ଭଦ୍ରକ: ଗାଁ ମାଟିରେ ଜନ୍ମିତ ଜଣେ ସାଧାରଣ ପରିବାରର ଝିଅ କମାଲ ଦେଖାଇଛନ୍ତି ଟିଭିର ଏକ ରିଏଲିଟି ସୋରେ । ଆଉ ନିଜ ଗାଁ ଓ ଜିଲ୍ଲା ପାଇଁ ଆଣିଲେ ଗୌରବ । ଏଭଳି ଗୌରବ ଆଣିଥିବା ଝିଅ ହେଉଛନ୍ତି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ଥ ରଇପୁର ପଞ୍ଚାୟତ କାଠମୁଣ୍ଡା ଗାଁରେ ପ୍ରଶାନ୍ତ କୁମାର ନାୟକଙ୍କ ସାନ ଝିଅ ବିଶ୍ୱରୂପା ନାୟକ । ବିଶ୍ୱରୂପା ଏକ ଘରୋଇ ଟିଭିର ମେଗା ରିଏଲିଟି ସୋ ରଜ କୁଇନ ପ୍ରତିଯୋଗିତାରେ ଚଳିତ ବର୍ଷ ଅଂଶ ଗ୍ରହଣ କରିଥିଲେ । ସେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ନିଜର ବହୁ ବିଦ୍ଧ ପ୍ରତିଭା ଦେଖାଇଥିଲେ । ପ୍ରାଥମିକ ପର୍ଯ୍ୟାୟରୁ ଚୂଡାନ୍ତ ପର୍ଯାୟ ପର୍ଯ୍ୟନ୍ତ ବିବିଧ କଳା କୌଶଳ, ନୃତ୍ୟ ଗୀତ, ଅଭିନୟ, ସାଧାରଣ ଜ୍ଞାନ ଏବଂ ଓଡିଶାର ପରମ୍ପରା ଆଦିକୁ ନେଇ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଗ୍ରାଣ୍ଡ ଫାଇନାଲକୁ ଯାଇଥିଲେ । ଶେଷରେ ସେ ଦ୍ୱିତୀୟ ଶ୍ରେଷ୍ଠ ରଜ କୁଇନ ହୋଇ ୫୦ ହଜାର ଟଙ୍କା ସହିତ ରୂପା ମୁକୁଟ ଓ ସୁନା ହାର ଆଦି ପୁରସ୍କାର ସୁରୂପ ପାଇଛନ୍ତି ।
ଏନେଇ ବିଶ୍ୱରୂପାଙ୍କ ପୁରା ପରିବାରରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ସହିତ ତାଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ନିଜର ଏକାଗ୍ରତା ଓ ପ୍ରତିଯୋଗୀ ମନୋଭାବ ଓ ପରିବାର ଲୋକଙ୍କ ପ୍ରେରଣା ଯୋଗୁଁ ସେ ଗାଁରୁ ଯାଇ ଏହି ମେଗା ରିଏଲିଟି ସୋ’ରେ ଭାଗ ନେଇ ସଫଳତା ପାଇଛନ୍ତି ବୋଲି ବିଶ୍ୱରୂପା କହିଛନ୍ତି । ସେହିପରି ବିଶ୍ୱରୂପା ପୂର୍ବରୁ କୌଣସି ସୋ’ ରେ ଅଂଶ ଗ୍ରହଣ ନକରି ସିଧା ଏପରି ବଡ଼ ମେଗା ସୋ’ରେ ଅଂଶ ଗ୍ରହଣ କରି ସଫଳତା ହାସଲ କରିଥିବାରୁ ତାଙ୍କ ବାପା ମା’ ଓ ଭଉଣୀ ବେଶ ଖୁସି ଅଛନ୍ତି ।
ଅଭିନେତ୍ରୀ ହେବାର ସ୍ବପ୍ନ ଦେଖୁଥିବା ଝିଅମାନେ ରଜ କୁଇନରେ ଭାଗ ନେଇଥାଆନ୍ତି । ପ୍ରତିଯୋଗୀମାନେ ବିଭିନ୍ନ ପର୍ଯ୍ୟାୟରେ ନିଜର କଳା ପ୍ରଦର୍ଶନ କରି ଶେଷ ପର୍ଯ୍ୟାୟରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ ପହଞ୍ଚି ବିଜେତା ହୋଇ ରଜ କୁଇନ୍ ମୁକୁଟ ପିନ୍ଧିଥାଆନ୍ତି । ତେବେ ରଜ କୁଇନ ପ୍ରତିଯୋଗୀତାରେ ସାମିଲ ହୋଇ ବିଶ୍ବରୂପା ଯେଉଁ ସଫଳତା ପାଇଛନ୍ତି ସତରେ ପ୍ରଶଂସନୀୟ । ଭବିଷ୍ୟତରେ ସେ ଜିଲ୍ଲା କି ରାଜ୍ୟ ନୁହେଁ, ସମଗ୍ର ଦେଶରେ ସୁନାମ ଅର୍ଜନ କରନ୍ତୁ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି ।