କୋଟପାଡ଼: ଏବେ ବି ରହିଛି ଶାଳ ପତ୍ରର ଚାହିଦା । ମହିଳାଙ୍କୁ ଶାଳ ପତ୍ର ଦେଉଛି ରୋଜଗାର । ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ସମ୍ପ୍ରଦାୟ । ଆଜି କାଲି ବଜାରରେ ଯେଉଁଠି ଦେଖିବ ସେଇଠି କେବଳ ପ୍ଲାଷ୍ଟିକ ଥାଳି ଓ ପ୍ଲେଟ ଦେଖିବାକୁ ମିଳିବ । କିନ୍ତୁ ଆଜି ବି କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ରହିଛି ଶାଳପତ୍ରର ଚାହିଦା । ଶାଳ ପତ୍ର ଗୋଟାଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଆଦିବାସୀ ମହିଳାମାନେ । କୋରାପୁଟିଆ ଭାଷାରେ ଏହାକୁ ସର୍ଗୀପତ୍ର ବୋଲି ମଧ୍ୟ କୁହାଯାଏ । ମହିଳାମାନେ ଜଙ୍ଗଲକୁ ଯାଇ ଏହି ପତ୍ରକୁ ଗୋଟେଇ ଆଣିଥାନ୍ତି । ସେହି ପତ୍ରରେ ଖଲି,ଦନା ତିଆରି କରି ନିଜେ ବ୍ୟବହାର କରିବା ସହ ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର ମଧ୍ୟ କରିଥାନ୍ତି ।
ପରମ୍ପରା ସହିତ ପର୍ବପର୍ବାଣୀ ଓ ପୂଜାବିଧିରେ ଶାଳ ପତ୍ରର ରହିଛି ବିଶେଷ ଚାହିଦା । ବର୍ଷ ବର୍ଷ ଧରି କୋଟପାଡ଼ ମଲଚାମାଲ୍ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା କରି ଆସୁଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଜଙ୍ଗଲକୁ ଦୂର ଦୂରାନ୍ତରୁ ମହିଳାମାନେ ଶୀତ ଓ ଖରା ଦିନରେ ଆସି ଶାଳ ପତ୍ର ଗୋଟେଇ ନେଇଥାନ୍ତି । ବର୍ଷା ଦିନରେ ଶାଳ ପତ୍ର ପଡିଥିବା ସ୍ଥାନରେ ମାଟି ତଳୁ ଏକ ପ୍ରକାର ସ୍ୱାଦିଷ୍ଟ ଜିନିଷ ମିଳିଥାଏ । ଯାହାକୁ “ବଡା” ବୋଲି କୁହାଯାଏ । ଧନୀ ଠାରୁ ଆରମ୍ଭ କରି ଗରିବ ସମସ୍ତେ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି । ବଜାରରେ ଏହାର ମୂଲ୍ୟ କିଲୋ ପିଛା ୧୦୦୦ ରୁ ୨୦୦୦ ମଧ୍ୟରେ ରହିଥାଏ ।
କୋଟପାଡ଼ ଅଞ୍ଚଳର ଆଦିବାସୀ ଲୋକେ ଜଙ୍ଗଲକୁ ମା’ ବୋଲି ମାନିଥାନ୍ତି ଏଵଂ ଜଙ୍ଗଲର ସୁରକ୍ଷା ମଧ୍ୟ କରିଥାନ୍ତି । ତେବେ ପ୍ରଶାସନ ତରଫରୁ ଜଙ୍ଗଲରେ ଅଧିକରୁ ଅଧିକ ବୃଷ ରୋପଣ କରାଗଲେ ଉପକୃତ ହେବେ ବୋଲି କହିଛନ୍ତି ଅଞ୍ଚଳବାସୀ ।

