କ୍ରେଡିଟ୍‌ ବଦଳରେ ନଗଦ ଟଙ୍କା ଦିଅନ୍ତୁ:

ଟଙ୍କା ହାତକୁ ଆସିଲେ କିଛି ଲୋକ ଖର୍ଚ୍ଚରେ ନିୟନ୍ତ୍ରଣ କରିପାରନ୍ତି ନାହିଁ। ଏଣୁ ‌ସଙ୍ଗେ ‌ସଙ୍ଗେ ହାଇ ଷ୍ଟାଟସ୍‌ ପାଇଁ କ୍ରେଡିଟ୍‌ କାର୍ଡ ନେଇଯା’ନ୍ତି। କିନ୍ତୁ ସଞ୍ଚୟ କରିବାକୁ ହେଲେ କିମ୍ବା‌ ଖର୍ଚ୍ଚକାଟ୍‌ କରିବାକୁ ହେ‌ଲେ ଆପଣ କୌଣସି ଦେୟ ପାଇଁ ନଗଦ ଟଙ୍କା କିମ୍ବା ଡେବିଟ୍‌ କାର୍ଡର ବ୍ୟବହାର କରନ୍ତୁ, କ୍ରେଡିଟ୍‌ କାର୍ଡ ବ୍ୟବହାର କରନ୍ତୁ ନାହିଁ। କାରଣ କ୍ରେଡିଟ୍‌ କାର୍ଡ ଏକପ୍ରକାର ଋଣ, ଯାହା ଆପଣଙ୍କଠାରୁ ଦେୟ ପୈଠ ନହେବା ଯାଏ ସୁଧ ହାସଲ କରିଥାଏ। ଯଦିଓ ଏହା ଭଲ କ୍ରେଡିଟ୍‌ ସ୍କୋର୍‌ ଦେଇଥାଏ, କିନ୍ତୁ କୌଣସି ଅତି ଜରୁରି କାମରେ ହିଁ ଏହାର ବ୍ୟବହାର କରିବା ଉଚିତ।

ବ୍ୟକ୍ତିଗତ ସଞ୍ଚୟ ପାଇଁ ନିଜେ ଶିକ୍ଷିତ ହୁଅନ୍ତୁ:

ନିଜର ଆର୍ଥିକ ସ୍ବଚ୍ଛଳ ହେବାର ଭବିଷ୍ୟତ ସଂପୂର୍ଣ୍ଣ ଭାବେ ଆପଣଙ୍କ ହାତରେ। ଏଣୁ ଏସବୁ ଜାଣିବା ପାଇଁ ପ୍ରଥମେ କିଛି ଫାଇନାନ୍‌ସିଆଲ୍‌ ଟିପ୍‌ସ ଫଲୋ କରନ୍ତୁ କିମ୍ବା ବ୍ୟକ୍ତିଗତ ସଞ୍ଚୟ ସମ୍ବଳିତ କୌଣସି ପୁସ୍ତକ ପଢ଼ନ୍ତୁ। ଥରେ ଏବିଷୟରେ ଜ୍ଞାନ ହୋଇଗଲେ ସଞ୍ଚୟ କରିବାର ଅଭ୍ୟାସ ହୋଇଯିବ। ଏହାସହିତ ବଦ୍‌ଖର୍ଚ୍ଚ କରିବାକୁ ପ୍ରବର୍ତ୍ତାଉଥିବା ଲୋକମାନେ ମଧ୍ୟ ତୁମକୁ ସଞ୍ଚୟ ଟ୍ରାକ୍‌ରୁ ଅଲଗା କରିପାରିବେ ନାହିଁ। ଏସବୁ ପରେ ବି ଯଦି ଆପଣ ସଞ୍ଚୟ କରିପାରୁ ନାହାନ୍ତି ତେବେ କୌଣସି ଫାଇନାନସିଆଲ ଏକ୍ସପର୍ଟଙ୍କ ଠାରୁ ଆପଣ ପରାମର୍ଶ ନେଇପାରିବେ।

ବଜେଟ୍‌ ପ୍ଲାନ୍‌ କରିବା ଶିଖନ୍ତୁ:

ଥରେ ଆପଣ ପର୍ସନାଲ୍‌ ଫାଇନାନ୍ସ ପୁସ୍ତକ ପଢ଼ିସାରିବା ପରେ ଆପଣ ମୁଖ୍ୟତଃ ଦୁଇଟି ନିୟମକୁ ମାନିବା ଉଚିତ। ପ୍ରଥମ, ଆପଣଙ୍କ ଖର୍ଚ୍ଚ ଆପଣଙ୍କ ଆୟ ଠାରୁ ଅଧିକ ହେବାକୁ ଦିଅନ୍ତୁ ନାହିଁ ଏବଂ ଦ୍ବିତୀୟ, ଆପଣ କେଉଁଠି କେଉଁଠି ଖର୍ଚ୍ଚ କରୁଛନ୍ତି ତାହା ଉପ‌େର ଧ୍ୟାନ ଦିଅନ୍ତୁ କିମ୍ବା ଲେଖି ରଖନ୍ତୁ। ଏଥିପାଇଁ ଏକ ସହଜ ଉପାୟ ହେଉଛି ପ୍ରଥମେ ଆପଣ ‌ଗୋଟେ ବଜେଟ ପ୍ଲାନ୍‌ କରିନେବା ଜରୁରି। ଯାହାଦ୍ବାରା ଆପଣଙ୍କ ନିଜ ଖର୍ଚ୍ଚ ତଥା ପାରିବାରିକ ଆଦି ଖର୍ଚ୍ଚର ଏକ ରେକର୍ଡ ରହିପାରିବ। ଏଣୁ ଆପଣଙ୍କ ଆବଶ୍ୟକତା ଅନୁଯା‌ୟୀ ଏବଂ ଆପଣଙ୍କ ଆୟର ନିୟନ୍ତ୍ରଣରେ ହିଁ ଖର୍ଚ୍ଚ କରନ୍ତୁ।

ଏକ ଜରୁରୀକାଳୀନ ପାଣ୍ଠି (ଏମର୍ଜେନ୍ସି ଫଣ୍ଡ୍‌) ଆରମ୍ଭ କରନ୍ତୁ:

ବ୍ୟକ୍ତିଗତ ଅର୍ଥ ସଞ୍ଚୟରେ ଏକ ଗୁରୁମନ୍ତ୍ର ହେଉଛି ‘ନିଜପାଇଁ ପ୍ରଥମେ ରଖ’ ଅର୍ଥାତ୍‌ କୌଣସି ବିପଦ କିମ୍ବା କିଛି ଜରୁରୀକାଳୀନ ପରିସ୍ଥିତି ଏବଂ ନିଜର ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବା ନିହାତି ଆବଶ୍ୟକ। ଏହି ସରଳ ଅଭ୍ୟାସ ଆପଣଙ୍କୁ ଆର୍ଥିକ ଅସୁବିଧାରୁ ଦୂରେଇ ରଖିପାରେ ଏବଂ ରାତିରେ ଭଲ ନିଦ ହୋଇ ଶାନ୍ତିରେ ଶୋଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏପରିକି ଟାଣଟୁଣ ବଜେଟ୍‌ରେ ଥିବା ଲୋକମାନେ ପ୍ରତି ମାସରେ ଏକ ଜରୁରୀକାଳୀନ ପାଣ୍ଠି ଭିତ୍ତିରେ କିଛି କିଛି ଟଙ୍କା ରଖିବା ଉଚିତ। ଥରେ ଆପଣ ଏପରି ଅଭ୍ୟାସରେ ପଡ଼ିଗଲେ, ଯାବତୀୟ ଅନାବଶ୍ୟକ ଖର୍ଚ୍ଚ କରିବା ବନ୍ଦ କରିବେ ଏବଂ ଏହାକୁ ଆବଶ୍ୟକ ମାସିକ ଖର୍ଚ୍ଚ ଭାବରେ ବ୍ୟବହାର କରିବା ଆରମ୍ଭ କରିବେ। ଆପଣ ଚାହିଲେ ସ୍ବଳ୍ପ ଅବଧିଯୁକ୍ତ ସଞ୍ଚୟ ବା ଆର୍‌ଡି, ସିଡି ଆଦି କରିପାରିବେ।

ସାମ୍ଭବ୍ୟ ଅବସର ପାଇଁ ସଞ୍ଚୟ କରନ୍ତୁ:

ଚାକିରିରେ ବୟସ ଆଧାରରେ ଆପଣ ଯେତେ ସାନ ହୁଅନ୍ତୁ ନା କାହିଁକି, ଏବେଠୁ ଆପଣ ନିଜର ଅବସର ପାଇଁ ଯୋଜନା କରନ୍ତୁ। ଚାକିରି ଆରମ୍ଭ ହେବାର କିଛି ଦିନ ମଧ୍ୟରେ କମ୍ପାଉଣ୍ଡ୍‌ ଇ‌ଣ୍ଟରେଷ୍ଟ୍‌ ସହିତ ଯେତେବେଳେ ଆପଣ ସଞ୍ଚୟ କରିବା ଆରମ୍ଭ କରିବେ, ତେବେ ଆପଣ କେବଳ ସଞ୍ଚିତ ଅର୍ଥର ପ୍ରିନ୍ସିପାଲ୍‌ ସହିତ ଆପଣ ଓଭର୍‌ ଟାଇମ୍‌ ସୁଧ ମଧ୍ୟ ପାଇବେ, ଯାହାକି ଆପଣଙ୍କୁ ଅବସର ସମୟରେ ଆର୍ଥିକ ବଳ ଦେବ। ତେବେ କମ୍ପାନି ଦ୍ବାରା ପ୍ରଦତ୍ତ ଅବସର ଯୋଜନା ଓ ଆର୍ଥିକ ସହାୟତା ଏକ ଭଲ ବିକଳ୍ପ କିନ୍ତୁ ନିଜର ଏକ ଅବସର ସଞ୍ଚୟ ରଖିବା ମଧ୍ୟ ବୁଦ୍ଧିମାନର କାମ।