Tuesday, September 8, 2026
24.5 C
Odisha

    ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା: ଲୋକାର୍ପଣ ପାଇଁ ନିମନ୍ତ୍ରଣ

    ଆଗକୁ ପଢନ୍ତୁ

    ପୁରୀ/ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ମହୋତ୍ସବ ଜାନୁଆରି ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରଣପତ୍ର ବଣ୍ଟନ ଆରମ୍ଭ ହୋଇଛି। ଡିସେମ୍ବର ୨୧ ତାରିଖରେ ମହାପ୍ରଭୁଙ୍କୁ ପ୍ରଥମ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଥିଲା। ଆଜି ରାଜ୍ୟ ଓ ରାଜ୍ୟ ବାହାରକୁ ନିମନ୍ତ୍ରଣପତ୍ର ବଣ୍ଟନ ପାଇଁ ୩୦ ପ୍ରତିନିଧି ଦଳ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଥମେ ପ୍ରତିନିଧି ଦଳ ଭୁବନେଶ୍ବରରେ ପହଞ୍ଚି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିଥିଲେ।  ସେଠାରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ବରିଷ୍ଠ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନେଇ ଏକ ୫୦ ଜଣିଆ ପ୍ରତିନିଧି ଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପରିକ୍ରମା ପ୍ରକଳ୍ପ ଆପଣମାନଙ୍କ କାମ, ସେବାୟତ ବନ୍ଧୁମାନଙ୍କ କାମ ଓ ପୁରୀବାସୀଙ୍କ କାମ। ଏହି ପବିତ୍ର କାମ ପାଇଁ ଯାହା ଆବଶ୍ୟକ ସବୁ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ।

    ସେବାୟତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ପୁରୀ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଆପଣ ଇତିହାସ ରଚିଲେ। ଯୁଗ ଯୁଗ ପାଇଁ ଆପଣଙ୍କ ନାମ ଲିପିବଦ୍ଧ ହୋଇ ରହିବ। ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ବୋଲି ମତଦେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ଆପଣଙ୍କ ନିର୍ଦ୍ଦେଶରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଦିନରାତି ପରିଶ୍ରମ କରି ବହୁତ ଭଲ କାମ କରୁଛନ୍ତି। ସାରା ଓଡ଼ିଶାର ରୂପରେଖରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେମାନେ କହିଥିଲେ।  ସେବାୟତମାନଙ୍କ ସହିତ ଆଲୋଚନା କରି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଲେ ଯେ ପରିକ୍ରମା ପ୍ରକଳ୍ପ ସମ୍ଭବ ହୋଇପାରିଛି ପୁରୀବାସୀ ଓ ସେବାୟତମାନଙ୍କ ତ୍ୟାଗ ଯୋଗୁ। ଆପଣମାନଙ୍କ ଅତୁଳନୀୟ ତ୍ୟାଗ ସବୁଦିନ ପାଇଁ ସମସ୍ତେ ଶ୍ରଦ୍ଧାର ସହ ମନେ ରଖିବେ। ପରିକ୍ରମା ପ୍ରକଳ୍ପ କାମ ସମୟରେ ଅନେକ ବାର ବହୁତ ଅସୁବିଧା କିପରି ମହାପ୍ରଭୁଙ୍କ ଆଶୀର୍ବାଦରେ ଦୂର ହୋଇଛି ଏବଂ କାମ ସବୁ ଭଲ ଭାବରେ ଆଗେଇ ଚାଲିଥିଲା, ସେ ବିଷୟରେ ଶ୍ରୀ ପାଣ୍ଡିଆନ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। ପୁରୀ ସହରର ବିକାଶ ପାଇଁ  ତଥା ସେବାୟତମାନଙ୍କ କଲ୍ୟାଣ ପାଇଁ ଯାହାକିଛି ଆବଶ୍ୟକ, ମୁଖ୍ୟମନ୍ତ୍ରୀ ସବୁକିଛି କରିବେ ବୋଲି ସେ କହିଥିଲେ।  ମୁଖ୍ୟମନ୍ତ୍ରୀ ସବୁ ସେବାୟତଙ୍କୁ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ୨୦୨୧ ନଭେମ୍ବର ୨୪ ତାରିଖରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ସାଧୁସନ୍ଥ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଲୋକାର୍ପଣ କାର୍ଯ୍ୟ ମଧ୍ୟ ସେହିପରି ସାଧୁସନ୍ଥ ଏବଂ ସବୁ ରାଜନୈତିକ ଦଳ ଓ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ।

    ଆଜି ସକାଳେ ପୁରୀର ନୀଳାଦ୍ରି ଭକ୍ତ ନିବାସଠାରୁ ୩୦ଟି ଇନୋଭା କାରରେ ରାଜ୍ୟ ବାହାରକୁ ୧୭ଟି ଓ ରାଜ୍ୟ ଭିତରେ ୧୩ଟି ଦଳ ନିମନ୍ତ୍ରଣପତ୍ର ବଣ୍ଟନ ପାଇଁ ଯାତ୍ରା ଆରମ୍ଭ କରିଥିଲେ। ପ୍ରତି ଦଳରେ ୩/୪ଜଣ ସେବାୟତ ଓ ଜଣେ ପ୍ରଶାସନିକ ଅଧିକାରୀ ନିମନ୍ତ୍ରଣପତ୍ର ଦେବାକୁ ଯାତ୍ରା ଆରମ୍ଭ କରିଥିଲେ। ବେଦପାଠ ସହ ନାମ ସଂକୀର୍ତ୍ତନ ସହକାରେ ଏହି ପ୍ରତିନିଧି ଦଳଙ୍କୁ ବିଦାୟ ଦିଆଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ନିମନ୍ତ୍ରଣପତ୍ର ବଣ୍ଟନ ଯାତ୍ରାରେ ସାମିଲ ଥିବା ସେବାୟତ ଓ ଅଧିକାରୀମାନଙ୍କୁ ସଫଳ ଯାତ୍ରାର ଶୁଭକାମନା ଜଣାଇଥିଲେ।
    ସୂଚନାଯୋଗ୍ୟ, ରାଜ୍ୟ ବାହାରକୁ ଯାଇଥିବା ୧୭ ପ୍ରତିନିଧି ଦଳ ଦିଲ୍ଲୀ, କୋଲକାତା, ଚେନ୍ନାଇ, ମଦୁରାଇ, ବନାରସ, ବିଶାଖାପାଟଣା, ଜାମ୍ମୁ, ତ୍ରୀଭେନ୍ଦ୍ରମ, କାଠମାଣ୍ଡୁ, ଡେରାଡୁନ, ଅହମଦାବାଦ, ମୁମ୍ବାଇ, ବିଜୟୱାଡା, ଥିରୁଅନନ୍ତପୁରମ, ଇନ୍ଦୋର, ନାସିକ ଓ ଝାଡ଼ଖଣ୍ଡ ଗସ୍ତ କରି ସେଠାର ଥିବା ପ୍ରମୁଖ ମନ୍ଦିରମାନଙ୍କରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ନିମନ୍ତ୍ରଣପତ୍ର ପ୍ରଦାନ କରିବେ ଓ ଉତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିବେ। ସେହିପରି ରାଜ୍ୟର ୩୦ ଜିଲ୍ଲାକୁ ୧୩ଟି ଦଳ ଗସ୍ତ କରି ଜିଲ୍ଲାମାନଙ୍କର ପ୍ରମୁଖ ମନ୍ଦିରର ମୁଖ୍ୟମାନଙ୍କୁ ପୁରୀ ଆଗମନ ଓ ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିବେ। ନିମନ୍ତ୍ରଣପତ୍ର ସହ ଶୁଖିଲା ମହାପ୍ରସାଦ, ଗୁଆ, ନଡ଼ିଆ, ଚାଉଳ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖ ସଂପର୍କିତ ସୂଚନା ବହି ଆଦି ପ୍ରଦାନ କରାଯିବ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରତିନିଧି ଦଳଙ୍କୁ ସ୍ବାଗତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    91 %
    1.4kmh
    40 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ