ସାରା ଦେଶରେ ଅତି ଧୁମଧାମରେ ପାଳନ କରାଯାଏ ଦଶହରା ବା ଦୁର୍ଗାପୂଜା । ବିଶେଷ କରି ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଦେବୀ ମାଆଙ୍କ ଆଗମନକୁ ଚାହିଁ ରହି ଥାଆନ୍ତି ଶ୍ରଦ୍ଧାଳୁ । ନବରାତ୍ରରେ ସାରା ଦେଶରେ ଉତ୍ସବର ମାହୋଲ ରହିଥାଏ । ଏହି ସମୟରେ କେହି ଉପବାସ ରଖନ୍ତି ତ କେହି ନୂଆ ନୂଆ ଡ୍ରେସ୍ ପିନ୍ଧି ପୂଜାରେ ସାମିଲ ହୋଇଥଆନ୍ତି । ଏହି କ୍ରମରେ ଜେଲ୍ ଅନ୍ତେବାସୀ ବା କଏଦୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ପଶ୍ଚିମ ବଙ୍ଗ ସରକାର । ଏଥର ପୂଜାର ଜେଲ୍ ଅନ୍ତେବାସୀଙ୍କ ପାଇଁ ସ୍ପେଶାଲ ମେନ୍ୟୁ ତିଆରି ହୋଇଛି ।
ଏହି ନୂଆ ମେନ୍ୟୁ ଅନୁଯାୟୀ ଅଷ୍ଟମ, ନବମୀ ଓ ଦଶମୀରେ ଜେଲ ଅନ୍ତେବାସୀଙ୍କୁ ପରସା ଯିବ ସ୍ୱତନ୍ତ୍ର ବ୍ୟଞ୍ଜନ । ମଧ୍ୟାନ୍ନ ଭୋଜନ ଓ ରାତ୍ରୀ ଭୋଜନ ସମୟରେ ଏହି ସ୍ୱତନ୍ତ୍ର ବ୍ୟଞ୍ଜନର ସ୍ୱାଦ ପାଇବେ ଜେଲ ଅନ୍ତେବାସୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜେଲ ଅନ୍ତବାସୀଙ୍କ ଖୁସି ତଥା ଧାର୍ମିକ ଭାବନକୁ ସମ୍ମାନ ଜଣାଇ ବଡ ଘୋଷଣା କରିଥିଲେ । ଏହି ଘୋଷଣା ମୁତାବକ ଜେଲ ଅନ୍ତେବାସୀଙ୍କ ସପ୍ତମୀ ଅଷ୍ଟମୀ ଓ ନବମୀରେ ମଟନ ବିରିୟାନୀ ସହ ମିଳିବ ଚିକେନ ତରକାରୀ ।
ଖାଲି ସେତିକି ନୁହେଁ ବିରିୟାନୀ ଓ ଚିକେନ ସହ ମାଛ ପୋଇ, ବାସନ୍ତି ପଲଉ ଓ ପାଏସ ବ୍ୟବସ୍ଥା ବି ହୋଇଛି । ତେବେ ସବୁ ଜେଲ୍ ପାଇଁ ଏହା ଉଦ୍ଦିଷ୍ଟ ହେବନାହିଁ । କେବଳ ବିଚାର ବିଭାଗୀୟ ହାଜତରେ ଥିବା ବିଚାରାଧୀନ କଏଦୀ କିମ୍ବା ଦୋଷୀଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଛି । ସବୁଠାରୁ ବଡ କଥା ହେଉଛି ଏହି ସବୁ ବ୍ୟଞ୍ଜନ ଜେଲରେ ରୋଷେୟା ଭାବରେ କାର୍ଯ୍ୟ କରୁଥିବା ଅନ୍ତେବାସୀ ପ୍ରସ୍ତୁତ କରିବେ । ଅକ୍ଟୋବର ୯ ତାରିଖରୁ ଅକ୍ଟୋବର ୧୨ ତାରିଖ ଯାଏଁ ଉଭୟ ମଧ୍ୟାନ୍ନ ଭୋଜନ ଓ ରାତ୍ରୀ ଭୋଜନ ସମୟରେ ପରସା ଯିବ ପୂଜା ସ୍ପେଶାଲ ଆଇଟମ ।
ବର୍ତ୍ତମାନ ପଶ୍ଚିମବଙ୍ଗରେ ମୋଟ ୫୯ଟି ବିଚାର ବିଭାଗୀୟ ଜେଲ ରହିଛି, ଯେଉଁଠି ୨୬,୯୯୪ ପୁରୁଷ ଅନ୍ତେବାସୀ ରହୁଥିବା ବେଳେ ୧,୭୭୮ ଜଣ ମହିଳା ଅନ୍ତେବାସୀ ବିଚାରାଧୀନ ରହିଛି । ଏହାକୁ ନେଇ ଏକ ବିଚାର ବିଭାଗୀୟ ବିଭାଗ ହାଜତର ଜଣେ ଅଧିକାରୀ କହିଛନ୍ତି, ଏଥର ପୂଜା ପାଇଁ ଆମେ ସ୍ୱତନ୍ତ୍ର ମେନ୍ୟୁ ପ୍ରସ୍ତୁତ କରିଛୁ । ଏହାଦ୍ୱାରା ଆମେ ଅନ୍ତେବାସୀଙ୍କ ମୁହଁରେ ସାମାନ୍ୟ ଖୁସି ଫୁଟାଇ ପାରିବୁ ବୋଲି ଆଶା କରୁଛୁ । ଏହାଦ୍ୱାରା ସେମାନଙ୍କୁ ସୁଧୁରିବା ପାଇଁ ଏକ ସୁଯୋଗ ମିଳିବ ନିଶ୍ଚିତ । ତେବେ ଏହା ପ୍ରଥମ ଥର ନୁହେଁ, ବଡ଼ବଡ଼ ପର୍ବପର୍ବାଣୀରେ ଜେଲ ଅନ୍ତେବାସୀଙ୍କ ଆଗରୁ ସ୍ୱତନ୍ତ୍ର ବ୍ୟବସ୍ଥା କରି ଆସିଛନ୍ତି ପଶ୍ଚିମବଙ୍ଗ ସରକାର ।