Sunday, September 13, 2026
23 C
Odisha

    ବହୁଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ: ବର୍ଷେ ପୂରିଲା କାରଣ ଏବେ ବି ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ପୂର୍ବ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟା ମାମଲାକୁ ବର୍ଷେ ପୂରିଛି। ଇତିମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ହେଲେ, ନବକିଶୋରଙ୍କୁ ଗୋପାଳ କାହିଁକି ହତ୍ୟା କରିଛି ତାହା ତଥାପି ସ୍ପଷ୍ଟ ହୋଇପାରିନି। ଖୋଦ୍‌ ସ୍ବର୍ଗତ ଦାସଙ୍କ ପରିବାର ଲୋକେ ଷଡ୍‌ଯନ୍ତ୍ର କରାଯାଇଥିବା ନେଇ ବୟାନ ଦେବାପରେ ବି କ୍ରାଇମ୍‌ବ୍ରାଞ୍ଚ ମାମଲାରେ ଷଡ୍‌ଯନ୍ତ୍ର ଦିଗକୁ ସାମିଲ୍‌ କରିନାହିଁ କି ଏହା ପଛର ସତ ଖୋଜିବାକୁ ଚେଷ୍ଟା କରିନାହିଁ। ବର୍ଷକ ଭିତରେ କ୍ରାଇମ୍‌ବ୍ରାଞ୍ଚ ହାତରେ ସେଭଳି କୌଣସି ପ୍ରମାଣ ବି ଲାଗିପାରିନି। କିନ୍ତୁ ଚତୁରତାର ସହିତ କ୍ରାଇମ୍‌ବ୍ରାଞ୍ଚ ମାମଲାର ତଦନ୍ତ ଖୋଲା ରଖି କାମ ଶେଷ କରିଦେଇଛି।ଗୋପାଳ ଦାସ ପୂର୍ବ ଶତ୍ରୁତା ତଥା ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ନବ ଦାସଙ୍କୁ ହତ୍ୟା କରିଥିବା କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। କିନ୍ତୁ, ଏହି ଘଟଣାରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ସ୍ତ୍ରୀ ମିନତି ଦାସ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ବୟାନ ଏବେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଉପରେ ଅଙ୍ଗୁଳି ଉଠାଇଛି। ଗୋଟିଏ ପଟେ ଗୋପାଳ ଦାସକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ଭୟଭୀତ କରିଥିବା ନେଇ ଗୋପାଳ ନିଜେ ପଲିଗ୍ରାଫ୍‌ ଟେଷ୍ଟରେ କହିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଏହି ପ୍ରସଙ୍ଗକୁ ଅଭିଯୋଗ ଫର୍ଦ୍ଦରେ ସାମିଲ୍‌ କରିଛି। କିନ୍ତୁ ଅଦ୍ୟାବଧି ହତ୍ୟା ପାଇଁ ଉସୁକାଇଥିବା ଉକ୍ତ କର୍ମଚାରୀକୁ ପୁଲିସ୍‌ ଧରିନାହିଁ କି ତା‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏଥିସହିତ, ତଦନ୍ତ ବେଳେ ଅଭିଯୁକ୍ତ ଗୋପାଳ ଦାସର ପରିବାରବର୍ଗ ତା’ର ମାନସିକ ରୋଗ (ବାଇପୋଲାର ଡିଜିଜ୍‌) ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚକୁ ସୂଚନା ଦେଇଥିଲେ। ଏହି ଦାବିର ସତ୍ୟତା ଯାଞ୍ଚ କରିବାକୁ ଯାଇ ଡିଏମ୍‌ଇଟି ଓଡ଼ିଶାଙ୍କ ଦ୍ବାରା ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିଲା। ପରୀକ୍ଷା ବେଳେ ଏହି ଟିମ୍‌ ଗୋପାଳର ମାନସିକ ରୋଗ ନେଇ କୌଣସି ସୂଚନା ପାଇନଥିଲା। ତଦନ୍ତ ସମୟରେ ମଧ୍ୟ ଗୋପାଳ ସମସ୍ତ ସହଯୋଗ କରିଥିବା ବେଳେ ସବୁ ପ୍ରଶ୍ନର ଉତ୍ତର ବୁଝି ବିଚାରି ଦେଉଥିଲା। ଯାହାକି ତା’ର ମାନସିକ ସ୍ଥିତି ସ୍ଥିର ରହିଥିବା ତଥା ସେ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିବା କ୍ରାଇମ୍‌ବ୍ରାଞ୍ଚ ନିଜ ରିପୋର୍ଟରେ ଉଲ୍ଲେଖ କରିଛି। କିନ୍ତୁ, ଜେଲ୍‌ରେ ଗୋପାଳକୁ ମାନସିକ ରୋଗର ଔଷଧ ବି ଦିଆଯାଉଛି। ଯାହାକି କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ରିପୋର୍ଟକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା। ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ବି ଅସମାହିତ ହୋଇ ରହିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ