Thursday, July 3, 2025
23.7 C
Odisha

    କେନ୍ଦ୍ରୀୟ ସମବାୟ ବିଭାଗର ସମସ୍ତ ଯୋଜନାକୁ ରାଜ୍ୟରେ ଅଣଦେଖା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୨/୦୩: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିଭାଗର ବିକାଶ କରିଛନ୍ତି । ସେଥିରୁ ସମବାୟ ଅନ୍ୟତମ । ସମବାୟ କ୍ଷେତ୍ରରେ ପ୍ରଗତି ଆଣିବା ମୋଦି ସରକାରଙ୍କ ଗ୍ୟାରେଂଟି ଓ ପ୍ରତିବଦ୍ଧତା । ୨୦୨୧ ଜୁଲାଇ ୬ତାରିଖରେ କେନ୍ଦ୍ରରେ ସ୍ୱତନ୍ତ୍ରଭାବେ ସମବାୟ ମନ୍ତ୍ରଣାଳୟ ଗଠନ କରିବା ସହିତ ସମବାୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଜଣେ ସଫଳ ବିଶିଷ୍ଟ ସମବାୟବିତ୍ ଶ୍ରୀ ଅମିତ ଶାହାଙ୍କୁ ଏହି ମନ୍ତ୍ରଣାଳୟର ଦାୟିତ୍ୱ ଦେଇ ନିଜର ପ୍ରତିବଦ୍ଧତାକୁ ପ୍ରତିପାଦନ କରିଛନ୍ତି ମୋଦିଜୀ । ଭାରତରେ ୮ଲକ୍ଷ ୫୫ହଜାରରୁ ଊର୍ଦ୍ଧ୍ୱ ଭିନ୍ନ ଭିନ୍ନ କ୍ଷେତ୍ରର ସମବାୟ ସମିତିମାନ ଅଛି । ଆଜିର ଦିନରେ ପ୍ରାୟ ଭାରତର ୯୧ ପ୍ରତିଶତ ଗ୍ରାମ ସମବାୟ ଅନୁଷ୍ଠାନ ସହିତ ସଂଯୁକ୍ତ ଅଛନ୍ତି । ପ୍ରାୟ ୧୩କୋଟିରୁ ଊର୍ଦ୍ଧ୍ୱ ଲୋକ ସମବାୟ ସମିତିସହ ଯୋଡି ହୋଇ ଦେଶର ପ୍ରଗତିରେ ସହାୟକ ହୋଇଛନ୍ତି । ପୂର୍ବେ ବିଭିନ୍ନ ପ୍ରଦେଶରେ ସମବାୟ ସଂସ୍ଥାମାନେ ନିଜସ୍ୱ ଆଇନରେ ପରିଚାଳିତ ହେଉଥିଲେ । ମାତ୍ର ସ୍ୱାଧୀନତାର ଅମୃତକାଳରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ସମବାୟକୁ କ୍ରିୟାଶୀଳ ଓ ସଶକ୍ତ କରିବା ପାଇଁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ବିଭାଗ ଖୋଲି କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିଛନ୍ତି । ଯଦ୍ୱାରା ସମାଜର ଅନ୍ତିମ ବର୍ଗରେ ଥିବା ବ୍ୟକ୍ତି ପାଖରେ ସମବାୟ କିପରି ସହଜରେ ପହଂଚିପାରିବ ସେଥିପାଇଁ ମୋଦି ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ପୂର୍ବତନ ସମବାୟ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, କେବଳ ବିଜେପି ସରକାର ହିଁ ସମବାୟ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି । ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ସରକାର କୃଷି ଋଣକୁ ସରଳୀକରଣ କରିବାକୁ ଯାଇ ତଥାକଥିତ ମହାଜନି କାରବାର ସଦୃଶ ଋଣରୁ କୃଷକମାନଙ୍କୁ ମୁକ୍ତି ଦେଇଥିଲେ । କୃଷି ଋଣର ପରିମାଣ ବୃଦ୍ଧି କରିବା ସହ ପ୍ରଚଳିତ ୧୪ପ୍ରତିଶତ ସୁଧହାରକୁ ହ୍ରାସ କରି ୭ପ୍ରତିଶତ ସୁଧ ପ୍ରଚଳନ କରିଥିଲେ । ଏହାସହ ଋଣ ଉଠାଣକୁ ସରଳୀକରଣ କରିବାକୁ ଯାଇ “କିଷାନ କ୍ରେଡିଟ କାର୍ଡ” ପ୍ରଚଳନ କରିଥିଲେ, ଯାହା ଆଜି ଯୁଗାନ୍ତକାରୀ । ମୋଦିଜୀଙ୍କ ନେତୃତ୍ୱାଧିନ ସରକାର ସର୍ବଭାରତୀୟ ସ୍ତରରେ ନୂତନଭାବେ କେନ୍ଦ୍ରରେ ସମବାୟ ବିଭାଗ ଖୋଲି “ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ”କୁ ଏହି କ୍ଷେତ୍ରରେ ପ୍ରୟୋଗ କରି ପ୍ରାଥମିକ କୃଷି ସମବାୟ ସମିତିକୁ ସୁଦୃଢ଼ିକରଣ କରିବା ସହ କେନ୍ଦ୍ରୀୟ ବଜେଟ୍‌ରେ ଅଧିକ ଅର୍ଥବରାଦ କରି ସମବାୟକୁ ଏକ କେନ୍ଦ୍ର ଓ ବହୁମୁଖୀ ଯୋଜନାରେ ପରିଣତ ପାଇଁ ଉଦ୍ୟମ କରିଛନ୍ତି । ମଡେଲ୍ ବାଇଲ ଅନୁଯାୟୀ ଦେଶରେ ୨ଲକ୍ଷ ନୂତନ ସମବାୟ ସମିତି ଯଥା ଦୁଗ୍ଧ, ମତ୍ସ୍ୟ ଓ କୃଷି ସମବାୟ ସମିତି ଗଠନ ହେବ ।
    ନୂଆ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ପଂଚାୟତରେ ଗୋଟିଏ ପ୍ରାଥମିକ କୃଷି ସେବା ସମବାୟ ସମିତି ଗଠନ ହେବାର ନିଷ୍ପତି ନିଆଯାଇଛି । ପ୍ରତ୍ୟେକ ସମବାୟ ସମିତିର ଗୃହ ନିର୍ମାଣ ପାଇଁ ଜାଗା ଯୋଗାଇଦେବା ସହ ଆର୍ôଥକ ବ୍ୟବସ୍ଥା କରିବା, ସମବାୟ ସମିତିକୁ ଡାଟା ବେସ୍ ରେକର୍ଡ ସହ କମ୍ପ୍ୟୁଟରୀକରଣ କରି ସ୍ୱଚ୍ଛତା ଆଣିବା, ସମବାୟ ସମିତିର ବିକାଶ ପାଇଁ ଏହାକୁ ବହୁମୁଖି ଯୋଜନାରେ ପରିଣତ କରିବାକୁ ଯାଇ ସମିତି ପରିସରରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ଖୋଲିବା, ସାର୍ କୀଟନାଶକ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଖୋଲିବା, ସୁଲଭ ମୂଲ୍ୟରେ ଏଲପିଜି ଗ୍ୟାସ ବିତରଣ କରିବା, ପେଟ୍ରୋଲ ଓ ଡିଜେଲ୍‌ର ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲିବା, ସମବାୟ ସମିତି ସ୍ତରରେ ୫୦ହଜାର ମେଟ୍ରିକଟନ କ୍ଷମତା ସମ୍ପର୍ଣ୍ଣ ଶୀତଳ ଭଣ୍ଡାର(ସୋଲାର) ନିର୍ମାଣ, ଜନସେବା କେନ୍ଦ୍ର, କୃଷକ ଉତ୍ପାଦକ ସଂଘ, ଖାଦ୍ୟ ଶସ୍ୟର ମହଜୁଦ୍ ପାଇଁ ଗୋଦାମ ଗୃହ ନିର୍ମାଣ କରିବା, ସମବାୟ ସମିତିରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପ୍ରଚଳନ କରି ମିିନି ବ୍ୟାଙ୍କ ପ୍ରତିଷ୍ଠା କରି ବ୍ୟାଙ୍କ ମିତ୍ର ପର୍ଯ୍ୟନ୍ତ ବ୍ୟବସ୍ଥା କରିବା, ହିତାଧିକାରୀଙ୍କୁ ଋପେ କାର୍ଡ ପ୍ରଦାନ ସହ ଏଟିଏମ୍ ପ୍ରତିଷ୍ଠା କରିବା, କ୍ରେଡିଟ୍ ଗ୍ୟାରେଂଟିର ଲାଭ ଦେବା, ସୁନା ଋଣ ସୁଲଭ ମୂଲ୍ୟରେ ପ୍ରଦାନ କରିବା, ସୁଲଭ ମୂଲ୍ୟରେ ଗୃହ ନିର୍ମାଣ ଋଣ ପ୍ରଦାନ ଆଦି ଅନେକ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ନିଷ୍ପତି ନିଆଯାଇଥିବାବେଳେ ଓଡିଶାରେ ରାଜ୍ୟ ସରକାର ସମବାୟ ବିକାଶରେ ଅଗ୍ରାଧିକାର ନଦେଇ ଏସମସ୍ତ ଯୋଜନାକୁ ବାଟବଣା କରି ସ୍ଥାଣୁ ଅବସ୍ଥାରେ ରଖିଛନ୍ତି । ଏପରିକି ୨, ୮୦୦ ପ୍ରାଥମିକ କୃଷି ସମବାୟ ସମିତି ଥିବାବେଳେ ସ୍ଥାୟୀ ସମ୍ପାଦକ ମାତ୍ର ୧୧୩ଜଣ ଅଛନ୍ତି । ଅସ୍ଥାୟୀ କର୍ମଚାରୀମାନଙ୍କୁ ନେଇ ଏହି ସମବାୟ ସଂସ୍ଥା ଚାଲିଥିବାବେଳେ ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ଅସଲ ଚେହେରା ପଦାରେ ପଡିଛି । ଅନେକ ସମବାୟ ସମିତି ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ଶୀର୍ଷ ସମବାୟ ସମିତି ଆଜିବି ରୁଗୁଣ ଅବସ୍ଥାରେ ପଡିଛି । ତାହାର ଖବର ରାଜ୍ୟ ସରକାରଙ୍କ ପାଖରେ ଅଛି କି ନାହିଁ ଶ୍ରୀମତୀ ପାଢ଼ୀ ପ୍ରଶ୍ନ କରିଛନ୍ତି ।
    ମଣ୍ଡି ଭିତିଭୂମିର ସୁଦୃଢ଼ିକରଣ ପାଇଁ ସମବାୟ ସମିତିକୁ ମୋଦି ସରକାର ଆର୍ôଥକ ସହଯୋଗ ଯୋଗାଉଥିବାବେଳେ ରାଜ୍ୟ ସରକାର ଉକ୍ତ ଅର୍ଥକୁ ବାଟମାରଣା କରିଛନ୍ତି । ଯଦ୍ୱାରା ଓଡ଼ିଶାରେ ମଣ୍ଡିର ଭିତିଭୂମି ଅତ୍ୟନ୍ତ ନିମ୍ନମାନର । ମଣ୍ଡି ବ୍ୟବସ୍ଥାରେ ସରକାରୀବାବୁମାନେ ମଧୁଚନ୍ଦ୍ରିକା ସାଜି ଚାଷୀଙ୍କୁ ଶୋଷଣ କରୁଛନ୍ତି, ଯଦ୍ୱାରା ଚାଷୀ କେନ୍ଦ୍ର ସରକାର ଏମ୍‌ଏସ୍‌ପି ଦରରେ ଧାନ ବିକ୍ରିୟ କରିନପାରି ଶାଗ, ମାଛ ଦରରେ ଦଲାଲଙ୍କୁ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି । ୧୯୬୨ ରୁ ୨୦୨୧ ପର୍ଯ୍ୟନ୍ତ ଏନସିଡିସି ସମବାୟ ସଂସ୍ଥାମାନଙ୍କୁ ୧.୭୭ ଲକ୍ଷ କୋଟି ଟଙ୍କା ଋଣ ଯୋଗାଇଥିବାବେଳେ ୨୦୨୧-୨୨ରେ ଆର୍ôଥକ ବର୍ଷରେ ୩୪,୨୨୧.୦୮କୋଟି, ୨୦୨୨-୨୩ରେ ୪୧, ୩୧.୪୦କୋଟି, ୨୦୨୩-୨୪ରେ ୫୬,୧୯୬ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଲଗାଣ କରିପାରୁଛି, ଯାହା ମୋଦି ସରକାରଙ୍କ ପ୍ରତିବଦ୍ଧତା ପ୍ରମାଣ ଦେଉଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପବିତ୍ର ମୋହନ ଦାଶ, ରାଜ୍ୟ ସମବାୟ ପ୍ରକୋଷ୍ଠ ସଂଯୋଜକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ ଓ ସଦସ୍ୟ ଶ୍ରୀ କଲ୍ୟାଣ କୁମାର ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    97 %
    0.8kmh
    100 %
    Thu
    24 °
    Fri
    29 °
    Sat
    29 °
    Sun
    28 °
    Mon
    25 °

    ସମ୍ବନ୍ଧିତ