Monday, August 31, 2026
24.4 C
Odisha

    ସରଳ ହେଲା ଆୟକର ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ‌ ‌ସୋମବାର ଉପସ୍ଥାପନ କରିଥିବା ଆୟକର ବିଲ୍‌ (ସଂଖ୍ୟା.୨) ଲୋକସଭାରେ ବାଚନିକ ଭୋଟ୍‌ରେ ଗୃହୀତ ହୋଇଛି। ଏଥର ନିୟମକୁ ଆହୁରି ସରଳ ଓ ସ୍ପଷ୍ଟ କରାଯାଇଛି। ପୂର୍ବରୁ ରହିଥିବା ସମସ୍ତ ଦ୍ବନ୍ଦ୍ବକୁ ଦୂର କରାଯାଇଛି। ବିଳମ୍ବିତ ରିଟର୍ଣ୍ଣ ପାଇଁ ରିଫଣ୍ଡ୍‌, ଘର ସମ୍ପତ୍ତିରୁ ହେଉଥିବା ଆୟ ଉପରେ ଟିକସ, ପେନ୍‌ସନ୍ ଛାଡ଼, କର୍ପୋରେଟ୍‌ ଲାଭାଂଶ କାଟ ଆଦିକୁ ଅତି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଅଣଲାଭଦାୟକ ସଂସ୍ଥା ଓ ଦାତବ୍ୟ ଅନୁଷ୍ଠାନ ସଂଜ୍ଞାକୁ ମଧ୍ୟ ସରଳ ଭାବେ ବୁଝାଇ ଦିଆଯାଇଛି। ନୂଆ ଆୟକର ବିଲ୍‌ ପାସ୍‌ ହେବା ଏକ ମାଇଲଖୁଣ୍ଟ ସଫଳତା। କାରଣ ଏହା ଷାଠିଏ ବର୍ଷ ପୁରୁଣା ଆୟକର ନିୟମ ୧୯୬୧ ସ୍ଥାନରେ ଲାଗୁ ହେବ। ଗତ ଫେବ୍ରୁଆରିରେ ସରକାର ଏହି ବିଲ୍‌କୁ ସଂସଦରେ ଉପସ୍ଥାପନ କରିଥିଲେ। ଏହାପରେ ତାହାକୁ ଅନୁଧ୍ୟାନ କରିବା ଲାଗି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ସଂସଦୀୟ ସିଲେକ୍ଟ କମିଟିକୁ ପଠାଇ ଦିଆଯାଇଥିଲା। କମିଟି ୪୫୭୫ ପୃଷ୍ଠାର ରିପୋର୍ଟରେ ୨୮୫ ସୁପାରିସ କରିଥି‌ଲେ। ସମସ୍ତ ସୁପାରିସକୁ ସରକାର ନୂଆ ରିପୋର୍ଟରେ ସାମିଲ କରିଛନ୍ତି। ବିଲ୍‌ର କେତେକ ବିଷୟକୁ ନେଇ ଦ୍ବନ୍ଦ୍ବ ଥିବା ଜଣାପଡ଼ିବା ପରେ ଗତ ଶୁକ୍ରବାର ହଠାତ୍‌ ବିଲ୍‌କୁ ସରକାର ପ୍ରତ୍ୟାହାର କରିନେଇଥିଲେ। ସେଥିରେ ଆବଶ୍ୟକ ସଂଶୋଧନ କରିବା ପରେ ପୁଣି ତାହାକୁ ଉପସ୍ଥାପନ କରିଥିଲେ। ବିଲ୍ ପ୍ରତ୍ୟାହାର ସମ୍ପର୍କରେ ଅର୍ଥମନ୍ତ୍ରୀ କହିଥିଲେ ଯେ ମିଳିଥିବା କିଛି ସୁପାରିସକୁ ବିଲ୍‌ରେ ସାମିଲ କରିବାର ଆବଶ୍ୟକତା ଥିଲା। କେତେକ ବାକ୍ୟକୁ ସଜାଡ଼ିବା କାର୍ଯ୍ୟ ହୋଇଥିଲା ଓ କ୍ରମାନ୍ବୟ ଅନୁସାରେ କିଛିଟା ପରିବର୍ତ୍ତନ କରାଯାଇଥିଲା। ମୁଖ୍ୟତଃ ଯେଉଁ କିଛିଟା ଦ୍ବନ୍ଦ୍ବ ରହିଥିଲା, ତାହା ଦୂର କରିବା ଲାଗି ବିଲ୍‌ ପ୍ରତ୍ୟାହାର କରାଯାଇଥିବା ସେ କହିଥିଲେ। ନୂଆ ବିଲ୍‌ରେ ସରଳ ଭାଷା ବ୍ୟବହାର କରାଯାଇଛି ଏବଂ ନିୟମ ପାଳନକୁ ସହଜ କରିବା ଲାଗି ବିଭିନ୍ନ ବ୍ୟବସ୍ଥା କରାଯାଇଛି। କିଛି ଅପରାଧର ଦଣ୍ଡ କୋହଳ କରାଯାଇଛି। ଟିକସ ସ୍ଲାବ୍, ପୁଞ୍ଜି ଲାଭ ନିୟମ ଓ ଆୟ ବର୍ଗରେ କିନ୍ତୁ କୌଣସି ପରିବର୍ତ୍ତନ କରାଯାଇନାହିଁ। ‘ପ୍ରଥମେ ବିଶ୍ବାସ, ପରେ ଯାଞ୍ଚ’ ମାଧ୍ୟମରେ ମାମଲା ହ୍ରାସ କରିବାକୁ ପ୍ରୟାସ କରାଯାଇଛି। ଆକଳନ ବର୍ଷ ସ୍ଥାନରେ ଟିକସ ବର୍ଷ ଶବ୍ଦ ବ୍ୟବହାର କରାଯାଇଛି। ବିଲ୍‌ରେ ୨୩ଟି ଅଧ୍ୟାୟ, ୫୩୬ଟି ଧାରା, ୧୬ଟି ସୂଚୀ ଏବଂ ସହଜ ବ୍ୟାଖ୍ୟା ପାଇଁ ସାରଣୀ ଓ ସୂତ୍ର ବ୍ୟବହାର କରାଯାଇଛି। ଆଜି ଲୋକସଭାରେ ଟିକସ ନିୟମ (ସଂଶୋଧନ) ବିଲ୍‌ ମଧ୍ୟ ଗୃହୀତ ହୋଇଛି। ଏହାର ଲକ୍ଷ୍ୟ ହେଉଛି ୟୁନିଫାଏଡ୍‌ ପେନ୍‌ସନ୍ ସ୍କିମ୍‌ (ୟୁପିଏସ୍‌) ସବ୍‌ସ୍କ୍ରାଇବର୍‌ମାନଙ୍କୁ ଟିକସ ଛାଡ଼ ସୁବିଧା ପ୍ରଦାନ କରିବା। ଉଭୟ ଆୟକର ନିୟମ ଓ ଟିକସ ସଂଶୋଧନ ବିଲ୍‌ରେ ଥିବା ବ୍ୟବସ୍ଥାକୁ ବିରୋଧୀ ଦଳଗୁଡ଼ିକ ବି‌ରୋଧ କରିବା ସହ ପ୍ରତିବାଦ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    95 %
    2.7kmh
    100 %
    Mon
    24 °
    Tue
    26 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ