Friday, April 3, 2026
36.1 C
Odisha

    ରେଳ ପୋଲରେ ରିଲ୍‌ସ କରୁଥିଲେ: କୋଏଲ ନଦୀରେ ଖସିପଡ଼ି ଛାତ୍ରଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ରାଉରକେଲା : ରେଳପୋଲ ଉପରେ ସାଙ୍ଗମାନଙ୍କ ସହ ରିଲ୍‌ସ କରିବା କାଳ ହୋଇଛି। ରେଳପୋଲ ତଳ କୋଏଲ ନଦୀକୁ ଖସିପଡ଼ି ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ସାଙ୍ଗ ବର୍ତ୍ତିଯାଇଛନ୍ତି। ମୃତକ ହେଲେ ସୁନ୍ଦରଗଡ଼ ଟାଙ୍ଗରମୁଣ୍ଡାର ସ୍ବାଧୀନ ଓରାମ (୧୯)। ଅନ୍ୟ ତିନି ସାଙ୍ଗ ହେଲେ ସମ୍ବଲପୁର ମହୁଲପାଲିର ପିଣ୍ଟୁ ବନ୍‌ଛୋର (୧୯), ମଧୁସୂଦନପାଲିର ତରୁଣ କୁମାର ଦାସ (୧୮), ରାଉରକେଲା ସେକ୍ଟର-୨୧ ନନ୍ଦପନାର ରୁଦ୍ରାକ୍ଷ ଛୋରା (୧୮)। ଏମାନେ ସମସ୍ତେ ରାଉରକେଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଆଇଟିଆଇ ଛାତ୍ର।

    ମିଳିଥିବା ସୂଚନା ମୁତାବକ ସ୍ବାଧୀନ, ପିଣ୍ଟୁ, ରୁଦ୍ରାକ୍ଷ ଓ ତରୁଣ ଆଇଟିଆଇ ପଢ଼ୁଛନ୍ତି। ସେହି ଶିକ୍ଷାନୁଷ୍ଠାନର ହଷ୍ଟେଲରେ ସ୍ବାଧୀନ ଓ ପିଣ୍ଟୁ ରହୁଥିଲେ। ତରୁଣ ଓ ରୁଦ୍ରାକ୍ଷଙ୍କ ଘର ରାଉରକେଲାରେ ହୋଇଥିବାରୁ ସେମାନେ ଘରୁ ଯିବାଆସିବା କରୁଥିଲେ। ଗତକାଲି ରବିବାର ଛୁଟି ଥିବାରୁ ଅପରାହ୍‌ଣ ପ୍ରାୟ ୩ଟାରେ ତରୁଣ ଓ ରୁଦ୍ରାକ୍ଷଙ୍କ ସ୍କୁଟିରେ ସ୍ବାଧୀନ, ପିଣ୍ଟୁ ଆଇଟିଆଇଠୁ ପ୍ରାୟ ୮ କିମି ଦୂର ପ୍ରଧାନପାଲି‌ ରେଳପୋଲ ନିକଟସ୍ଥ କୋଏଲ ନଦୀକୁ ଆସିଥିଲେ। ରେଳପୋଲ ଉପରେ ଚଢ଼ି ରିଲ୍‌ସ କରୁଥିଲେ। ସ୍ବାଧୀନ ପୋଲ ପିଲ୍‌ର ଉପରେ ଚଢ଼ି ନାଚିବାବେଳେ ଅନ୍ୟ ସାଙ୍ଗମାନେ ମଧ୍ୟ ମୋବାଇଲରେ ରିଲ୍‌ସ କରୁଥିଲେ। ହଠାତ୍‌ ଗୋଡ଼ ଖସିଯିବାରୁ ସ୍ବାଧୀନ ପିଲର୍‌ରେ ପିଟି ହୋଇ ପ୍ରାୟ ୫୦ଫୁଟ୍‌ ତଳ କୋଏଲ ନଦୀକୁ ଖସିପଡ଼ି ଭାସି ଯାଇଥିଲେ। ରେଳ ପୋଲ ଉପରେ ସୁଟିଂ କରୁଥିବା ଅନ୍ୟ ତିନି ସାଙ୍ଗ ପାଟି କରିବାରୁ ସ୍ଥାନୀୟ ଲୋକ ପହଞ୍ଚି ସ୍ବାଧୀନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଅଗ୍ନିଶମ କର୍ମଚାରୀ, ଛେଣ୍ଡ ପୁଲିସ ପହଞ୍ଚି ପ୍ରାୟ ୨ ଘଣ୍ଟା ଖୋଜାଖୋଜି ପରେ ସ୍ବାଧୀନଙ୍କ ମୃତଦେହ ଉଦ୍ଧାର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ