ମୁମ୍ବାଇ : ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇ ଫସିଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଖୁସି ମୁଖାର୍ଜୀ । ଏବେ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରାଯାଇଛି ।
ନିକଟରେ ଏକ ଗଣମାଧ୍ୟମ ଆଲୋଚନା ସମୟରେ ଖୁସି ମୁଖାର୍ଜୀ କହିଥିଲେ ଯେ, ଭାରତୀୟ T20 ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କୁ ସୋସିଆଲ ମିଡିଆରେ ମେସେଜ କରନ୍ତି । ଏହି ବୟାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସକ ଫୈଜାନ ଅନସାରୀ ମାନହାନି ଅଭିଯୋଗରେ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦାବି କରି ଅଭିନେତ୍ରୀଙ୍କ ବିରୋଧରେ ଏକ FIR ଦାୟର କରିଛନ୍ତି । ଗାଜିପୁର ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରାଯାଇଥିଲା ।
ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସକ ଫୈଜାନ ଅନସାରୀ କହିଛନ୍ତି ଯେ, ଖୁସି ମୁଖାର୍ଜୀ କେବଳ ନିଜର ଲୋକପ୍ରିୟତା ପାଇଁ ଏଭଳି କରୁଛନ୍ତି ଯାହା ସୂର୍ଯ୍ୟ କୁମାର ଯାଦବଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବ । ସେ କୌଣସି ପ୍ରମାଣ କିମ୍ବା ଚାଟ୍ ବିନା ଏହି ବକ୍ତବ୍ୟ ଦେଇଛନ୍ତି । ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଏହା ଏକ ଭିତ୍ତିହୀନ ଅଭିଯୋଗ ଯାହା ଖେଳାଳିଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି ।
ତେଣୁ ଫୈଜାନ ମୁମ୍ବାଇର ଗାଜିପୁର ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରିଛନ୍ତି । ଅଭିନେତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହିତ ଅତିକମରେ ୭ ବର୍ଷ ଜେଲ୍ ଦଣ୍ଡ ପାଇଁ ଦାବି କରିଛନ୍ତି ।

