Monday, April 6, 2026
31.8 C
Odisha

    ବ୍ରିକ୍ସ ସମ୍ମିଳନୀ-୨୦୨୪: ମୋଦୀ-ପୁଟିନ କଥାବାର୍ତ୍ତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷୋଡ଼ଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାପାଇଁ ଆଜି ରୁଷ୍‌‌ରେ ପହଞ୍ଚିଛନ୍ତି। ରୁଷ୍‌ର କାଜାନ୍‌ ସହରରେ ଆଜି ବ୍ରିକ୍ସ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବ ଅଛି ଏବଂ ଆସନ୍ତାକାଲି ମୁଖ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ଆଜି ମୋଦୀ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଛି। ରୁଷ୍‌- ୟୁକ୍ରେନ ଯୁଦ୍ଧ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଉପରେ ଉଭୟ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଛନ୍ତି। ଦ୍ବିପାକ୍ଷିକ ବୈଠକରେ ମୋଦୀ ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସବୁ ପ୍ରକାର ସହଯୋଗ ପ୍ରଦାନ କରିବ ବୋଲି କହିଛନ୍ତି।

    ମୋଦୀ ପୁଟିନଙ୍କୁ କହିଛନ୍ତି, ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ବିବାଦ ସଂକ୍ରାନ୍ତରେ ମୁଁ ଆପଣଙ୍କ ସହ ବାରମ୍ବାର ଯୋଗାଯୋଗରେ ରହିଛି। ମୁଁ ମଧ୍ୟ ଆପଣଙ୍କୁ ପୂର୍ବରୁ କହିଛି ଯେ ଆମେ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟାର ସମାଧାନ ହେବା ଉପରେ ବିଶ୍ବାସ କରୁ। ତୁରନ୍ତ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାକୁ ଆମେ ସମର୍ଥନ କରୁଛୁ। ଆମର ସମସ୍ତ ଉଦ୍ୟମ ମାନବିକତାକୁ ଗୁରୁତ୍ବ ପ୍ରଦାନ କରୁଛି। ୟୁକ୍ରେନ ସମସ୍ୟାର ସମାଧାନ ଦିଗରେ ଭାରତ ଆଗକୁ ସବୁ ପ୍ରକାର ସହଯୋଗ କରିବ ବୋଲି ମୋଦୀ ପୁଟିନଙ୍କୁ କହିଛନ୍ତି।

    ରୁଷ୍‌-ୟୁକ୍ରେନ ଯୁଦ୍ଧର ଅବସାନ ପାଇଁ ଭାରତ ସବୁ ସହଯୋଗ କରିବ
    ମାନବିକତାକୁ ଗୁରୁତ୍ବ ଦେଇ କଥାବାର୍ତ୍ତା ଆରମ୍ଭ କରିବାକୁ ମୋଦୀଙ୍କ ଆହ୍ବାନ

    ଆଜି ମୋଦୀ ରୁଷ୍‌ରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ମୋଦୀ ପୁଟିନଙ୍କୁ ବୈଠକରେ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି, ଆପଣଙ୍କ ବନ୍ଧୁତା, ସ୍ବାଗତ ଓ ଆତିଥ୍ୟ ପାଇଁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ବ୍ରିକ୍ସ ସମ୍ମିଳନୀ ପାଇଁ କାଜାନ ଭଳି ଏକ ସୁନ୍ଦର ସହରକୁ ଆସିବାର ସୁଯୋଗ ମିଳିବା ଅତ୍ୟନ୍ତ ଆନନ୍ଦଦାୟକ। କାଜାନରେ ଭାରତର ନୂଆ ଦୂତାବାସ ଖୋଲିବା‌ ଦ୍ବାରା ଏହ‌ା ଆମ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ମୋଦୀ କହିଛନ୍ତି। ସେହିପରି ପୁଟିନ ମଧ୍ୟ ମୋଦୀଙ୍କ ସହ କଥାବାର୍ତ୍ତା ସମୟରେ ଭାରତ-ରୁଷ୍‌ ସମ୍ପର୍କକୁ ସ୍ବତନ୍ତ୍ର ବୋଲି କହିଥିଲେ। ପୁଟିନ କହିଛନ୍ତି, ଆମେ ଗତ ଜୁଲାଇରେ ଭେଟ ହୋଇଥିଲେ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।

    ଆମେ ମଧ୍ୟ ଟେଲିଫୋନ୍‌ରେ ଅନେକ ସମୟରେ କଥା ହୋଇଛେ। ଆପଣ ମୋ ନିମନ୍ତ୍ରଣ ଗ୍ରହଣ କରି କାଜାନ୍‌ ଆସିଥିବାରୁ ଏଥିପାଇଁ ମୁଁ କୃତଜ୍ଞ। ବ୍ରିକ୍ସ ସମ୍ମିଳନୀରେ ଅନ୍ୟ ନେତାମାନଙ୍କ ସହ ଆମେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଉଚିତ ବୋଲି ପୁଟିନ କହିଛନ୍ତି। ବ୍ରିକ୍ସ (ବ୍ରାଜିଲ୍‌, ରୁଷ୍‌, ଭାରତ, ଚୀନ୍‌ ଓ ଦକ୍ଷିଣ ଆଫ୍ରିକା) ଗୋଷ୍ଠୀର ସଫଳତା ପାଇଁ ମୋଦୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ