Tuesday, September 15, 2026
23.4 C
Odisha

    ପ୍ରକୃତିର ବିସ୍ମୟ ‘ବାଜନି ପଥର’: ସଙ୍ଗୀତର ସାତ ସୁରରୁ ପାଞ୍ଚ ସ୍ବର ବାହାରୁଛି ପଥର ଦେହରୁ

    ଆଗକୁ ପଢନ୍ତୁ

    ଜୟପୁର: ଅବିଶ୍ବସନୀୟ, ଅକଳ୍ପନୀୟ, ଆଶ୍ଚର୍ଯ୍ୟଜନକ। ପଥରେ ଦେହରେ ରହିଛି ସଙ୍ଗୀତର ସାତ ସୁର ମଧ୍ୟରୁ ୫ଟି ସୁର। ପଥରକୁ ପିଟିଲେ ବାହାରୁଛି ଘଣ୍ଟ ଭଳି ଶବ୍ଦ। ଦେଶିଆ ଭାଷାରେ ଏହାକୁ କୁହାଯାଉଛି ‘ବାଜନି ପଥର’। ପଥର ପାଖକୁ ନ ଗଲେ ନ ଦେଖିଲେ ବିଶ୍ବାସ ହେବନି। ଜଡ଼ ପଥରରୁ ସଙ୍ଗୀତର ସ୍ବର ଉତ୍ପନ୍ନ ହେଉଥିବା ଏଭଳି ପଥର ରହିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡ଼ପଦର ପଞ୍ଚାୟତର କଳାଗୁଡ଼ା ଗ୍ରାମ ‘ପିଲ୍‌ ବାଉଁଶୀ ଡଙ୍ଗର’ ନାମକ ପାହାଡ଼ରେ। କେଉଁ ଅନାଦି କାଳରୁ କଳାଗୁଡ଼ା ଗାଁର ପିଲ୍‌ ବାଉଁଶୀ ଡଙ୍ଗର (ପାହାଡ଼)ରେ ରହିଛି ଏଭଳି ପଥର। ରାଜରାଜୁଡ଼ା ସମୟରେ ଏହି ପଥରର ସନ୍ଧାନ ମିଳିଥିଲା। ସମୁଦ୍ର ପତନରୁ ପ୍ରାୟ ୨ହଜାର ଫୁଟ ଉପରେ ରହିଛି ବାଜନି ପଥର। ସେହି ସମୟରେ ପଥର ଦେହରେ କୌଣସି ସାମଗ୍ରୀ ବାଜିଲେ ତାର ଶବ୍ଦ ଜୟପୁର ପର୍ଯ୍ୟନ୍ତ ଶୁଭୁଥିଲା। ମହାରାଜା ସେହି ବିସ୍ମୟ ପଥରକୁ ଜୟପୁର ଆଣିବାକୁ ଚେଷ୍ଟା କରିଥ‌ିଲେ ହେଁ ସଫଳ ହୋଇନଥିଲେ। ପ୍ରକୃତି କୋଳରେ ରହି ଚକିତ କରି ଦେଉଥିବା ଏହି ପଥର କିନ୍ତୁ ଲୋକଲୋଚନାରୁ ବହୁ ଦୂରରେ ରହିଯାଇଛି। ପ୍ରଶାସନିକ ଉଦାସୀନତା ଯୋଗୁଁ ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ସ୍ଥାନ ପାଇନି ବାଜନି ପଥର। ବାଜନି ପଥର ନିକଟକୁ ଯିବାକୁ କୌଣସି ସୁବିଧା ନାହିଁ। ପଥରର ସଂରକ୍ଷଣ ପାଇଁ ମଧ୍ୟ କୌଣସି ସୁବିଧା କରାଯାଇନି। ମୁଗୁନି ପଥର ଓ ତ୍ରିଭୁଜ ଆକୃତି ସ୍ବରୂପ ଏହି ପଥରର ପ୍ରତ୍ୟେକ ବାହୁର ଆକାର ୫ଫୁଟ ହେବ।

    ସଙ୍ଗୀତର ସାତ ସୁରରୁ ପାଞ୍ଚ ସ୍ବର ବାହାରୁଛି ପଥର ଦେହରୁ
    ୨୦୦୭ରେ ପରୀକ୍ଷାନିରୀକ୍ଷା କରିଥିଲେ ସଙ୍ଗୀତ ବିଶେଷଜ୍ଞ

    ଜଡ଼ ପଥରରୁ ବାହାରୁଥିବା ବିଭିନ୍ନ ସ୍ବର ସମ୍ପର୍କରେ ୨୦୦୭ରେ ସଙ୍ଗୀତ ବିଶେଷଜ୍ଞ ପରୀକ୍ଷା ନିରୀକ୍ଷା‌ କରିଥିଲେ। ସ୍ବର୍ଗତ ଅଶୋକ ମିଶ୍ରଙ୍କ ନେତୃତ୍ବରେ ସଂଗୀତ ସଂଯୋଜକ, କି-ବୋର୍ଡ ବାଦକ, ବେହେଲା ବାଦକ, ଢୋଲକ ବାଦକ, ଗାଇଡ ପ୍ରମୁଖ ଯାଇ ବାଜନି ପଥର ପାଖରେ ପହଞ୍ଚିଥିଲେ। ସେମାନେ ଭାରତୀୟ ଓ ଅନ୍ତର୍ଜାତୀୟ ସୁର ପଦ୍ଧତିକୁ ଆଧାର କରି ସୁରଗୁଡ଼ିକୁ ଚିହ୍ନଟ କରିଥିଲେ। ଜି-ସର୍ଫକୁ ସା କରି ସୁରକୁ ଚିହ୍ନଟ କରାଯାଇଥିଲା। ସଙ୍ଗୀତରେ ଥିବା ୭ଟି ମୂଳ ସୁର ମଧ୍ୟରୁ ଆଶ୍ଚର୍ଯ୍ୟଜନକ ଭାବେ ପଥର ଦେହରେ ରହିଛି ପାଞ୍ଚଟି ସ୍ବର। ସେହି ପଥରରେ କୋରାପୁଟିଆ ଲୋକଗୀତ ପାଣି ମାରିଗଲା ଝାଇଁରେ ଦାଦା…, ଅନୁଷ୍ଟୁପ ଛନ୍ଦ, ହିନ୍ଦୁସ୍ଥାନୀ ରାଗ ପଦ୍ଧତିରେ ତୁଡ଼ି ଥାଟ୍‌ ରୂପ… ପାଶ୍ଚାତ୍ୟ ଛନ୍ଦ ଜିଙ୍ଗଲ ଜିଙ୍ଗଲ ବେଲ୍‌ ଭଳି ସଂଗୀତ ସୃଷ୍ଟି କରିଥିଲେ ସଙ୍ଗୀତ ବିଶେ‌ଷଜ୍ଞ। ଜୟପୁର ସହରରୁ କଳାଗୁଡ଼ାର ଦୂରତା ମାତ୍ର ୫କିଲୋମିଟର। କଳାଗୁଡ଼ା ନିକଟ ପାହାଡ଼ ରାସ୍ତା ଦେଇ ପ୍ରାୟ ୨ହଜାର ଫୁଟ ଚଢ଼ିଲେ ବାଜନି ପଥର ରହିଛି। ରାସ୍ତା ନ ଥିବାରୁ ପାହାଡ଼ ଦେହରେ ଲତାବୁଦାକୁ ଆଡ଼େଇ ସେଠାରେ ପହଞ୍ଚିବାକୁ ହୁଏ। ସେଠାରୁ କିଛି ଦୂରରେ ଅନୁରୂପ ପଥର ରହିଛି। ସେଥିରୁ ମଧ୍ୟ ଶବ୍ଦ ବାହାରୁଛି। ହେଲେ ବାଜନି ପଥର ଅପେକ୍ଷା ବହୁତ କମ। ସ୍ଥାନୀୟ ଲୋକଙ୍କ ଅନୁସାରେ ପ୍ରଥମଟି ନାରୀ ପଥର ଓ ଦ୍ବିତୀୟଟି ପୁରୁଷ ପଥର। ପ୍ରକୃତିର ଏହି ବିସ୍ମୟ ବିଷୟରେ ଅଧିକ ଗବେଷଣା ଆବଶ୍ୟକ। ପ୍ରଶାସନ ଏହି ପଥରର ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.4 ° C
    23.4 °
    23.4 °
    89 %
    0.9kmh
    18 %
    Tue
    31 °
    Wed
    31 °
    Thu
    31 °
    Fri
    29 °
    Sat
    29 °

    ସମ୍ବନ୍ଧିତ