ସମ୍ପତ୍ତି ପାଇଁ ହୋଇଥିବା ଡବଲ ମର୍ଡର ଘଟଣାରେ ଜେଲ ଗଲେ ଦମ୍ପତି । ୨୦୧୬ମସିହାରେ କୁଆଖିଆ ଥାନା ପ୍ରଥମାଖଣ୍ଡରେ ଜମିବାଡ଼ି ଓ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଡବଲ ମର୍ଡର ଘଟଣାର ରାୟ ପ୍ରକାଶ। ଅଭିଯୁକ୍ତ ଦମ୍ପତି ନୀଳମଣି ସେଠୀ ଓ ବିଳାସି ସେଠୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲା ଓ ଦୌରା ଜଜ ବିଶେଶ୍ବର ବିଶ୍ୱ ପ୍ରକାଶ ରାୟ । ୨୦ଜଣ ସାକ୍ଷ ପ୍ରମାଣ ଓ ୧୯ଗୋଟି ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଦମ୍ପତିଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ସହ ଅନାଦେୟ ଅଧିକ ୧୨ମାସ ଜେଲ ପାଇଁ ରାୟ ପ୍ରକାଶ କରିଛନ୍ତି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜୟଦେବ ମିଶ୍ର ଓ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର(କ୍ୟାଡର) ବିପ୍ଳବ କୁମାର ମୁଦୁଲି ପରିଚାଳନା କରିଥିଲେ।
ସୂଚନା ଅନୁସାରେ ୨୦୧୬ରେ କୁଆଖିଆ ଥାନା ଅନ୍ତର୍ଗତ ପ୍ରଥମାଖଣ୍ଡି ଗ୍ରାମରେ ଅଭିଯୁକ୍ତ ଦମ୍ପତି ନୀଳମଣି ଓ ବିଳାସୀ ନିଜ ସାନ ଭାଇ ସୁଶିଲ ସେଠୀ ଓରଫ ଗେଡ଼ ଓ ତାଙ୍କ ସ୍ତ୍ରୀ ଝରଣା ସେଠୀଙ୍କୁ ଜମି ବାଡି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ କୋଦାଳ ବେଣ୍ଟରେ ମାଡ ମାରି ଗୁରୁତର କରିଥିଲେ । ଆହତ ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମେଡିକାଲରେ ଭର୍ତ୍ତି ହେବାର ୨୪ ଘଣ୍ଟା ଭିତରେ ସ୍ତ୍ରୀ ଝରଣା ସେଠୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାର ୨ଦିନ ପରେ ସ୍ଵାମୀ ସୁଶୀଲ ସେଠୀଙ୍କର ମୃତ୍ୟୁ ହୋଇଥିଲା । ମୃତ ସୁଶିଲ ସେଠୀଙ୍କ ସମ୍ପର୍କୀୟ ଭାଇ ଶ୍ୟାମ ସୁନ୍ଦର ସେଠୀ ଏହି ଘଟଣାକୁ ନେଇ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କୁଆଖିଆ ପୋଲିସ ଉଭୟ ନୀଳମଣି ସେଠୀ ଓ ତାଙ୍କ ସ୍ତ୍ରୀ ବିଳାସୀ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।