କେନ୍ଦୁଝର : ସିଆରପିଏଫ ଯବାନଙ୍କ ଅକାଳ ବିୟୋଗ । ଦିଆଯାଉଛି ଗାର୍ଡ ଅଫ୍ ଅନର୍ । ରୁଣ୍ଡ ହୋଇଛନ୍ତି ଶହ ଶହ ଲୋକ । ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ । କେହିବି ନିଜକୁ ସମ୍ଭାଳିବା ସ୍ଥିତିରେ ନାହାନ୍ତି । କଥା ଦେଇଥିଲେ ଗାଁକୁ ଖୁବଶୀଘ୍ର ଫେରିବେ କିନ୍ତୁ ନିଜେ ତ ଆସିଲେ ନାହିଁ ଆସିଲା ତାଙ୍କ ମରଶରୀର । କୁହାଯାଏ “ବୀରର କେବେ ମୃତ୍ୟୁ ହୁଏନି, ସେମାନେ ସବୁବେଳେ ଅମର”। ଆଉ ତାଙ୍କ ବୀରତ୍ୱର ଗାଥାର ଛାପ ଛାଡି ଦେଇ ଯାଆନ୍ତି ଜନସାଧାରଣଙ୍କ ହୃଦୟରେ । ସେହିପରି ଜଣେ ଭାରତ ମାତାର ବୀର ସନ୍ତାନ ଥିଲେ ଶୁଖଲାଲ, ଯାହାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ଦେଇଛି ଗଭୀର ଦୁଃଖ ।
ହୃଦଘାତରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ପୁରୁଯୋଡା ପଞ୍ଚାୟତ ଅନ୍ତର୍ଗତ କରଙ୍ଗାପାଳ ଗାଁର ସିଆରପିଏଫ ଯବାନ ଶୁଖଲାଲ କୁଙ୍କାଲଙ୍କ ୪୨ ବର୍ଷ ବୟସରେ ଅକାଳ ବିୟୋଗ ହୋଇଛି । ଭୁବନେଶ୍ୱର ନୟାପଲ୍ଲୀ ସିଆରପିଏଫ କ୍ୟାମ୍ପରେ ଗତ ୯ ତାରିଖ ସନ୍ଧ୍ୟାରେ ହୃଦଘାତରେ ପୀଡ଼ିତ ହୋଇ ସମ୍ ଅଲଟିମେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଯାଇଛି । ପରେ ଗାଁକୁ ଅଣାଯାଇଥିଲା ତାଙ୍କର ମରଶରୀର । ଗାର୍ଡ ଅଫ୍ ଅନର ଦେବା ସହିତ ଶୁଖଲାଲଙ୍କର ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଶୁଖଲାଲଙ୍କ ଶେଷ ଦର୍ଶନ ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ରୁଣ୍ଡ ହୋଇଥିଲେ ।
ସେ ୨୦୦୩ରେ ସିଆରପିଏଫରେ ଯୋଗଦେଇ ଦେଶ ମାତୃକାର ସେବାରେ ନିୟୋଜିତ ଥିଲେ । ୨୦୨୩ରୁ ସେ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ସିଆରପିଏଫ କ୍ୟାମ୍ପରେ ଦାୟିତ୍ବ ନିର୍ବାହ କରି ଆସୁଥିଲେ । ଘରେ ତାଙ୍କର ସ୍ତ୍ରୀ ସହିତ ୧୫ ବର୍ଷର ଝିଅଟିଏ ଅଛି । କରଙ୍ଗାପାଳର ମହାବୀର କୁଙ୍କାଲଙ୍କ ସେ ଥିଲେ ବଡ଼ ପୁଅ ।
ଯବାନ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ମ୍ରିୟମାଣ । ଶୁଖଲାଲଙ୍କ ଜୀବନ ଦୀପ ଲିଭିଯାଇଥିଲେ ମଧ୍ୟ ଅନେକଙ୍କ ମନରେ ସୃଷ୍ଟି କରିଛନ୍ତି ଦେଶ ପ୍ରେମ । କେବଳ ପରିବାର ଲୋକ ନୁହେଁ ଏଭଳି ଜଣେ ବୀର ଯବାନଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଖେଳାଇଦେଇଛି ଶୋକର ଛାୟା ।

