Monday, September 28, 2026
29.4 C
Odisha

    ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷକରେ ୮୫ ନୂଆ ସଂକ୍ରମିତ

    ଆଗକୁ ପଢନ୍ତୁ

    ରାଉରକେଲା ମାରାତ୍ମକ ରୋଗ ଏଡ୍‌ସ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ସରକାରଙ୍କ ତରଫରୁ ପ୍ରତିବର୍ଷ ଅନେକ କାର୍ଯ୍ୟକ୍ରମ କରଯାଉଛି। ସାରା ବିଶ୍ବର ପ୍ରତିଷ୍ଠିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ଏହି ରୋଗ ନିରାକରଣ ସମ୍ପର୍କରେ ସଚେତନତାମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ଏହା ସତ୍ତ୍ବେ ରାଜ୍ୟରେ ଏଡ୍‌ସକୁ ଯେମିତି ରୋକାଯିବା କଥା, ତାହା ହୋଇପାରୁନି। ୨୦୦୨ରୁ ୨୦୨୪ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୩ ହଜାର ୪୩୭ ଏଚ୍‌ଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଏହି ରୋଗ କବଳରୁ ବର୍ତ୍ତି ପାରିନାହିଁ। ରାଜ୍ୟ ଏଚ୍‌ଆଇଭି ସଂକ୍ରମିତଙ୍କ ମଧ୍ୟରୁ ୨.୧% ସୁନ୍ଦରଗଡ଼ରୁ ରହିଛନ୍ତି।ଆର୍‌ଜିଏଚ୍‌ ଏଆର୍‌ଟିସି କେନ୍ଦ୍ରରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ୨୦୨୩ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୧୨୮୧ ପୁରୁଷ ଓ ମହିଳା ଏଚ୍ଆଇଭି ଆକ୍ରାନ୍ତ ହୋଇଥିବାବେଳେ ଏବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୩୬୬ରେ ପହଞ୍ଚିଛି। ଅର୍ଥାତ୍‌ ଚଳିତବର୍ଷ ଜିଲ୍ଲାରେ ୮୫ ନୂଆ ଏଚ୍‌ଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୧୦୩ ଜଣ ପୁରୁଷ ଏବଂ ୨୬୩ ଜଣ ମହିଳା ରହିଛନ୍ତି। ଗର୍ଭବତୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ୨୦୨୪ ଅକ୍ଟୋବର ସୁଦ୍ଧା ୯୯ ଜଣ ଗର୍ଭବତୀ ଏଚ୍‌ଆଇଭି ସଂକ୍ରମିତ ହୋଇଛନ୍ତି। ପ୍ରବାସୀ ଶ୍ରମିକ ଏବଂ ମହିଳା ଯୌନକର୍ମୀଙ୍କ ଯୋଗୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି।

    ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ବାଲିଶଙ୍କରା ଓ ବିଶ୍ରା ବ୍ଲକ୍‌ରେ ଅଧିକ ସଂକ୍ରମିତ ଥିବା ରାଉରକେଲା ଏଆର୍‌ଟିସି କେନ୍ଦ୍ରରୁ ସୂଚନା ମିଳିଛି। ମୋଟ ୧୩୬୬ ଜଣଙ୍କ ମଧ୍ୟରୁ ୧୩୪୮ (୯୮.୬%)ଜଣ ସଂକ୍ରମିତ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ଏବଂ ଭିମ୍‌ସାର୍‌ ବୁର୍ଲାର ଆଣ୍ଟି ରେଟ୍ରୋଭାଇରାଲ୍‌ ଥେରାପି ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ବାର୍ଷିକ ୪୫ରୁ ୪୬ ହଜାର ଲୋକଙ୍କ ଏଚ୍ଆଇଭି ପରୀକ୍ଷା କରାଯାଉଛି। ପ୍ରାୟ ୭ ହଜାର ​ଯୌନ ସଂକ୍ରମିତ/ପ୍ରଜନନ ସମୟରେ ସଂକ୍ରମିତ ଲୋକେ ବିଭିନ୍ନ କ୍ଲିନିକ୍‌ରେ ଚିକିତ୍ସା ଗ୍ରହଣ କରୁଛନ୍ତି। ବର୍ତ୍ତମାନ ଏକ ପ୍ରମୁଖ ସ୍ବେଚ୍ଛାସେବୀ ସଂଗଠନ  ଜିଲ୍ଲାର ୫୫୦ ଜଣ ମହିଳା ଯୌନକର୍ମୀ, ୧୦୦ ସମଲିଙ୍ଗି ପୁରୁଷ ଏବଂ ୨୨୦ ଜଣ ତୃତୀୟଲିଙ୍ଗିଙ୍କ ସ୍ବାସ୍ଥ୍ୟ ସଚେତନତା ଦାୟିତ୍ବରେ ଅଛି। ସେହିଭଳି ଅନ୍ୟ ୩ଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ୨୦ ହଜାର ପ୍ରବାସୀ ଶ୍ରମିକ ଏବଂ ୫ ହଜାର ଟ୍ରକ୍‌ ଚାଳକଙ୍କ ସ୍ବାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ କାମ କରୁଛନ୍ତି। ଏହାସହ ଆଉ ଗୋଟିଏ ସ୍ବେଚ୍ଛାସେବୀ ଅନୁଷ୍ଠାନ ୬ଟି ବ୍ଲକ୍‌ର ୧୦୦ରୁ ଅଧିକ ଏଚ୍‌ଆଇଭି ସମ୍ବେଦନଶୀଳ ଗାଁ’ରେ ଜନସାଧାରଣଙ୍କୁ ସଚେତନ କରୁଛି। ସୂଚନାଯୋଗ୍ୟ, ଏଚ୍ଆଇଭି ପରୀକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ୨ଟି, ରାଉରକେଲା, ବଣାଇଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁର ଓ କୁତ୍ରାରେ ଆଇସିଟିସି କେନ୍ଦ୍ର ରହିଛି। ଅନ୍ୟପକ୍ଷରେ ଏଡ୍‌ସ ରୋଗର ନିରାକରଣ ପାଇଁ ଜିଲ୍ଲାରେ ଏକାଧିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ କାମ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ