Friday, September 25, 2026
24 C
Odisha

    ବିଜେଡି ଆଶାୟୀଙ୍କ ଉତ୍କଣ୍ଠା ବଢ଼ୁଛି: ନବୀନଙ୍କ ‘ହଁ’କୁ ଆଖି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଧାନସଭାର ୭୨ଟି ଏବଂ ଲୋକସଭାର ୧୫ଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କଲା। ବାକି ରହିଗଲା ବିଧାନସଭାର ଅଧାରୁ ଅଧିକ ଅର୍ଥାତ ୭୫ ଆସନ ଏବଂ ଲୋକସଭାର ୬ ଆସନ। ବଳକା ଆସନରେ କିଏ ପ୍ରାର୍ଥୀ ହେବ ? ସେନେଇ ନବୀନ ନିବାସରେ ଅଙ୍କକଷା ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନମଣ୍ଡଳୀଵାରି ତର୍ଜମା ଚଳାଇଛନ୍ତି। ଅନ୍ୟପକ୍ଷରେ ଶୀର୍ଷସ୍ତରରେ ହେଉଥିବା ଟିକେଟ କସରତ ସଂପର୍କରେ ଦଳର କୌଣସି ଜଣେ ବି ନେତା ବିନ୍ଦୁ ବିସର୍ଗ ଜାଣିପାରୁନାହାନ୍ତି। ଏଣୁ କେଉଁ କାରଣ ପାଇଁ କେଉଁ ଆସନ ପଛକୁ ରହିଗଲା, ତାହାର କାରଣ ଖୋଜାଚାଲିଛି। ଯଦି କୌଣସି ନେତାଙ୍କୁ ନବୀନ ନିବାସରୁ ଡକରା ଆସିଲା, ବିରୋଧୀ ଶକ୍ତି ସାଙ୍ଗେ ସାଙ୍ଗେ ସକ୍ରିୟ ହୋଇଉଠୁଛନ୍ତି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ହିଁ ବିଜେଡି ମୁଖିଆଙ୍କ ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ ସଙ୍କେତ ଦେଇଛି। ଏହି ପର୍ଯ୍ୟାୟରେ ମାତ୍ର ୬ ଜଣଙ୍କୁ ଛାଡ଼ି ଦେଲେ ବାକି ସବୁ ବିଧାୟକ ଟିକେଟ୍‌ ପାଇଛନ୍ତି। ସାମାନ୍ୟ ପତିଆରା ଥିବା ନେତା କୌଣସି କାରଣରୁ ଟିକେଟରୁ ବଞ୍ଚିତ ହୋଇଥିଲେ ହେଁ ନବୀନ ତାଙ୍କୁ ଅସନ୍ତୁଷ୍ଟ କରିବା ଲାଗି ସୁଯୋଗ ଦେଇନାହାନ୍ତି। ତାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦିଆଯାଇଛି। ହେଲେ ଏହାଦ୍ବାରା ସେ ଅଞ୍ଚଳରେ ଆଶାୟୀ ପ୍ରାର୍ଥୀ କିନ୍ତୁ ନିରାଶ ହୋଇପଡ଼ିଛନ୍ତି। ଏମାନେ ଆଗକୁ କି ଭୂମିକାରେ ଅବତୀର୍ଣ୍ଣ ହେବେ, ତାହା ଜଣାପଡ଼ିନାହିଁ। ବିଜେଡିର ଶୀର୍ଷ ନେତୃତ୍ବ କିନ୍ତୁ ଅନେକଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି। ସେପଟେ ବାକି ଆସନ ଲାଗି ବିଜେଡି ଏହି ଫର୍ମୁଲାରେ ଟିକେଟ ବାଣ୍ଟିବ ନା ଅନେକ ନେତାଙ୍କୁ ବାଦ୍‌ ଦେବ ସେନେଇ କିଛି ସ୍ପଷ୍ଟ ଚିତ୍ର ମିଳୁନାହି। ଏଣୁ ଏସବୁ ଆସନ ଲାଗି ଆଶାୟୀ ନେତା ଏବଂ କର୍ମୀଙ୍କ ନିଦ ହଜିଗଲାଣି। କେଉଁ ନାଁ ଉପରେ ନବୀନ ହଁ ମାରିବେ, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।.
    ବିଜେଡିର ଜଣେ ଶୀର୍ଷ ନେତାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘୋଷଣା ହୋଇଥିବା ଆସନଗୁଡ଼ିକରେ ବଡ଼ ଧରଣର ବିବାଦ କିଛି ନଥିଲା। କିନ୍ତୁ ଯେଉଁଠି ବିବାଦ ଅଛି, ସେଠାରେ ପ୍ରାର୍ଥୀ ଘୋଷଣା ହୋଇନାହିଁ। କେନ୍ଦ୍ରାପଡ଼ାରୁ ସମ୍ବଲପୁର, ରାଉରକେଲାରୁ ଭୁବନେଶ୍ବର, କଟକରୁ ବଲାଙ୍ଗୀର ସବୁଠି କିଛି କିଛି ସମସ୍ୟା ସାମ୍ନାକୁ ଆସିଛି। କିଛି ଆସନରେ ଏତେ ମାତ୍ରାରେ ଯୋଗ୍ୟ ଆଶାୟୀ ବାହାରିଛନ୍ତି ଯେ କାହାକୁ ଟିକେଟ ଦିଆଯିବ, ତାହା ଏବେ ବିଜେଡିର ଶୀର୍ଷ ନେତୃତ୍ବଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏହିସବୁ ଆସନଗୁଡ଼ିକରେ ଟିକେଟ ଘୋଷଣା ପୂର୍ବରୁ ଅନ୍ୟ ଆଶାୟୀଙ୍କୁ ବୁଝାସୁଝା ନକଲେ ସ୍ଥିତି ବିଗିଡ଼ିଯିବାର ଆଶଙ୍କା ରହିଛି। ଏଣୁ ବୁଝାସୁଝା କରିବାକୁ ହିଁ ଏବେ ଶୀର୍ଷ ସ୍ତରରେ ଆଲୋଚନା ଜାରି ରହିଛି। ପ୍ରାର୍ଥୀ ଘୋଷଣା ପରେ ଯେମିତି ବିଦ୍ରୋହ ନହୁଏ, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି।
    ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ଟିକେଟ ବଣ୍ଟନରେ ପରିବାର ସଦସ୍ୟଙ୍କୁ ବେଶ୍‌ ଗୁରୁତ୍ବ ଦିଆଯାଇଛି। ବାପାଙ୍କ ପରେ ପୁଅ, ଝିଅମାନେ ଟିକେଟ୍‌ ପାଇଁ ବଡ଼ ଦାବିବାର ଭାବେ ଉଭା ହୋଇଛନ୍ତି। କିଛି ଜାଗାରେ ପତ୍ନୀଙ୍କୁ ମଧ୍ୟ ଟିକେଟ୍‌ ମିଳିଛି। ଯଦି ଏହି ଫର୍ମୁଲା ଅନ୍ୟ ଆସନଗୁଡ଼ିକରେ ଲାଗୁ ହେବ, ତେବେ ସେଠାରେ ଅନ୍ୟ ଯୁବ ଆଶାୟୀମାନଙ୍କ ବାଟ ବନ୍ଦ ହୋଇଯିବ। ଏମିତି ଆଉ କେଉଁ କେଉଁ ଆସନ ଅଛି, ତାହାର ହିସାବ ନିକାଶ ଚାଲିଛି। ସେହିପରି ପ୍ରଥମ ପର୍ଯ୍ୟାୟ ଟିକେଟ ବଣ୍ଟନରେ ଅନ୍ୟ ଦଳରୁ ଆସିଥିବା କିଛି ନେତାଙ୍କୁ ବିଜେଡି ବେଶ୍‌ ଗୁରୁତ୍ବ ଦେଇଛି। ଏଥିରେ ଦଳ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଯେ ଦଳଡିଆଁଙ୍କୁ ବିଜେଡି ଅଛୁଆଁ କରୁନି। ଦକ୍ଷତା ଥିଲେ ଟିକେଟ ମିଳିପାରେ। ତେଣୁ ଅନ୍ୟ ଦଳର ଆଉ କିଛି ଟାଣୁଆ ନେତା ବିଜେଡିରେ ମିଶିବା ନେଇ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଲାଣି। କେନ୍ଦ୍ରାପଡ଼ା, ଜଗତସିଂହପୁର, ବଲାଙ୍ଗୀର, ବରଗଡ଼ର କିଛି ନେତାଙ୍କ ନାମ ଆଲୋଚନାରେ ରହିଛି। ଦିନେ ଦୁଇ ଦିନ ଭିତରେ ଏହି ଚିତ୍ର ସ୍ପଷ୍ଟ ହୋଇଯିବ। ସଂସଦୀୟ କ୍ଷେତ୍ରକୁ ବିଚାରକୁ ନେଲେ ଆଉ ୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା ବାକି ରହିଛି। ସେଗୁଡ଼ିକ ହେଲା ବରଗଡ଼, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ବ୍ରହ୍ମପୁର। ବିଜେଡି ତା’ର ଘୋଷଣା ମୁତାବକ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ। ପ୍ରଥମ ପର୍ଯ୍ୟାୟରେ ୪ଟିରେ ମହିଳା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ବାକି ୬ଟିରୁ ୩ଟି ମହିଳାଙ୍କ ଭାଗରେ ପଡ଼ିବ। ସେହି ତିନି ଜଣ କିଏ, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପୁଣି ବିଜେଡି ସଭାପତି କାହିଁକି ୬ଟି ଆସନ ବାକି ରଖିଲେ ଓ ଏହା ପଛର କାରଣ କ’ଣ, ତାହାର ଟେର୍‌ କେହି ପାଉନାହାନ୍ତି। ନବୀନ ନିବାସର ରଣନୀତି ସମ୍ପର୍କରେ ଠୋସ୍‌ ସୂଚନା ଦଳର କୌଣସି ନେତାଙ୍କ ପାଖରେ ନାହିଁ। କେବଳ ଅନୁମାନରେ ହିଁ ସମସ୍ତେ ଅଙ୍କ କଷୁଛନ୍ତି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା‌ରେ ସ୍ଥାନ ପାଇଥିବା ନେତାମାନେ ଆଜି ନବୀନ ନିବାସ ଯାଇଥିଲେ। ସେଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇଥିଲେ। ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର ପ୍ରାର୍ଥୀମାନେ ତାଙ୍କୁ ଭେଟିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    4.3kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ