ଝାଡ଼ଖଣ୍ଡ : ଶନିବାର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ମାଓ ବିରୋଧୀ ଅଭିଯାନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସରଣ୍ଡାର ଘନ ଜଙ୍ଗଲରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା IED ବିସ୍ଫୋରଣ ହେବାରୁ ସିଆରପିଏଫର ୨୦୯ତମ କୋବ୍ରା ବାଟାଲିୟନର ୨ ଜଣ ସୈନିକ ଆହତ ହୋଇଛନ୍ତି । ଆହତ ସୈନିକଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ସୂଚନାନୁଯାୟୀ, ଛୋଟା ନାଗରା ପୋଲିସ ଷ୍ଟେସନ ଅଞ୍ଚଳର ଚାଦ୍ରି ଡେରା ଗାଁ ନିକଟରେ ଏହି ଘଟଣା ଘଟିଛି । ଜିଲ୍ଲା ପୋଲିସ ଏବଂ ସିଆରପିଏଫର ଏକ ଟିମ୍ ଏହି ବିଦ୍ରୋହୀ ପ୍ରଭାବିତ ଅଞ୍ଚଳରେ ପ୍ରତିବନ୍ଧିତ ସଂଗଠନ ଭାକପା (ମାଓବାଦୀ)ର କ୍ୟାଡରଙ୍କ ବିରୋଧରେ ଏକ ସର୍ଚ୍ଚ ଅପରେସନ୍ କରୁଥିଲେ । ସେହି ସମୟରେ ନକ୍ସଲମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ଏକ ପ୍ରେସର IED ଉପରେ ସୁରକ୍ଷା କର୍ମୀମାନେ ପାଦ ଦେଇଥିଲେ । ଯାହା ଫଳରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ତୁରନ୍ତ ଆହତ ସୈନିକମାନଙ୍କୁ ଜଙ୍ଗଲରୁ ବାହାରକୁ ଆଣି ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କ ଉନ୍ନତ ଚିକିତ୍ସା ପାଇଁ ହେଲିକପ୍ଟର ମାଧ୍ୟମରେ ରାଞ୍ଚିକୁ ନିଆଯାଇଥିଲା ।
ଅନ୍ୟପଟେ ଆକ୍ରମଣ ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି କମ୍ବିଂ ଅପରେସନକୁ ଜୋରଦାର କରିଛି । ଜିଲ୍ଲା ପ୍ରଶାସନ ସ୍ଥାନୀୟ ଗ୍ରାମବାସୀଙ୍କୁ ବିନା କାରଣରେ ଜଙ୍ଗଲ ଭିତରକୁ ନ ଯିବାକୁ ଏବଂ କୌଣସି ସନ୍ଦିଗ୍ଧ ଜିନିଷ କିମ୍ବା ଗତିବିଧି ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ନିବେଦନ କରିଛି ।

