ହିମାଳୟରେ ବଢ଼ୁଛି ବିପଦ । ୬୫% ଦ୍ରୁତ ଗତିରେ ତରଳୁଛି ହିମାଳୟ ହିମବାହ । ପାହାଡ଼ିଆ ଜଳ ଉପରେ ନିର୍ଭର ଭାରତର ପ୍ରାୟ ୨୦% GDP। ପ୍ରଥମେ ବନ୍ୟା ପରେ ଜଳ ସଙ୍କଟର ବଡ଼ ବିପଦ । ଏକ ଦଶନ୍ଧି ପୂର୍ବ ତୁଳନାରେ ଏବେ ହିମାଳୟର ହିମବାହଗୁଡ଼ିକ ୬୫ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବରଫ ହରାଉଛନ୍ତି । ଏହା କେବଳ ପରିବେଶ ପାଇଁ ନୁହେଁ, ଭାରତର ଅର୍ଥନୀତି ଓ ଜଳ ସୁରକ୍ଷା ପାଇଁ ମଧ୍ୟ ବଡ଼ ସତର୍କଘଣ୍ଟି । ପ୍ରୋସ୍ପରସ୍ ଆଣ୍ଡ ରେଜିଲିଆଣ୍ଟ ହିମାଲୟଜ୍ ରିପୋର୍ଟ ଅନୁସାରେ, ହିମାଳୟରୁ ଆସୁଥିବା ଜଳ ଭାରତର ପ୍ରାୟ ୨୦ ପ୍ରତିଶତ GDPକୁ ସମର୍ଥନ କରୁଛି ।
ଭାରତର ପ୍ରାୟ ୧୮ ପ୍ରତିଶତ ଭୂଭାଗ ହିମାଳୟ ଅଞ୍ଚଳରେ ରହିଥିବା ବେଳେ ଦେଶର ପ୍ରାୟ ୩୫ ପ୍ରତିଶତ ବିପର୍ଯ୍ୟୟ ଏଠାରେ ଘଟୁଛି । ଗଙ୍ଗା ସମତଳର ଧାନ ଓ ଗହମ ଚାଷଠାରୁ ଆରମ୍ଭ କରି ଆସାମ ଓ ବଙ୍ଗର ଚା’ ବଗିଚା, ଜଳବିଦ୍ୟୁତ ପ୍ରକଳ୍ପ ଓ ପାହାଡ଼ିଆ ପର୍ଯ୍ୟଟନ ପର୍ଯ୍ୟନ୍ତ ଏହି ଜଳ ଉପରେ ନିର୍ଭରଶୀଳ । ସବୁଠୁ ଚିନ୍ତାଜନକ ତଥ୍ୟ ହେଲା, ହିନ୍ଦୁକୁଶ-ହିମାଳୟର ପ୍ରାୟ ୪୦ ହଜାର ହିମବାହ ମଧ୍ୟରୁ ମାତ୍ର ୨୧ଟିର ନିୟମିତ ନିରୀକ୍ଷଣ ହେଉଛି । ଭାରତୀୟ ହିମାଳୟର ୫୬ଟି ହିମବାହ ହ୍ରଦକୁ ‘ଅତ୍ୟନ୍ତ ବିପଜ୍ଜନକ’ ଶ୍ରେଣୀରେ ରଖାଯାଇଛି । ବରଫ ତରଳିବା ସହ ହିମବାହ ହ୍ରଦଗୁଡ଼ିକ ବଡ଼ ଓ ଅସ୍ଥିର ହେଉଛି । ଫଳରେ ହ୍ରଦ ଫାଟି ହଠାତ୍ ପ୍ରଳୟଙ୍କରୀ ବନ୍ୟା ଆସିବାର ବିପଦ ବଢ଼ୁଛି ।
ବିପଦ ଏତିକିରେ ସୀମିତ ନୁହେଁ । ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ଶତାବ୍ଦୀର ମଧ୍ୟଭାଗ ବେଳକୁ ଅନେକ ହିମାଳୟୀ ନଦୀ ଅବବାହିକା ‘ପିକ୍ ୱାଟର’ ସ୍ଥିତିରେ ପହଞ୍ଚିପାରେ । ଅର୍ଥାତ୍ ଅଧିକ ବରଫ ତରଳିବାରୁ ପ୍ରଥମେ ନଦୀରେ ଜଳ ବଢ଼ି ବନ୍ୟା ବିପଦ ବଢ଼ିବ । ପରେ ବରଫ ଭଣ୍ଡାର କମିଯିବା ସହ ଜଳ ପ୍ରବାହ ହ୍ରାସ ପାଇବ । ଫଳରେ କୃଷି, ସହରାଞ୍ଚଳର ଜଳ ଯୋଗାଣ ଓ ଜଳବିଦ୍ୟୁତ ପାଇଁ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି ହୋଇପାରେ । ରିପୋର୍ଟରେ ବ୍ଲାକ୍ କାର୍ବନକୁ ମଧ୍ୟ ବଡ଼ ବିପଦ ଭାବେ ଦର୍ଶାଯାଇଛି । ବର୍ତ୍ତମାନର ବରଫ କ୍ଷୟର ପ୍ରାୟ ଏକ-ତୃତୀୟାଂଶ ସହ ଏହାର ସମ୍ପର୍କ ରହିଛି । ତେଣୁ ବ୍ଲାକ୍ କାର୍ବନ୍ ହ୍ରାସ, ହିମବାହ ଓ ହ୍ରଦର ନିୟମିତ ନିରୀକ୍ଷଣ ସହ ଆଗୁଆ ସତର୍କ ସୂଚନା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ରିପୋର୍ଟ ଆହ୍ୱାନ କରିଛି ।
