Friday, April 3, 2026
39.1 C
Odisha

    ମହିଳା ଚେସ୍‌‌ ବିଶ୍ବକପ୍‌‌ରେ ଇତିହାସ; ପ୍ରଥମ ଭାରତୀୟ ଭାବେ ଦିବ୍ୟା ଚମ୍ପିଆନ

    ଆଗକୁ ପଢନ୍ତୁ

    ଜର୍ଜିଆ : ଭାରତର ଦିବ୍ୟା ଦେଶମୁଖ ଫିଡେ ମହିଳା ଚେସ୍‌‌ ବିଶ୍ବକପ୍‌‌ରେ ଚମ୍ପିଆନ ହୋଇଛନ୍ତି। ସୋମବାର ଶେଷ ହୋଇଥିବା ଏହି ବିଶ୍ବକପ୍‌‌ର ଫାଇନାଲରେ ଦିବ୍ୟା ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି। ଫଳରେ ପ୍ରଥମଥର ଭାରତର ଜଣେ ମହିଳା ଖେଳାଳି ବିଶ୍ବକପ୍‌‌ ଜିତିବା ସହ ଭାରତୀୟ ଚେସ୍‌ରେ ଇତିହାସ ପ୍ରତିଷ୍ଠା କରିଛନ୍ତି। ୧୯ ବର୍ଷ ବୟସ୍କା ନାଗପୁର ବାସିନ୍ଦା ଦିବ୍ୟା ଦେଶମୁଖ ସୋମବାର ଟାଇବ୍ରେକର ଜରିଆରେ ଫାଇନାଲ ମୁକାବିଲା ଜିତି ବିଶ୍ବ ବିଜେତା ହୋଇ ପାରିଛନ୍ତି। ଟାଇଟଲ ବିଜୟ ସହ ଦିବ୍ୟା ସିଧାସଳଖ ଗ୍ରାଣ୍ଡମାଷ୍ଟର ଆଖ୍ୟା ଅର୍ଜନ କରିଛନ୍ତି। ଦିବ୍ୟା ଭାରତର ୮୮ତମ ଏବଂ ୪ର୍ଥ ମହିଳା ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ପୂର୍ବରୁ ଭାରତୀୟ ମହିଳା କୋନେରୁ ହମ୍ପି, ଆର୍. ବୈଶାଳୀ ଓ ଦ୍ରୋଣାବଳୀ ହାରିକା ଗ୍ରାଣ୍ଡମାଷ୍ଟର ହେବାର କୃତିତ୍ବ ହାସଲ କରିଥିଲେ। ଫାଇନାଲରେ ପ୍ରବେଶ କରିବା ସହ ଉଭୟ ଦିବ୍ୟା ଦେଶମୁଖ ଓ କୋନେରୁ ହମ୍ପି ବିଶ୍ବ କ୍ୟାଣ୍ଡିଡେଟ୍‌ସ ଚେସ୍‌‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତା ପୂର୍ବରୁ ଭାରତର କୌଣସି ଖେଳାଳି ମହିଳା ଚେସ୍‌‌ ବିଶ୍ବକପ୍‌‌ର ଫାଇନାଲରେ ପ୍ରବେଶ କରି ନଥିଲେ। ରନର୍ସ ଅପ୍‌‌ ହୋଇଥିବା ୩୮ ବର୍ଷ ବୟସ୍କା କୋନେରୁ ହମ୍ପି ଟାଇବ୍ରେକରରେ ତ୍ରୁଟି କରିଥିଲେ। ଫିଡେ ମହିଳା ବିଶ୍ବକପ୍‌‌ରେ ଫାଇନାଲ ମୁକାବିଲା କ୍ଲାସିକ ପର୍ଯ୍ୟାୟରେ ୨ ରାଉଣ୍ଡ ବିଶିଷ୍ଟ ହୋଇଥାଏ। ଏଥିରେ ଫଳାଫଳ ନ ମିଳିଲେ ଟାଇବ୍ରେକର​‌େ​‌ର ଫଇସଲା ପାଇଁ ରାପିଡ ପର୍ଯ୍ୟାୟରେ ଆଉ ୨ ରାଉଣ୍ଡ ଖେଳା ଯାଇଥାଏ। ଦିବ୍ୟା ଦେଶମୁଖ ଓ କୋନେରୁ ହମ୍ପିଙ୍କ ମଧ୍ୟରେ ଏହି ଫାଇନାଲରେ ଶନିବାର ଓ ରବିବାର କ୍ଲାସିକ୍‌‌ ପର୍ଯ୍ୟାୟର ୨ଟି ଯାକ ରାଉଣ୍ଡ ଡ୍ର ରହିଥିଲା। ଫଳରେ ସୋମବାର ୠାପିଡ୍‌ ପର୍ଯ୍ୟାୟର ଟାଇବ୍ରେକର ହୋଇଥିଲା। ଏଥିରେ ଦିବ୍ୟା ଦେଶମୁଖ ୧.୫-୦.୫ ପଏଣ୍ଟରେ ବିଜୟୀ ହୋଇଥିଲେ। ସୋମବାର ଟାଇବ୍ରେକରରେ ହମ୍ପିଙ୍କ ତ୍ରୁଟିରୁ ଦିବ୍ୟା ପୂରା ଫାଇଦା ଉଠାଇ ଦ୍ୱିତୀୟ ରାଉଣ୍ଡ ସହ ଫାଇନାଲ ଜିତି ଚମ୍ପିଆନ୍‌ ହେବା ସହ ଇତିହାସ ସୃଷ୍ଟି କରିଥିଲେ। ମହିଳା ଚେସ୍‌‌ ବିଶ୍ବକପ୍‌‌ରେ ଚମ୍ପିଆନ୍‌ ହେବା ଫଳରେ ଦିବ୍ୟାଙ୍କୁ ୫୦, ୦୦୦ ଡଲାର ବା ଭାରତୀୟ ମୁଦ୍ରାରେ ୪୧.୬ ଲକ୍ଷ ଟଙ୍କା ଏବଂ ରନର୍ସ ଅପ୍‌‌ ହମ୍ପି ୩୫,୦୦୦ ଡଲାର ବା ୨୯.୧ ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି। ବିଶ୍ବର ୧ନଂ କନିଷ୍ଠ ମହିଳା ଖେଳାଳି ଦିବ୍ୟା ଦେଶମୁଖ ଏହି ଟୁର୍ଣ୍ଣାମେଣ୍ଟରେ ୧୫ଶ ସିଡ୍‌ ଥିଲେ। କିନ୍ତୁ ଦିବ୍ୟା ଚମତ୍କାର ପ୍ରଦର୍ଶନ କରିଥିଲେ। ଦିବ୍ୟା କ୍ରମାଗତ ୪ ଜଣ ଗ୍ରାଣ୍ଡମାଷ୍ଟରଙ୍କୁ ପରାସ୍ତକରି ଟାଇଟଲ ଜିତିଥିଲେ।

    ଚମ୍ପିଆନ୍‌ ଦିବ୍ୟାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି- ପ୍ରଥମ ଭାରତୀୟ ଭାବେ; ପୁଣି ମାତ୍ର ୧୯ ବର୍ଷ ବୟସରେ ମହିଳା ଚେସ୍‌‌ ବିଶ୍ବକପ୍‌‌ ଚମ୍ପିଆନ ହୋଇଥିବା ଦିବ୍ୟା ଦେଶମୁଖଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। କୋନେରୁ ହମ୍ପି ରନର୍ସଅପ୍ ହୋଇଛନ୍ତି। ଉଭୟ ଫାଇନାଲିଷ୍ଟ ଭାରତୀୟ ହେବା ପ୍ରମାଣ କରୁଛି ଯେ ଦେଶରେ; ବିଶେଷକରି ମହିଳାଙ୍କ ମଧ୍ୟରେ ବହୁତ ପ୍ରତିଭା ରହିଛନ୍ତି। ମୁଁ ନିଶ୍ଚିତ ଯେ ଏହି ଦୁଇ ଖେଳାଳି ଭବିଷ୍ୟତରେ ଯୁବ ପିଢ଼ିଙ୍କୁ ପ୍ରେରଣା ଯୋଗାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି- ଦୁଇ ଚମତ୍କାର ଭାରତୀୟଙ୍କ ମଧ୍ୟରେ ଐତହାସିକ ଫାଇନାଲ। ଯୁବ ଖେଳାଳି ଦିବ୍ୟା ଦେଶମୁଖ ମହିଳା ଚେସ୍‌‌ ବିଶ୍ବକପ୍‌‌ ଚମ୍ପିଆନ ହୋଇଥିବାରୁ ବହୁତ ଗର୍ବିତ। ତାଙ୍କର ଉଲ୍ଲେଖନୀୟ କୃତିତ୍ବ ପାଇଁ ବହୁତ ଅଭିନନ୍ଦନ। ଏହା ଆମ ଯୁବ ପିଢ଼ିକୁ ପ୍ରେରଣା ଯୋଗାଇବ। ପୁରା ଟୁର୍ଣ୍ଣାମେଣ୍ଟରେ କୋନେରୁ ହମ୍ପି ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଉଭୟଙ୍କ ଭବିଷ୍ୟତ ପାଇଁ ବହୁତ ଶୁଭକାମନା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ