Saturday, March 14, 2026
38.1 C
Odisha

    ଆଜି ଭାରତ-ଆଫଗାନିସ୍ତାନ ଶେଷ ଟ୍ବେଣ୍ଟି-୨୦

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଭାରତ ଶେଷ ମ୍ୟାଚ୍‌ ବୁଧବାର ଖେଳିବାକୁ ଯାଉଛି। ଆଫଗାନିସ୍ତାନ ବିପକ୍ଷରେ ଶୃଙ୍ଖଳା ଜିତି ସାରିଥିଲେ ମଧ୍ୟ ବେଙ୍ଗାଲୁରୁରେ ଶେଷ ମ୍ୟାଚ୍‌ ଜିତି ଭାରତ ମୂଳପୋଛ ଲକ୍ଷ୍ୟରେ ରହିବ। ଏଥିସହିତ କିଛି ପରୀକ୍ଷାମୂଳକ ନିଷ୍ପତ୍ତି ମଧ୍ୟ ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିପାରେ। ବିଶ୍ବକପ୍‌କୁ ଆହୁରି ୫ ମାସ ସମୟ ଅଛି। କିନ୍ତୁ ଏହି ମ୍ୟାଚ୍‌ ପରେ ଆଇପିଏଲ୍‌ ଖେଳାଯିବାକୁ ଥିବାରୁ ବିଶ୍ବକପ୍‌ ଦଳରେ ସ୍ଥାନ ପାଇବାକୁ ହେଲେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଅଧିକ ଗୁରୁତ୍ବ ବହନ କରୁଛି। ଶେଷ ମ୍ୟାଚ୍‌ରେ ସଞ୍ଜୁ ସାମସନ୍‌, କୁଲଦୀପ ଯାଦବ ଓ ଆୱେସ ଖାନ୍‌ଙ୍କ ମଧ୍ୟରୁ ଜଣଙ୍କୁ ରୋହିତ ଖେଳାଇ ପାରନ୍ତି। ଗତ ମ୍ୟାଚ୍‌ରେ ୨୦୦ ଟ୍ବେଣ୍ଟି-୨୦ ୱିକେଟ୍‌ ନେଇଥିବା ଅକ୍ଷର ପଟେଲ ଏହି ମ୍ୟାଚ୍‌ରେ ପୂର୍ବ ପ୍ରଦର୍ଶନ ଜାରି ରଖିବାକୁ ଚାହିବେ। ତାଙ୍କର ଅଲ୍‌ରାଉଣ୍ଡର ‌ଭୂମିକା ଭାରତୀୟ ଦଳକୁ ସବୁବେଳେ ଫାଇଦା ଦେଉଛି। ତାଙ୍କୁ ଅନ୍ୟ ପଟରୁ ଯୁବ ବୋଲର ରବି ବିଷ୍ଣୋଇ ସହାୟତା ଦେଉଥିଲା ବେଳେ ପ୍ରତିପକ୍ଷଙ୍କୁ ଅସୁବିଧାରେ ପକାଇବାରେ ସେ ପାରଙ୍ଗମ ହେଲେଣି। ଏହାସତ୍ତ୍ବେ ବୁଧବାର ବିଷ୍ଣୋଇ କିମ୍ବା ୱାସିଂଟନ୍‌ ସୁନ୍ଦରଙ୍କୁ ବିଶ୍ରାମ ଦିଆଯିବା ସମ୍ଭାବନା ରହିଥିଲା ବେଳେ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇପାରେ। ସେହିପରି ମୁକେଶ କୁମାରଙ୍କ ସ୍ଥାନରେ ଆୱେସ ଖାନ୍‌ଙ୍କୁ ସୁଯୋଗ ମିଳିପାରେ। ୱିକେଟ୍‌ରକ୍ଷକ ଜିତେଶ ଶର୍ମା ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳଠୁ ଖେଳି ଆସୁଛନ୍ତି। ଯଦି ସଞ୍ଜୁଙ୍କୁ ଖେଳାଇବା ଆବଶ୍ୟକତା ହୁଏ, ତାହେଲେ ଜିତେଶଙ୍କୁ ବାହାରେ ବସିବାକୁ ପଡ଼ିପାରେ। ଏସବୁ ବାଦ୍‌ ଭାରତୀୟ ବ୍ୟାଟିଂ ପ୍ରଦର୍ଶନ ବହୁତ ଭଲ ଥିଲେ ମଧ୍ୟ ଅଧିନାୟକ ରୋହିତ ଦୁଇଟି ପାଳିରେ ଖାତା ଖୋଲି ନପାରିବା ପ୍ରଶଂସକଙ୍କୁ ନିରାଶ କରିଛି। ଏହା ତାଙ୍କ ଦକ୍ଷତାର ମାପକାଠି ନୁହେଁ, ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌ର ଗର୍ଜନକୁ ସମସ୍ତେ ଅପେକ୍ଷା କରିଛନ୍ତି।

    ଅପରପକ୍ଷେ ଆଫଗାନିସ୍ତାନ ବୋଲର ଭାରତୀୟ ବ୍ୟାଟରଙ୍କୁ ନିୟନ୍ତ୍ରଣରେ ରଖିବାକୁ ସଂଘର୍ଷ କରିଆସୁଛନ୍ତି। ତେଣୁ ଶୃଙ୍ଖଳାରେ ସମ୍ମାନ ରଖିବାକୁ ହେଲେ ମହମ୍ମଦ ନବି ଓ ମୁଜିବ ଉର୍‌ ‌ରହମାନ୍‌ଙ୍କୁ ସେମାନଙ୍କ ଅଭିଜ୍ଞତା ବ୍ୟବହାର କରିବାକୁ ହେବ। ଦ୍ବିତୀୟ ମ୍ୟାଚ୍‌ରେ ବ୍ୟାଟର୍‌ଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ନଜିବୁଲ୍ଲା ଜଦ୍ରାନ୍‌ ଓ କରିମ୍‌ ଜନତ ଦ୍ରୁତ ଭାବେ ରନ୍‌ ସଂଗ୍ରହ କରୁଥିବାରୁ ଏମାନଙ୍କ ଭୂମିକା ମଧ୍ୟ ଅଧିକ ରହିବ। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବ୍ୟାଟର୍‌ଙ୍କୁ ଅଧିକ ସହାୟତା ଦେଇଥାଏ। ଏଠାରେ ପ୍ରଥମ ପାଳିର ହାରାହାରି ସ୍କୋର ୧୫୪ ରନ୍‌। ପଶ୍ଚାତ୍‌ଧାବନ ସମୟରେ ପଛରେ ବ୍ୟାଟିଂ କରୁଥିବା ଦଳ ୮ରୁ ୫ ମ୍ୟାଚ୍‌ ଜିତିବା ରେକର୍ଡ ରହିଛି। ତେଣୁ ଉଚ୍ଚସ୍କୋର ମ୍ୟାଚ୍‌ ଦେଖିବାକୁ ମିଳିପାରିବ ଏବଂ ଟସ୍‌ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବେ ବୋଲି ଆକଳନ କରାଯାଉଛି।

    ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ଶିବମ ଦୁବେ, ଜିତେଶ ଶର୍ମା (ୱିକେଟରକ୍ଷକ), ରିଙ୍କୁ ସିଂହ, ଅକ୍ଷର ପଟେଲ, ୱାସିଂଟନ୍‌ ସୁନ୍ଦର, ଅର୍ଶଦୀପ ସିଂହ, ଆୱେଶ ଖାନ୍‌/ରବି ବିଷ୍ଣୋଇ/କୁଲଦୀପ ଯାଦବ, ମୁକେଶ କୁମାର।
    ସମ୍ଭାବ୍ୟ ଆଫଗାନିସ୍ତାନ ଦଳ: ରହମନୁଲ୍ଲା ଗୁରବାଜ୍‌ (ୱିକେଟରକ୍ଷକ), ଇବ୍ରାହିମ୍‌ ଜଦ୍ରାନ୍‌ (ଅଧିନାୟକ), ଗୁଲବଦିନ ନାଏବ, ଅଜମାତୁଲ୍ଲା ଓମାରଜାଇ, ମହମ୍ମଦ ନବି, ନଜିବୁଲ୍ଲା ଜଦ୍ରାନ୍‌, କରିମ ଜନତ, ମୁଜୀବ ଉର ରହମାନ, ନୂର ଅହମଦ/କ୍ବାଇସ ଅହମଦ, ନବୀନ ଉଲ ହକ୍‌, ଫଜଲହକ୍‌ ଫାରୁକି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ