Sunday, September 29, 2024
23.7 C
Odisha

    ଭିଭିଆଇପି ସୁବିଧା ନହେଲେ ଆସୁ ନାହାନ୍ତି ଚେୟାରମ୍ୟାନ୍‌

    ଆଗକୁ ପଢନ୍ତୁ

    ଚେୟାରମ୍ୟାନ୍‌ଙ୍କ ପାଇଁ ୫୦ ଲକ୍ଷର ଚ୍ୟାମ୍ବର!
    ଭୁବନେଶ୍ୱର: ଲୋକଙ୍କ ସରକାର । ଲୋକଙ୍କ କଥା ଶୁଣିବେ । କିନ୍ତୁ ନେତା ମନ୍ତ୍ରୀମାନଙ୍କୁ ଭିଭିଆଇପି ଭଳି ସୁବିଧା ଦରକାର । ନ ହେଲେ ସେ କାର୍ଯ୍ୟାଳୟକୁ ଆସିବେ ନାହିଁ । ତେଣୁ ସମ୍ପୃକ୍ତ ନେତାଙ୍କ ପାଇଁ ଆଖି ଝଲସିଗଲା ଭଳି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚ୍ୟାମ୍ବର ତୋଳାଚାଲିଛି । ପୂରା ବିଭାଗ ମୁଣ୍ଡରେ ବଡ଼ ଚିନ୍ତା ପାଲଟିଛି ଚେୟାରମ୍ୟାନ୍‌ଙ୍କ ଚ୍ୟାମ୍ବର କିପରି ନିର୍ମାଣ ହେବ । ନ ହେଲେ ଚେୟାରମ୍ୟାନ୍ ଆସୁନାହାନ୍ତି । ଯଥାଶୀଘ୍ର ଏହି କାମ ଶେଷ ହେବା ଦରକାର । ଏଥିପାଇଁ ରାତିଅଧିଆ କାମ ଚାଲିଛି ।
    ପୂର୍ବ ସରକାରଙ୍କ ସମୟରେ ମଧ୍ୟ ବିଡିଏରେ ଚେୟାରମ୍ୟାନ୍ ପଦ ବି ଥିଲା । ହେଲେ ବିଡିଏ କାର୍ଯ୍ୟାଳୟରେ ଚେୟାରମ୍ୟାନ୍‌ଙ୍କ ଏଭଳି କୌଣସି ସ୍ୱତନ୍ତ୍ର ଚ୍ୟାମ୍ବର ରହୁ ନ ଥିଲା । ସରକାର ବଦଳିବା ପରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିଡିଏର ଚେୟାରମ୍ୟାନ୍ ଭାବେ ଘୋଷଣା କରାଯାଇଛି । ହେଲେ ବିଡିଏ ପାଇଁ ଚେୟାରମ୍ୟାନ୍‌ଙ୍କ ଚ୍ୟାମ୍ବର ଏକ ବଡ଼ ସମସ୍ୟା ପାଲଟିଗଲା । ଯଦି ଚେୟାରମ୍ୟାନ୍ ଆସିବେ, ତେବେ ବସିବେ କେଉଁଠି । ତେଣୁ ବିଡିଏର ପ୍ରଥମ ମହଲାରେ ଭୁବନେଶ୍ୱର ଅର୍ବାନ୍ ନଲେଜ୍ ସେଣ୍ଟର ବା ବ୍ୟୁକେସିକୁ ହଟାଇ ସେଠାରେ ଚେୟାରମ୍ୟାନ୍‌ଙ୍କ ଚ୍ୟାମ୍ବର ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ନିଆଗଲା । ରାତାରାତି ବ୍ୟୁକେସିକୁ ନିକଟସ୍ଥ ଏକ ବିଲ୍ଡିଂକୁ ସ୍ଥାନାନ୍ତରିତ କରାଗଲା । ବ୍ୟୁକେସି କାର୍ଯ୍ୟାଳୟରେ ଚେୟାରମ୍ୟାନଙ୍କ ଚ୍ୟାମ୍ବର ନିର୍ମାଣ ହେଲା । ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ଏହା କୌଣସି ନୂଆ ବିଲ୍ଡିଂ ନୁହେଁ । ବରଂ ପୁରୁଣା ବିଲ୍ଡିଂରେ ନୂଆ ଚ୍ୟାମ୍ବର ନିର୍ମାଣ ଖର୍ଚ୍ଚ । ଏଥିପାଇଁ ଦାମୀ ଫର୍ଣ୍ଣିଚର ବି କିଣାଗଲା । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଚ୍ୟାମ୍ବରକୁ ଉତ୍କୃଷ୍ଠ ଆଲୋକମାଳାରେ ସଜାଯାଉଛି । ସ୍ୱତନ୍ତ୍ର ରେଷ୍ଟ ରୁମ୍ ସହ କନ୍‌ଫରେନ୍ସ ହଲ୍‌ର ବ୍ୟବସ୍ଥା କରାଯାଇଛି । ଯେଉଁଠି ଯେଉଁ ବୈଦ୍ୟୁତିକ ଉପକରଣର ଆବଶ୍ୟକତା ରହିଛି ସବୁକିଛି ଗୋଟି ଗୋଟି କରି ଖଞ୍ଜାଯିବ । ଶ୍ରୀ ମହାପାତ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟ ସଚିବାଳୟରେ ଏକ କାର୍ଯ୍ୟାଳୟ ରହିଛି । ସଚିବାଳୟଠାରୁ ମାତ୍ର ୩ଶହ ମିଟର ଦୂରରେ ଥିବା ବିଡିଏ କାର୍ଯ୍ୟାଳୟରେ ଆଉ ଏକ ଚ୍ୟାମ୍ବରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଥରେ କୁଆଡ଼େ ଚେୟାରମ୍ୟାନ୍ ଜଣେ ବିଧାୟକଙ୍କ ସହ ବିଡିଏ ଆସିଥିଲେ । ହେଲେ ସେ ବିଡିଏ କାର୍ଯ୍ୟାଳୟକୁ ଯାଇ ନ ଥିଲେ । ଏହାପରେ ବିଡିଏ ଅଧିକାରୀମାନେ ଚ୍ୟାମ୍ବର ନ ରହିବାର କାରଣ ବୋଲି କହିଲେ । ପରେ ଚ୍ୟାମ୍ବର ନିର୍ମାଣ କାର୍ଯ୍ୟ ଜୋର୍‌ଦାର କରାଗଲା । ରାଜ୍ୟରେ ଅନେକଗୁଡ଼ିଏ ଉନ୍ନୟନ କର୍ତ୍ତୃପକ୍ଷ ରହିଛନ୍ତି । ମନ୍ତ୍ରୀଙ୍କୁ ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଚେୟାରମ୍ୟାନ୍ ଭାବେ ନିଯୁକ୍ତ ଦିଆଗଲା । ଏହାର ଅର୍ଥ କ’ଣ ଲୋକଙ୍କ ଟଙ୍କାରେ ଏଭଳି ଦାମୀ ଚ୍ୟାମ୍ବର ପ୍ରତ୍ୟେକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ନିର୍ମାଣ ହେବ । ନ ହେଲେ ଚେୟାରମ୍ୟାନଙ୍କ ପାଦ ପଡ଼ିବନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    91 %
    1.1kmh
    87 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    32 °

    ସମ୍ବନ୍ଧିତ