Friday, April 3, 2026
39.1 C
Odisha

    ମହୁଆ‌ ମୈତ୍ରଙ୍କୁ ବାହା ହେଲେ ପିନାକୀ ମିଶ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୁରୀର ପୂର୍ବତନ ସାଂସଦ ତଥା ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ଜର୍ମାନୀରେ ତୃଣମୂଳ କଂଗ୍ରେସର ବହୁଚର୍ଚ୍ଚିତ ସାଂସଦ ମହୁଆ ମୈତ୍ରଙ୍କୁ ବିବାହ କରିଛନ୍ତି। ଜାତୀୟ ଗଣମାଧ୍ୟମ ଓ ଦିଲ୍ଲୀର ରାଜନୈତିକ ମହଲରେ ଏହି ହାଇପ୍ରୋଫାଇଲ୍‌ ବାହାଘର ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଲିନର ବ୍ରାଣ୍ଡେନ୍‌ବର୍ଗ ଗେଟ୍‌ ସାମ୍ନାରେ ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ୍‌ ହେଉଛି। କିଛି ନିର୍ଦ୍ଦିଷ୍ଟ ଅତିଥିଙ୍କ ଉପସ୍ଥିତିରେ ଗତ ମାସ ୩ ତାରିଖରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିବା କୁହାଯାଉଛି। ଫଟୋରେ ପିନାକୀ ଓ ମହୁଆ ପରସ୍ପରକୁ ହାତ ଧରିଛନ୍ତି, ନବବିବାହିତ ଭଳି ପାରମ୍ପରିକ ପୋଷାକ ଓ ଭାରି ସୁନା ଅଳଙ୍କାରରେ ମହୁଆ ସଜ୍ଜିତ ହୋଇଛନ୍ତି, ଯାହା ଆନୁଷ୍ଠାନିକ ବିବାହକୁ ସୂଚିତ କରୁଛି। ବିବାହ ଖବରକୁ ମହୁଆ ଫୋନ୍‌ ଯୋଗେ ଏକ ଜାତୀୟ ଗଣମାଧ୍ୟମରେ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ପିନାକୀ ମିଶ୍ରଙ୍କର କୌଣସି ମତାମତ ହସ୍ତଗତ ହୋଇନାହିଁ।

    ୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ବିତୀୟ ବିବାହ। ପୂର୍ବରୁ ସେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି। ପିନାକୀ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଜଣେ ଅଭିଜ୍ଞ ରାଜନେତା ଓ ଆଇନଜୀବୀ ରୂପେ ପିନାକୀ ଦିଲ୍ଲୀର ରାଜନୈତିକ ଓ ସାମାଜିକ ମହଲରେ ବେଶ୍‌ ପରିଚିତ। ତାଙ୍କର ରାଜନୈତିକ ଯାତ୍ରା କଂଗ୍ରେସରୁ ଆରମ୍ଭ ହୋଇଥିଲା। ୧୯୯୬ରେ ସେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟ୍‌ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇ ତିନି ଥର ପୁରୀରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ। ୨୦୨୪ ନିର୍ବାଚନରେ ସେ ଲଢ଼ି ନଥିଲେ। ତାହା ପରଠାରୁ ରାଜ୍ୟ ରାଜନୀତିରେ ସେ ସକ୍ରିୟ ନାହାନ୍ତି।

    ଅପରପକ୍ଷରେ,୧୯୭୪ ମସିହାରେ ଆସାମରେ ଜନ୍ମ ଗ୍ରହଣ କରିଥିବା ମହୁଆ ତାଙ୍କ କ୍ୟାରିଅର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ରୂପେ ଆରମ୍ଭ କରିଥିଲେ। ବିଦେଶରୁ ଚାକିରି ଛାଡ଼ି ସେ ଭାରତ ଫେରିବା ପରେ ରାଜନୀତିରେ ପାଦ ଦେଇ କଂଗ୍ରେସରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୦ରେ ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ। ୨୦୧୬ରେ ମହୁଆ କରିମପୁର ବିଧାନସଭା କ୍ଷେତ୍ରରୁ ଏବଂ ୨୦୧୯‌ରେ ସେ ପ୍ରଥମଥର ପାଇଁ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମୋଦୀ ସରକାରଙ୍କ ଦୃଢ଼ ସମାଲୋଚକ ଭାବେ ପରିଚିତ ମହୁଆ ତାଙ୍କ ଭାଷଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି।  ହେଲେ ଡିସେମ୍ବର ୮,୨୦୨୩ରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା  ଅଭିଯୋଗରେ ନୈତିକତା କମିଟିର ସୁପାରିସ ଆଧାରରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ତେବେ ୨୦୨୪ରେ ସେ ପୁନଃ ନିର୍ବାଚିତ ହୋଇଥିଲେ। ପ୍ରଥମ ସ୍ବାମୀ ଲାର୍ସ ବ୍ରରସନଙ୍କୁ ଛାଡ଼ପତ୍ର ଦେବା ପରେ ଜଣେ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କ ସହ ମହୁଆଙ୍କର ପ୍ରେମ ସଂପର୍କ ରହିଥିଲା। ହେଲେ ତାଙ୍କ ଠାରୁ କିଛି ବର୍ଷ ତଳେ ମହୁଆ ଅଲଗା ହୋଇଯାଇଥିଲେ।

    ସୂଚନାଯୋଗ୍ୟ, ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ମାମଲାରେ ଦର୍ଶନ ହିରାନନ୍ଦାନୀଙ୍କ ଦ୍ବାରା ନୈତିକତା କମିଟିକୁ ଦିଆଯାଇଥିବା ସତ୍ୟପାଠ ଅନୁସାରେ ତତ୍କାଳୀନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଭୂମିକା ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରିବାକୁ ବିଜେପି ଦାବି କରିଥିଲା। ହେଲେ ପିନାକୀ ବିଜେପିର ଅଭିଯୋଗକୁ ଅସ୍ବୀକାର କରିବା ସହିତ ମିଥ୍ୟା ଅଭିଯୋଗ ପାଇଁ ପାଲଟା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ