Thursday, October 8, 2026
21.5 C
Odisha

    ଗୁମ୍ଫାର ୯୦ ଫୁଟ୍ ତଳେ ରହିଛି ଏମିତି ଏକ ରହସ୍ୟ, ଯାହା ଆଜି ବି ବିଜ୍ଞାନକୁ କରେ ଚକିତ !

    ଆଗକୁ ପଢନ୍ତୁ

    କଳିଯୁଗର ଶେଷ କେବେ? ମହାପ୍ରଳୟ କେବେ ଆସିବ? ଏହି ପ୍ରଶ୍ନର ଉତ୍ତର କ’ଣ ଉତ୍ତରାଖଣ୍ଡର ଏକ ରହସ୍ୟମୟ ଗୁମ୍ଫା ଭିତରେ ଲୁଚି ରହିଛି?
    ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଉତ୍ତରାଖଣ୍ଡର କୁମାଉଁ ଅଞ୍ଚଳର ଗଙ୍ଗୋଳିହାଟ ନିକଟରେ ଅବସ୍ଥିତ ପାତାଳ ଭୁବନେଶ୍ୱର ଗୁମ୍ଫାକୁ ନେଇ ଶତାବ୍ଦୀ ଶତାବ୍ଦୀର ରହସ୍ୟ ଓ ଆସ୍ଥାର ଅନେକ କାହାଣୀ ପ୍ରଚଳିତ । ଭକ୍ତମାନଙ୍କ ବିଶ୍ୱାସ, ଏହା ହେଉଛି ସ୍ୱୟଂ ଭଗବାନ ଶିବଙ୍କ ବାସସ୍ଥାନ । ଏଠାରେ ପୂଜା କଲେ ପୂରଣ ହୁଏ ମନୋକାମନା ।

    ପାହାଡ଼ ଭିତରେ ପ୍ରାୟ ୯୦ଫୁଟ୍ ଗଭୀରରେ ଥିବା ଏହି ଗୁମ୍ଫାକୁ ପହଞ୍ଚିବା ସହଜ ନୁହେଁ । ଗୁମ୍ଫା ଭିତରକୁ ପ୍ରବେଶ କରିବା ପାଇଁ ପ୍ରାୟ ୮୦ଟି ଅଙ୍କା ବଙ୍କା ସିଢ଼ି ତଳକୁ ଓହ୍ଲାଇବାକୁ ପଡ଼େ । ତଳକୁ ପହଞ୍ଚିବା ପରେ ଲାଗେ ଯେପରି ଏକ ସମ୍ପୂର୍ଣ୍ଣ ଭିନ୍ନ ଜଗତକୁ ପ୍ରବେଶ କରିଛନ୍ତି । ଯେଉଁଠାରେ ପ୍ରାଚୀନ ଇତିହାସ ଜୀବନ୍ତ ହୋଇ ଆଖି ଆଗରେ ଠିଆ ହୋଇଥିବା ପରି ଅନୁଭବ ହୁଏ । ଏଠାରେ ପଥରରେ ସୃଷ୍ଟି ହୋଇଥିବା ବିଭିନ୍ନ ଆକୃତି ଓ ଶିଳ୍ପକଳା ନିଜ ଭିତରେ ଅନେକ ରହସ୍ୟକୁ ଲୁଚାଇ ରଖିଛି। । ଏଠାର ପଥରଗୁଡ଼ିକ ଯେପରି ପ୍ରାଚୀନ ଇତିହାସର ନୀରବ ସାକ୍ଷୀ ।

    ଗୁମ୍ଫା ଭିତରେ ଦେଖିବାକୁ ମିଳେ ଶେଷନାଗଙ୍କ ଫଣା ସଦୃଶ ଆକୃତି, ଅନେକ ଦେବାଦେବୀଙ୍କ ପ୍ରାକୃତିକ ଶିଳାରୂପ ଏବଂ ଏମିତି କଳାକୃତି, ଯାହା ଦେଖି ପର୍ଯ୍ୟଟକମାନେ ଚକିତ ହୋଇଯାନ୍ତି । ଲୋକବିଶ୍ୱାସ ଅନୁସାରେ, ପୃଥିବୀ ଶେଷନାଗଙ୍କ ଫଣା ଉପରେ ହିଁ ଅବସ୍ଥିତ ।

    ସବୁଠାରୁ ବଡ଼ ରହସ୍ୟ ହେଉଛି ଏଠାରେ ଥିବା ଛଅଟି ପଥରର ସ୍ତମ୍ଭ । ସେଥିରୁ ଚାରିଟି ସ୍ତମ୍ଭକୁ ସତ୍ୟଯୁଗ, ତ୍ରେତୟାଯୁଗ, ଦ୍ୱାପରଯୁଗ ଓ କଳିଯୁଗର ପ୍ରତୀକ ବୋଲି ମନାଯାଏ । କୁହାଯାଏ, ପ୍ରଥମ ତିନୋଟି ସ୍ତମ୍ଭରେ କୌଣସି ପରିବର୍ତ୍ତନ ଦେଖାଯାଉନଥିବାବେଳେ, କଳିଯୁଗର ସ୍ତମ୍ଭ ଧୀରେ ଧୀରେ ବଢ଼ିବାରେ ଲାଗିଛି ।

    ଏହି ସ୍ତମ୍ଭର ଠିକ୍ ଉପରେ ଛାତରୁ ଝୁଲି ରହିଛି ଏକ ପ୍ରାକୃତିକ ପିଣ୍ଡ । ବିଶ୍ୱାସ କରାଯାଏ, ପ୍ରତି ସାତ କୋଟି ବର୍ଷରେ ଏହା ପ୍ରାୟ ଏକ ଇଞ୍ଚ ଲେଖାଏ ବଢ଼େ । ଯେଉଁଦିନ ଏହି ପିଣ୍ଡ କଳିଯୁଗର ସ୍ତମ୍ଭକୁ ସ୍ପର୍ଶ କରିବ, ସେହିଦିନ କଳିଯୁଗର ଅନ୍ତ ଓ ମହାପ୍ରଳୟ ଘଟିବ ବୋଲି ପୌରାଣିକ ମାନ୍ୟତା ରହିଛି ।

    ପୁରାଣ ଅନୁସାରେ, ତ୍ରେତୟା ଯୁଗର ରାଜା ଋତୁପର୍ଣ୍ଣ ପ୍ରଥମେ ଏହି ଗୁମ୍ଫାକୁ ଦେଖିଥିଲେ । ଦ୍ୱାପର ଯୁଗରେ ପାଣ୍ଡବମାନେ ଏଠାକୁ ଆସିଥିଲେ । ପରେ କଳିଯୁଗରେ, ପ୍ରାୟ ୮୩୩ ଖ୍ରୀଷ୍ଟାବ୍ଦରେ ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଏହି ପବିତ୍ର ସ୍ଥାନକୁ ପୁନର୍ବାର ଦର୍ଶନ କରି ଏଠାରେ ତମ୍ବାର ଶିବଲିଙ୍ଗ ସ୍ଥାପନ କରିଥିଲେ ।

    ଆଜି ପାତାଳ ଭୁବନେଶ୍ୱର ଗୁମ୍ଫା କେବଳ ଏକ ତୀର୍ଥକ୍ଷେତ୍ର ନୁହେଁ, ବରଂ ରହସ୍ୟ, ଆସ୍ଥା ଓ ପ୍ରାଚୀନ ଇତିହାସର ଏକ ଜୀବନ୍ତ ପ୍ରତୀକ । କୁହାଯାଏ, ଏଠାରେ ଏକାସାଙ୍ଗେ ଚାରିଧାମର ଦର୍ଶନ ମିଳେ । ଭଗବାନ ଶିବଙ୍କ ଜଟାରୁ ବହୁଥିବା ଗଙ୍ଗାର ଆକୃତି, ଅମୃତ କୁଣ୍ଡ ଏବଂ ସ୍ୱର୍ଗର ପଥର ଆରମ୍ଭ ମଧ୍ୟ ଏଠାରୁ ବୋଲି କିଛି ପୌରାଣିକ ମାନ୍ୟତା ରହିଛି ।

    ତେବେ ଏହି ସମସ୍ତ କଥା ବିଶ୍ୱାସ, ପୁରାଣ ଓ ଲୋକକଥା ଉପରେ ଆଧାରିତ । କିନ୍ତୁ ଏକଥା ନିଶ୍ଚିତ କି ପାତାଳ ଭୁବନେଶ୍ୱର ଗୁମ୍ଫାର ରହସ୍ୟମୟ ପରିବେଶ ଓ ଅଦ୍ଭୁତ ପ୍ରାକୃତିକ ଗଠନ ପ୍ରତ୍ୟେକ ଦର୍ଶନାର୍ଥୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ