Sunday, April 28, 2024
42.4 C
Odisha

    ନିର୍ବାଚନ ଆୟୋଗଙ୍କ ଗାଇଡଲାଇନକୁ ଶାସକ ବିଜେଡି ବାରମ୍ବାର ଉଲ୍ଲଂଘନ କରୁଛି: ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି । ତା ପରେ ବି ଶାସକ ବିଜୁ ଜନତା ଦଳ ସରକାରୀ ଅଧିକାରୀମାନଙ୍କୁ ଦଳୀୟ ସ୍ୱାର୍ଥ ପାଇଁ ଜାଣିଶୁଣି ବ୍ୟବହାର କରୁଛି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମିଶନ ଶକ୍ତି ଗ୍ରାମ ପଂଚାୟତ ସ୍ତରୀୟ ଫେଡେରେସନ୍‌ର ସଭାପତି, ସମ୍ପାଦକ, ଏମ୍‌ବିକେ, ସିଆର୍‌ପି ମାନଙ୍କୁ ଡାକି ସାଲେପୁରର ବିକେ ମଣ୍ଡପଠାରେ ଗତ ୨୩ ତାରିଖ ଦିନ ଏକ ଦଳୀୟ ବୈଠକରେ ସାମିଲ୍ କରିଥିଲେ । ଯେଉଁ ବୈଠକରେ ବିଜୁ ଜନତା ଦଳର ଦଳୀୟ ବ୍ୟାନର୍ ଲାଗିଥିଲା । ଏମ୍‌ବିକେ ଓ ସିଆର୍‌ପିର ମହିଳାମାନେ ବେତନପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବାରୁ ସେମାନଙ୍କୁ ଦଳୀୟ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବନାହିଁ । ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି । ସରକାରୀ କର୍ମଚାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଂଟ ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ । ନିର୍ବାଚନ ପରିଚାଳନାକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର ।
    ଦ୍ୱିତୀୟରେ ଯେତେବେଳେ ନିର୍ବାଚନ ଆସେ ସେତେବେଳେ ମଦର ବହୁଳ ବ୍ୟବହାର ଦେଖାଯାଏ । କାରଣ ମଦ ଦେଇ ବହୁ ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ କିଣାଯାଏ । ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିବା ପରେ ଗାଇଡଲାଇନ ଅନୁଯାୟୀ ମଦ ଦୋକାନ ଖୋଲିବାର ଅନୁମତି ଦେବା ସଠିକ୍ ନୁହେଁ । ଯାଜପୁର ଜିଲ୍ଲାର ପାଂସା ଗ୍ରାମ ପଂଚାୟତ ଅନ୍ତର୍ଗତ ଅଙ୍କୁଳା ଗ୍ରାମଠାରେ ସୁଶାନ୍ତ କୁମାର ଜେନା ଗୋଟେ ଅବୈଧ ଭାବେ ଅସ୍ଥାୟୀ ମଦ ଦୋକାନ ଖୋଲିଛନ୍ତି । ଯାହାକି ବେଆଇନ ଭାବେ ମଦ ଦୋକାନ ଘର ନଥାଇ ମଦ ଲାଇସେନ୍ସ ଇସ୍ୟୁ କରିବା ଭଳି ଚଂଚକତା କରି ମଦକୁ ପ୍ରୋତ୍ସାହନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଭଳି ବେଆଇନ କାର୍ଯ୍ୟରୁ ରାଜ୍ୟ ସରକାର ନିବୃତ ରହିବା ସହ ବେଆଇନ ମଦ ଦୋକାନକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି ।
    ବିଭିନ୍ନ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି । ସେହିପରି କଟକ ଜିଲ୍ଲାରେ ୬ବର୍ଷରୁ ଉର୍ଦ୍ଧ୍ୱ ଚାକିରୀ କରୁଥିବା ଅଫିସରମାନଙ୍କ ବଦଳି ହୋଇନାହିଁ । ଏପରି କରି ନିର୍ବାଚନ ଆୟୋଗଙ୍କ ଗାଇଡଲାଇନକୁ ଶାସକ ବିଜେଡି ବାରମ୍ବାର ଉଲ୍ଲଂଘନ କରୁଛି । ସେମାନେ ହେଲେ କଟକ ସଦର ବ୍ଲକ ଜେଇ ସୌମ୍ୟ ବିଶୋଇ, ସମାପିକା ନାୟକ; ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ସାହୁ; କଟକ ସଦର ବ୍ଲକ ସିଡିପିଓ ନିବେଦିତା ବିଶ୍ୱାଳ; କଟକ ସବ୍‌ରେଜିଷ୍ଟର ହେର୍ଡ କ୍ଲର୍କ ଗୋପବନ୍ଧୁ ପରିଡା; ପଂଚାୟତ ଅଧିକାରୀ ଚକ୍ରଧର ମହାଲିକ, ଗଜପତି ପାରଳାଖେମୁଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକାରୀ କମଳକାନ୍ତ ଗୌଡ; ବାଲେଶ୍ୱର ଡିଇଓ ପ୍ରତିଭା ମଞ୍ଜରୀ; ଭୁବନେଶ୍ୱର ରିଜର୍ଭ ପୋଲିସ ଅଧିକାରୀ ଲୋଲା ବିଜୟ ରତ୍ନମ୍‌ଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯିବାକୁ ସଂପୃକ୍ତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ଅରିନ୍ଦମ ରାୟ କହିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.4 ° C
    42.4 °
    42.4 °
    14 %
    5.2kmh
    10 %
    Sun
    41 °
    Mon
    44 °
    Tue
    44 °
    Wed
    45 °
    Thu
    44 °

    ସମ୍ବନ୍ଧିତ