Wednesday, October 14, 2026
22.1 C
Odisha

    ନୂଆ ଏନ୍‌ଏସି ଘୋଷଣାର ସାମ୍ବିଧାନିକ ବୈଧତା ନାହିଁ : ପିତାମ୍ବର ଆଚାର୍ଯ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୬/୦୨: ଗତ ଦୁଇ, ତିନି ଦିନ ପୂର୍ବରୁ ଓ ଗତକାଲି ରାଜ୍ୟ ସରକାର ଘୋଷଣା କରିଥିବା ନୂଆ ଏନ୍‌ଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ । ଏହାର କୌଣସି ସାମ୍ବିଧାନିକ ବୈଧତା ନାହିଁ । ନୂଆ ଏନ୍‌ଏସି ଘୋଷଣା କରିବାପାଇଁ ହେଲେ ସେହି ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରିବାକୁ ପଡେ, କ୍ୟାବିନେଟ ପ୍ରସ୍ତାବକୁ ବିଧାନସଭାରେ ଅନୁମୋଦନ କରିବାକୁ ପଡେ । ଏହାକୁ ରାଜ୍ୟପାଳ ଅନୁମୋଦନ କଲାପରେ ଯାଇ କୌଣସି ନୂଆ ଏନ୍‌ଏସି ବା ନୂଆ ପୌରପରିଷଦ ଗଠନ କରାଯାଇଥାଏ । ରାଜ୍ୟ ସରକାର ଘୋଷଣା କରିଥିବା ୩୫ଟି ନୂଆ ଏନ୍‌ଏସିକୁ ନେଇ କ୍ୟାବିନେଟରେ କୌଣସି ପ୍ରସ୍ତାବ ପାରିତ ହୋଇନାହିଁ । ତେଣୁ ରାଜ୍ୟ ସରକାର କେଉଁଭଳି ଭାବରେ ହଠାତ୍ ରାତିଅଧିଆ ବିନା କ୍ୟାବିନେଟ୍ ଅନୁମୋଦନରେ, ବିନା ବିଧାନସଭା ଅନୁମୋଦନରେ, ବିନା ରାଜ୍ୟପାଳଙ୍କ ଅନୁମୋଦନରେ ଏହି ଘୋଷଣା କରିଛନ୍ତି ତାହା ବଡ ଆଶ୍ଚର୍ଯ୍ୟଜନକ ବୋଲି ଶ୍ରୀ ରାଜ୍ୟ ମୁଖପାତ୍ର ଶ୍ରୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଆଚାର୍ଯ୍ୟ କରିଛନ୍ତି ଯେ, ବିଜେଡି ସରକାର ଲୁଟେରା ସରକାର । ୨୪ବର୍ଷ ଶାସନରେ ରାଜ୍ୟକୁ ଲୁଣ୍ଠନ କରିବା ପରେ ନିର୍ବାଚନକୁ ୨ମାସ ଥିବାବେଳେ ତାଙ୍କର ବିକାଶ କଥା ମନେ ପଡେ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନ୍ୟାୟକୁ ପ୍ରଦାନ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । ସରକାର ଆଇନଗତ ଅଧିକାରକୁ ଭୃକୁଂଚିତ କରି ନିର୍ବାଚନ ଧୂଆଁବାଣ ଛାଡିଛନ୍ତି । ଏନେଇ ନିର୍ବାଚନ କମିଶନକୁ ଅବଗତ କରିବ ବିଜେପି । ନିର୍ବାଚନ ସମୟରେ ଲୋକମାନଙ୍କୁ ଭ୍ରମ ସୃଷ୍ଟିକାରୀ ଯୋଜନା ଓ ନୂତନ ଯୋଜନାର ଆଳ ଦେଖାଇବା ବିଜେଡିର ପୁରୁଣା ରୋଗ । ବିଜେଡି ସରକାରର ହୀନ ଉଦ୍ୟମକୁ ବିଜେପି ଦୃଢ଼ ସ୍ୱରରେ ନିନ୍ଦା କରୁଛି । ରାଜ୍ୟ ସରକାର ୩୫ଟି ଏନ୍‌ଏସି ଗଠନ କଲେ ନାହିଁ ବରଂ ୩୫ଟି ନୂଆ ମକଦ୍ଦମା ତିଆରି କରିଦେଲେ । ଲୋକମାନେ ଏବେ ମାଲି ମୋକଦ୍ଦମାରେ କିଭଳି ବ୍ୟସ୍ତ ହେବେ ତାହା ପାଇଁ ସରକାର ରାସ୍ତା କରିଛନ୍ତି । ପ୍ରାୟ ୫ବର୍ଷ ତଳେ ରାଉରକେଲା, ସମ୍ବଲପୁରକୁ ରାଜ୍ୟ ସରକାର କର୍ପୋରେସନ ଘୋଷଣା କରିଥିଲେ ସେତେବେଳରୁ ଏଯାଏଁ ହାଇକୋର୍ଟରେ ମକଦ୍ଦମା ବିଚାରାଧିନ ରହିଛି ଓ ନିର୍ବାଚନ ହୋଇପାରୁନାହଁ ।
    ଓଡିଶା ମ୍ୟୁନିସିପାଲ ଆକ୍ଟ ୧୯୫୦, ଓଡିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ ୨୦୦୩ ଅନୁସାରେ ଓଡିଶାରେ କୌଣସି ନୂଆ ଏନଏସି ଘୋଷଣା କରିବା ପୂର୍ବରୁ ସେହି ଅଂଚଳରେ ଜଣଶୁଣାଣି କରାଯିବାର ନିୟମ ରହିଛି, କିନ୍ତୁ ରାଜ୍ୟ ସରକାର ନା କୌଣସି ଜାଗାରେ ଜନଶୁଣାଣି କରିଛନ୍ତି ନା କୌଣସି ନିର୍ବାଚିତ ଜନପ୍ରତିନିଧି ମାନଙ୍କର ମତାମତ ନେଇଛନ୍ତି । ଲୋକଙ୍କ ସୁବିଧା ଦୃଷ୍ଟିରୁ ନୂଆ ପୌରାଂଚଳ ଗଠନକୁ ବିଜେପି ସବୁବେଳେ ସମର୍ଥନ କରିବ । ସରକାର କେବଳ ନିର୍ବାଚନ ପୂର୍ବରୁ ଘୋଷଣା କରି ଲୋକଙ୍କୁ ଠକିବା ପାଇଁ ଚାହୁଁଥିବେ ତାହେଲେ ଏହାକୁ ବରଦାସ୍ତ କରାଯିବନାହିଁ । ସମ୍ବିଧାନର ଅନୁଚ୍ଛେଦ-୧୨ ଓ ଧାରା-୨୪୩ (ଡବ୍ଲ୍ୟୁ) କୁ ଉଲ୍ଲଂଘନ କରି ନୂଆ ଏନଏସି ଘୋଷଣାର ମାନେ କିଛି ନାହିଁ । ନିର୍ବାଚନ ଆସିଲେ ବିଜୁ ଜନତା ଦଳ ସରକାର ଲୋକଙ୍କୁ କେବଳ ପ୍ରତିଶ୍ରୁତି ଦିଏ । ନିର୍ବାଚନ ପରେ ସେହି ପ୍ରତିଶ୍ରୁତି ଭୁଲିଯାଏ । ଆଜି ଏବେ ଆଉ ନିର୍ବାଚନ ପୂର୍ବରୁ ବିଧାନସଭା ବସିବାର ନାହିଁ । ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ନୂଆ ଜିଲ୍ଲା ଗଠନ ଆଜି ପ୍ରତାରଣାରେ ପରିଣତ ହୋଇଛି । ପଦ୍ମପୁର ଜିଲ୍ଲା ଘୋଷଣାକୁ ଯେଉଁଭଳି ଭାବରେ ବିଜୁ ଜନତା ଦଳ ସରକାର ପ୍ରାୟୋଜିତ ଢଙ୍ଗରେ ହାଇକୋର୍ଟରେ ନିଜର ଦଳୀୟ ଓକିଲଙ୍କୁ ଲଗାଇ ଜିଲ୍ଲା ଘୋଷଣା ନିଷ୍ପତି ଉପରେ ରୋକ୍ ଲଗାଇବାର ଷଡଯନ୍ତ୍ର କରାଇଥିଲେ ସେଭଳି ସମାନ ଢଙ୍ଗରେ ଏହି ନୂଆ ଏନଏସି ଗଠନ ଘୋଷଣାକୁ କରାଇବେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
    ବିଜୁ ଜନତା ଦଳ ସରକାର ପ୍ରଶାସନିକ ସଂସ୍କାରରେ ଦେଶରେ ସବୁଠାରୁ ପଛରେ । ୧୯୯୨ରେ ହୋଇଥିବା ୭୪ତମ ସମ୍ବିଧାନ ସଂଶୋଧନରେ ପୌରସଂସ୍ଥାକୁ ଯେଉଁ କ୍ଷମତା ଦିଆଯାଇଛି ସେହି କ୍ଷମତାରୁ ଓଡିଶାରେ ବିଏମସି ସମେତ ୧୧୪ଟି ପୌରସଂସ୍ଥାକୁ ରାଜ୍ୟ ସରକାର ବଂଚିତ କରିଛନ୍ତି । ଏନେଇ ମାନ୍ୟବର ସିଏଜି ଅତୀତରେ ଆପତି ଉଠାଇ କହିଥିଲେ ଯେ, ଦିଆଯାଇଥିବା ୧୮ଟି କ୍ଷମତାରୁ ୧୭ଟି କ୍ଷମତା ଅତ୍ୟନ୍ତ ଖାମଖିଆଲି ଭାବେ ଦିଆଯାଇ ଲୋକପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଛି । ଏନେଇ ରାଜ୍ୟ ସରକାର ସ୍ଫଷ୍ଟୀକରଣ ଦିଅନ୍ତୁ ।
    “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଘୋଷଣା କରି ପ୍ରତ୍ୟେକ ପଂଚାୟତକୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଅନୁଦାନ ଦେବେ ବୋଲି ଘୋଷଣା କଲେ । ଗ୍ରାମସଭା ଓ ପଲ୍ଲୀସଭା ଦ୍ୱାରା ଗାଁର ବିକାଶ ପାଇଁ ପଂଚାୟତ ଆଇନରେ ବ୍ୟବସ୍ଥା ରହିଛି ସେ ସବୁ ସଂସ୍ଥାକୁ ରାଜ୍ୟ ସରକାର ଭୂକ୍ଷେପ ନକରିବା ସହ ସରପଂଚ ଓ ୱାର୍ଡମେମ୍ବରକୁ ବିଶ୍ୱାସକୁ ନନେଇ ରାଜ୍ୟ ସରକାର ବିଡିଓ ଓ ଜିଲ୍ଲାପାଳ, ବିଜେଡିର ଚେଲାଙ୍କ ଜରିଆରେ ହରିଲୁଟ୍ କଲେ । ରାଜ୍ୟ ସରକାର ପଂଚାୟତର କ୍ଷମତାକୁ ସମ୍ପୂର୍ଣ୍ଣଭାବେ କ୍ଷୁର୍ଣ୍ଣ କଲେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ