ସୁସ୍ଥ ଶରୀର ପାଇଁ କିଏ ବା ନଚାହେଁ । କାହାଁକି ନା ସ୍ବାସ୍ଥ୍ୟ ହିଁ ସମ୍ପଦ । ସୁସ୍ଥ ରହିବାକୁ ହେଲେ ଭଲ ଖାଦ୍ୟର ଆବଶ୍ୟକତା ରହିଛି । ପନିପରିବା ହେଉ ଅବା ଫଳମୂଳ । ଆମେ ଅନେକ ସମୟରେ ଅନେକ ପ୍ରକାରର ଫଳ ଖାଇଥାଉ । ଯାହାଫଳରେ ଆମ ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ । ସେହି ସବୁ ଲାଭକାରୀ ଫଳ ମଧ୍ୟରୁ ଡାଳିମ୍ବ ହେଉଛି ଅନ୍ୟତମ ।
ଡାଳିମ୍ବ ଯେତିକି ସ୍ବାଦିଷ୍ଟ ସୁସ୍ଥ ଶରୀର ପାଇଁ ସେତିକି ଫଳପ୍ରଦ ହୋଇଥାଏ । ସାଧାରଣତଃ ଆମେ ଡାଳିମ୍ବର ଉପକାରିତା ସମ୍ପର୍କରେ ଅଳ୍ପ ବହୁତେ ଜାଣିଥାଉ । ଡାଳିମ୍ବରେ ଅନେକ ଲାଭକାରୀ ଗୁଣ ରହିଛି । ଏହାର ମିଠା ସ୍ୱାଦ ସହ ଏହା ଆମ ଶରୀରକୁ ପୋଷକତା ଯୋଗାଇଥାଏ । ଡାଳିମ୍ବ ପ୍ରାୟତଃ ରକ୍ତ ବଢ଼ାଇବା ପାଇଁ ଜଣାଶୁଣା । ଡାଳିମ୍ବରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଡାଳିମ୍ବକୁ ସୁପରଫୁଡ ଭାବେ ବିବେଚନା କରାଯାଏ ।
ଡାଳିମ୍ବ ହେଉଛି ଏକ ଏପରି ଫଳ ଯେଉଁଥିରେ ଅଧିକ କ୍ୟାଲୋରୀ, ଫାଇବର, ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ ଭରପୂର ରହିଥାଏ । ଏହା ବ୍ୟତୀତ ଏଥିରେ ଓମେଗା-୬ ଫ୍ୟାଟି ଏସିଡ୍ ଏବଂ ଜିଙ୍କ୍ ଭରପୁର ମାତ୍ରାରେ ରହିଥାଏ । ତେବେ ଏହାକୁ ଖାଲି ପେଟରେ ଖାଇବା ଦ୍ବାରା କେଉଁ ସବୁ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା ।
ଖାଲି ପେଟରେ ଡାଳିମ୍ବ ଖାଇବା ଦ୍ବାରା ଶରୀରକୁ ହାଇଡ୍ରେଟ୍ ରଖିଥାଏ । ଏହା ଛଡା ଡାଳିମ୍ବରେ ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ମିନେରାଲ୍ସ ଥିବାରୁ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଥକାପଣକୁ ଦୂର କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । ଏଥି ସହିତ ଏହା ଖାଇବା ଦ୍ବାରା ଆକ୍ଟିଭ୍ ଅନୁଭବ ହୋଇଥାଏ । ଡାଳିମ୍ବ ନିୟମିତ ଭାବେ ଖାଇବା ଦ୍ୱାରା ଷ୍ଟେମିନା ବଢିବାରେ ସହାୟକ ହୋଇଥାଏ । ଏହା ଫ୍ଲାଭୋନୋଲରେ ଭରପୂର ଏବଂ ଶରୀରରେ ଫୁଲା ମଧ୍ୟ କମ୍ କରିଥାଏ । ଏହା ବ୍ୟତୀତ ହାଡ ସମ୍ବନ୍ଧୀୟ ସମସ୍ୟା କମ୍ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।
ଏତିକି ନୁହେଁ ଚମକଦାର ତ୍ବଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ଡାଳିମ୍ବ । ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ସି ଥିବାରୁ ଚମକଦାର ତ୍ବଚା ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଯାହା ଫ୍ରି ରାଡିକିଲ୍ସ ସହ ଲଢି ଚର୍ମ ବାର୍ଦ୍ଧକ୍ୟତାଠାରୁ ମୁକ୍ତି ଦେଇଥାଏ । ତେଣୁ ଚର୍ମରୋଗ ବିଶେଷଜ୍ଞମାନେ ଉଜ୍ଜ୍ବଳ ତ୍ବଚା ପାଇଁ ଡାଳିମ୍ବ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଯେଉଁମାନଙ୍କ ପେଟ ଜନିତ ସମସ୍ୟା ଥାଏ ସେମାନେ ଏହାକୁ ଖାଇପାରିବେ। ଏମାନେ ପ୍ରତିଦିନ ଗୋଟିଏ ଲେଖାଏଁ ଡାଳିମ୍ବ ଖାଇପାରିବେ । ଏହାଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ । ଶରୀରରେ ମାଂସପେଶୀକୁ ମଜବୁତ କରାଇବା ପାଇଁ ଆପଣ ଡାଳିମ୍ବ ଖାଇପାରିବେ ।
ଡାଳିମ୍ବ ଏକ କମ୍ କ୍ୟାଲୋରୀଯୁକ୍ତ ଫଳ ହୋଇଥିବାରୁ ଓଜନ ନିୟନ୍ତ୍ରଣ ପାଇଁ ବେଷ୍ଟ ହୋଇଥାଏ । ଯାହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ପ୍ରଭାବଶାଳୀ ହୋଇଥାଏ । ଏହାକୁ ଖାଇବା ଦ୍ବାରା କୋଲେଷ୍ଟ୍ରୋଲର ସ୍ତରକୁ ନିୟନ୍ତ୍ରଣ କରିଥାଏ । ଯାହା ସୁସ୍ଥ ହାର୍ଟ ପାଇଁ ଭଲ ବୋଲି ପ୍ରମାଣିତ ହୋଇଛି ।