ବାଲେଶ୍ବର: ପାରିବାରିକ କଳହ ନେଲା ସ୍ତ୍ରୀର ଜୀବନ । ରାଗରେ ନରହନ୍ତା ପାଲଟିଲା ସ୍ୱାମୀ । ସୈତାନ୍ ସ୍ୱାମୀର ନୃଶଂସ କାଣ୍ଡ । ବିଳମ୍ବିତ ରାତିରେ ନେଲା ସ୍ତ୍ରୀର ଜୀବନ । ହଁ ଆଜ୍ଞା, ପାରିବାରିକ କଳହର କରୁଣ ପରିଣତି । ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ଦେଲା ସ୍ୱାମୀ । ଏମିତି ଘଟଣା ଶୁଣିଲେ ଆପଣଙ୍କର ବି ଛାତି ଥରି ଉଠିବ । ସ୍ୱାମୀର ଆକ୍ରମଣରେ ଆଜି ଚିରନିଦ୍ରାରେ ଶୋଇଯାଇଛି ସ୍ତ୍ରୀ । ଆଉ ହତ୍ୟାକାରୀ ସ୍ୱାମୀ ନିଜ ସ୍ତ୍ରୀର ଜୀବନ ନେବା ପରେ ମାରିଲା ଫେରାର । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚାକୁଆପାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ମୃତକ ଜଣକ ହେଲେ ଜୟନ୍ତୀ ପାତ୍ର । ଘଟଣା ସ୍ଥଳରେ ଜଳେଶ୍ବର ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ଚାକୁଆପାଳ ଗାଁର ଚନ୍ଦ୍ର ମୋହନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ଜୟନ୍ତୀଙ୍କ ଭିତରେ ଗତକାଲି କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଯେଉଁଥିରେ ଚନ୍ଦ୍ର ମୋହନ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଜୟନ୍ତୀଙ୍କ ହତ୍ୟା କରିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଚନ୍ଦ୍ର ମୋହନ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ରାଇବଣିଆ ଥାନା ପୋଲିସ ଏବଂ ଜଳେଶ୍ବର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
କଥାରେ ଅଛି ରାଗ ବ୍ରହ୍ମଚଣ୍ଡାଳ । ମଣିଷ ରାଗରେ ଆସି ନିଜର ହିତାହିତ ଜ୍ଞାନ ଭୁଲିଯାଏ । ରାଗରେ ମଣିଷ ଏପରି ସବୁ କାଣ୍ଡ ଘଟାଏ ଯାହା କାହାର ଜୀବନ ମଧ୍ୟ ନେଇଯାଏ । ଯାହାର ଜ୍ୱଳନ୍ତ ଉଦାହରଣ ଆଜିର ଏହି ଘଟଣା । ଅନ୍ୟପଟେ ଏପରି ଏକ ହୃଦୟ ବିଦାରକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଅଭିଯୁକ୍ତ ଯେଉଁ ଅପରାଧ କରିଛି ତାହା ସତରେ ଲୋମହର୍ଷଣକାରୀ । ତେବେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଧରିବା ସହ କଠୋରରୁ କଠୋର ଦଣ୍ଡ ଦେବା ନିହାତି ଆବଶ୍ୟକ ।