Saturday, April 11, 2026
37.5 C
Odisha

    ଲୋକସଭାରେ ‘ସମ୍ବିଧାନ’ ବିତର୍କ ଆରମ୍ଭ: ଟ୍ରୋଲ୍‌ ହେଲେ ପ୍ରିୟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ଆଜି ଦୁଇଦିନିଆ ବିତର୍କ ଲୋକସଭାରେ ଆରମ୍ଭ ହୋଇଛି। ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ଏହି ଆଲୋଚନା ଆରମ୍ଭ କରି କଂଗ୍ରେସକୁ ସମାଲୋଚନା କରିଛନ୍ତି। ପ୍ରତିଷ୍ଠାନଗୁଡ଼ିକର ସ୍ବାଧୀନତା ଏବଂ ସ୍ବାୟତ୍ତତାକୁ ସମ୍ମାନ ଦେବାରେ କଂଗ୍ରେସ ସମର୍ଥ ହୋଇନାହିଁ। ସମ୍ବିଧାନର ମୂଳ ନୀତିକୁ କଂଗ୍ରେସ ନିରନ୍ତରଭାବେ ନୀଚା କରି ଦେଖାଇଛି ବୋଲି ରାଜନାଥ କହିଛନ୍ତି। ସମ୍ବିଧାନ ପ୍ରଣୟନରେ ବିଭିନ୍ନ ନେତାଙ୍କ ଅବଦାନକୁ କଂଗ୍ରେସ ଦଳ ଜାଣିଶୁଣି ଅଣଦେଖା କରିଛି। ବିରୋଧୀ ଦଳ ଆଜି ସମ୍ବିଧାନର ସୁରକ୍ଷା ପ୍ରସଙ୍ଗ ଉଠାଇବାକୁ ସେ ଠିକ୍ ମନେ କରନ୍ତି ନାହିଁ। ଆଜିକାଲି ବିରୋଧୀ ଦଳ ନେତାମାନେ ସେମାନଙ୍କ ପକେଟରେ ସମ୍ବିଧାନ ରଖୁଛନ୍ତି। ବସ୍ତୁତଃ ସେମାନେ ପିଲାଦିନୁ ପିଢ଼ି ପରେ ପିଢ଼ି ସମ୍ବିଧାନକୁ ପକେଟରେ ରଖିବା ଶିଖିଛନ୍ତି ବୋଲି ରାଜନାଥ କଟାକ୍ଷ କରିଥିଲେ। କିନ୍ତୁ ବିଜେପି ସମ୍ବିଧାନକୁ ସମ୍ମାନ କରେ ଏବଂ ପ୍ରତିଷ୍ଠାନଗୁଡ଼ିକର ସ୍ବାଧୀନତା ସହ କେବେ ସାଲିସ କରିନାହିଁ ବୋଲି ସେ କହିଛନ୍ତି। ସମ୍ବିଧାନ ଲୋକଙ୍କ ସାମୂହିକ ଇଚ୍ଛାର ପ୍ରତିଫଳନ। ଏହା ଜୀବନର ପ୍ରତ୍ୟେକ ଦିଗ ଯଥା ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ଦିଗକୁ ଛୁଇଁଛି। ଭାରତର ବିକାଶ ପାଇଁ ଏଥିରେ ନକ୍ସା ରଖାଯାଇଛି।
    ବିରୋଧୀ ଦଳ ପକ୍ଷରୁ କେରଳର ୱାୟନାଡ଼ ଆସନରୁ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଲୋଚନା ଆରମ୍ଭ କରିଥିଲେ। ଦେଶରେ ଜାତିଗଣନା ପାଇଁ ଦାବି ହେଉଥିବାବେଳେ ବିଜେପି ଏହା ଉପରେ ନିରବ ରହିଛି। ନିର୍ବାଚନ ଫଳାଫଳ ଅଲଗା ହୋଇ ନଥିଲେ ବିଜେପି ସମ୍ବିଧାନ ବଦଳାଇ ଦେଇଥାନ୍ତା। ଏଥିସହିତ ପ୍ରିୟଙ୍ଗା ଶମ୍ଭଲ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଏନ୍‌ଡିଏ ଆଦାନୀକୁ ଅନୁଗ୍ରହ ଦେଖାଉଥିବା ସେ ଅଭିଯୋଗ କରିଥିଲେ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଲୋଚନାରେ ଭାଗ ନେଇ ସମ୍ବିଧାନ ଆମର ସୁରକ୍ଷା କବଚ ବୋଲି କହିଥିଲେ। ଏଥିସହିତ ଆମେ ସରକାରକୁ ଆସିବା ସୁଯୋଗ ପାଇଲେ ଜାତି ଜନଗଣନା କରିବୁ। ଜାତି ଜନଗଣନା ହେଲେ ବଞ୍ଚିତ ହୋଇଥିବା‌ ଲୋକମାନେ ନ୍ୟାୟ ପାଇବେ। ବିଭିନ୍ନ ଜାତି ମଧ୍ୟରେ ଥିବା ପାର୍ଥକ୍ୟ ହ୍ରାସ ପାଇବ ବୋଲି ଅଖିଳେଶ ତାଙ୍କ ବକ୍ତବ୍ୟରେ କହିଥିଲେ।

    ଟ୍ରୋଲ୍‌ ହେଲେ ପ୍ରିୟଙ୍କା

    ନୂଆଦିଲ୍ଲୀ: ଲୋକସଭାରେ ଆଜି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କର ପ୍ରଥମ ଭାଷଣ ରଖିଛନ୍ତି। ସମ୍ବିଧାନ ଉପରେ ହେଉଥିବା ବିତର୍କରେ ଭାଗ ନେବା ସମୟରେ ହିମାଚଳପ୍ରଦେଶର ସେଓ ଚାଷୀଙ୍କ ପ୍ରସଙ୍ଗ ସେ ଉଠାଇଥିଲେ। ପ୍ରିୟଙ୍କା କହିଥିଲେ ହିମାଚଳପ୍ରଦେଶରେ ଆଜି ଯେଉଁ ନୀତି ପ୍ରସ୍ତୁତ କରାଯାଉଛି ତାହା ଚାଷୀଙ୍କ ପରିବର୍ତ୍ତେ ବଡ଼ ବ୍ୟବସାୟୀମାନଙ୍କୁ ସୁହାଉଛି। ପ୍ରିୟଙ୍କାଙ୍କ ଏହି ଭାଷଣର ଭିଡିଓ ଭାଇରାଲ ହୋଇଛି। ପ୍ରିୟଙ୍କାଙ୍କୁ ତାଙ୍କ ମନ୍ତବ୍ୟ ପାଇଁ ପ୍ରବଳ ଟ୍ରୋଲ୍‌ କରାଯାଇଛି। ପପୁଙ୍କ ତୁଳନାରେ ‌ସେ ବଡ଼ ପପୁ ବୋଲି ଜଣେ ବ୍ୟକ୍ତି ଉଲ୍ଲେଖ କରିଛନ୍ତି। ସେହିଭଳି ଅନ୍ୟଜଣେ ଲେଖିଛନ୍ତି ହିମାଚଳପ୍ରଦେଶରେ କଂଗ୍ରେସର କୁଶାସନ ଚାଲିଥିବା ନେଇ ପ୍ରିୟଙ୍କାଙ୍କୁ କିଏ ଜଣେ ମନେ ପକାଇ ଦେବ କି ବୋଲି କହି କଟାକ୍ଷ କରିଛନ୍ତି। କଂଗ୍ରେସ ନିଜର ବିରୋଧୀ ହୋଇଯାଇଛି କି ବୋଲି ଅନ୍ୟ ଜଣେ କହିଛନ୍ତି। କିନ୍ତୁ ରାହୁଲ ଗାନ୍ଧୀ, ଶଶି ଥରୁରଙ୍କ ଭଳି କଂଗ୍ରେସ ନେତା ପ୍ରିୟଙ୍କାର ପ୍ରଥମ ଭାଷଣକୁ ପ୍ରଶଂସା କରିଛନ୍ତି। ରାହୁଲ କହିଛନ୍ତି ଲୋକସଭାରେ ସେ ଦେଇଥିବା ପ୍ରଥମ ଭାଷଣ ତୁଳନାରେ ପ୍ରିୟଙ୍କାଙ୍କ ଭାଷଣ ଉଚ୍ଚକୋଟୀର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ