Sunday, December 29, 2024
26.3 C
Odisha

    ମଧ୍ୟାହ୍ନଭୋଜନ ଖାଇ ୨୧ ଛାତ୍ରଛାତ୍ରୀ ଅସୁସ୍ଥ: ଡିଇଓଙ୍କ ବଦଳି, ସିଡବ୍ଲ୍ୟୁସି ମୁଖ୍ୟଙ୍କ ଇସ୍ତଫା ଦାବି କଲା ଆପ୍‌

    ଆଗକୁ ପଢନ୍ତୁ

    ମଧ୍ୟାହ୍ନଭୋଜନ ଖାଇ ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଡିମିରିସେଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଆମ୍ ଆଦମୀ ପାର୍ଟି ଦୃଢ ନିନ୍ଦା କରିବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ଏବଂ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କରିଛି ।
    ସୂଚନା ଅନୁଯାୟୀ, ଗୁରୁବାର ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଥିଲା । ସେମାନେ ଭାତ, ଡାଲମା ଖାଇଥିଲେ । ଖାଇବାର ପ୍ରାୟ ଅଧଘଣ୍ଟାଏ ପରେ ପିଲାଙ୍କୁ ଖେଳିବା ପାଇଁ ଛଡା ଯାଇଥିଲା । ସେମାନେ ସ୍କୁଲ ପଡ଼ିଆରେ ଖେଳାବୁଲା କରୁଥିଲେ । ଏହି ସମୟରେ କିଛି ଛାତ୍ରଛାତ୍ରୀଙ୍କର ମୁଣ୍ଡ ବୁଲାଇବାରୁ ସେମାନେ ପଡି ଯାଇଥିଲେ । ସେହିପରି କେତେଜଣଙ୍କର ବାନ୍ତି ମଧ୍ୟ ହୋଇଥିଲା । ତେଣୁ ପ୍ରଧାନଶିକ୍ଷକ ଅଭିଭାବକଙ୍କୁ ଖବର ଦେବା ସହ ପିଲାଙ୍କୁ ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ । ଆମ୍ବୁଲାନ୍ସରେ ସେମାନଙ୍କୁ ରେବେଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ୧୨ ଜଣ ଏବଂ ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ୯ ଜଣଙ୍କୁ ହସ୍ପିଟାଲ ନିଆ ଯାଇଥିଲା । ପ୍ରାୟ ଘଣ୍ଟାଏରୁ ଦୁଇଘଣ୍ଟା ପର୍ଯ୍ୟନ୍ତ ପିଲାଙ୍କୁ ହସ୍ପିଟାଲରେ ରଖି ଆବଶ୍ୟକ ଚିକିତ୍ସା କରାଯାଇଥିଲା । ସମସ୍ତେ ସୁସ୍ଥ ହେବାରେ ଘରକୁ ଫେରିଥିବା ଜଣାପଡିଛି । ଏ ସମ୍ପର୍କର୍ରେ ସିଆର୍‌ସିସି ଶୁକଦେବ ସାହୁ କହିଛନ୍ତି, ପ୍ରଧାନଶିକ୍ଷକଙ୍କଠାରୁ ସୂଚନା ପାଇ ଘଟଣଶସ୍ଥଳରେ ପହଞ୍ଚି ପିଲାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ତେବେ ପିଲା ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ପାଣି ପିଇ ନ ଥିଲେ । କିଛି ସମୟ ପରେ ଚକାଚକା ଭଉଁରୀ ଖେଳିଥିଲେ । ପାଣି ନ ପିଇବା ଯୋଗୁ ବୋଧହୁଏ ଗ୍ୟାସ୍‌ରୁ ବାନ୍ତି ଏବଂ ମୁଣ୍ଡ ବୁଲାଇଥିବ ଅନୁମାନ କରାଯାଉଛି । ତେବେ କେହି ସେମିତି ଗୁରୁତର ନ ଥିଲେ ବୋଲି କହିଛନ୍ତି ଶ୍ରୀ ସାହୁ । ଅପରପକ୍ଷେ ଏହି ଘଟଣାକୁ ଦୃଢ ନିନ୍ଦା କରିଛି ଆପ୍ । ଦଳର ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି, କିଛିଦିନ ତଳେ କଣାସ, ବ୍ରହ୍ମଗିରି, ସତ୍ୟବାଦୀ ଅଞ୍ଚଳରେ ମଧ୍ୟାହ୍ନଭୋଜନରୁ ପୋକ ବାହାରିଥିଲା । ଏ ନେଇ ଆପ୍ ସିଡବ୍ଲ୍ୟୁସି ମୁଖ୍ୟଙ୍କୁ ଅବଗତ କରାଇଥିଲୁ । ଘଟଣାର ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତଦନ୍ତ ରିପୋର୍ଟ ନ ଆସୁଣୁ ଏଭଳି ଘଟଣା ଆପ୍ ମୁଖ୍ୟ ନିଶିକାନ୍ତ ମହାପାତ୍ରଙ୍କୁ ବ୍ୟଥିତ କରିଛି । ବାରମ୍ବାର ପୁରୀରେ ଏଭଳି ଘଟଣା କାହିଁକି ଘଟୁଛି? ଜିଲ୍ଲାପାଳ ତୁରନ୍ତ ଡିଇଓଙ୍କୁ ବଦଳି କରନ୍ତୁ ଏବଂ ପୁରୀ ସିଡବ୍ଲ୍ୟସି ମୁଖ୍ୟ ଇସ୍ତଫା ଦିଅନ୍ତୁ ବୋଲି ଆପ୍ ପକ୍ଷରୁ ଦାବି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.3 ° C
    26.3 °
    26.3 °
    50 %
    1.6kmh
    0 %
    Sun
    23 °
    Mon
    29 °
    Tue
    29 °
    Wed
    28 °
    Thu
    28 °

    ସମ୍ବନ୍ଧିତ