି । ବର୍ତ୍ତମାନ ପୋଲିସ ଥାନାରେ ଡ୍ରାଇଭରକୁ ପଚରାଉଚରା କରୁଛି । କେଉଁ କାରଣରୁ ଏହି ଅପହରଣ ହୋଇଥିଲା, ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    54 %
    1kmh
    1 %
    Sun
    26 °
    Mon
    26 °
    Tue
    27 °
    Wed
    27 °
    Thu
    26 °

    ସମ୍ବନ୍ଧିତ