Tuesday, October 6, 2026
22.8 C
Odisha

    ୫ ପଞ୍ଚାୟତ ପାଇଁ ପାଲଟିଥାନ୍ତା ଜୀବନରେଖା: ଘୋଷଣାରେ ରହିଗଲା ଗୁଣ୍ଠୁଣିରେ ଆନିକଟ ନିର୍ମାଣ

    ଆଗକୁ ପଢନ୍ତୁ

    ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍‌ ଗୁଣ୍ଠୁଣି ପଞ୍ଚାୟତ ଅଧୀନ ଡାହୁକା ନଦୀରେ ଆନିକଟ ନିର୍ମାଣ ପ୍ରକଳ୍ପ ଫାଇଲ ତଳେ ଅଟକିଥିବା ବେଳେ ୫ ପଞ୍ଚାୟତର ଶତାଧିକ ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣ୍ଠୁଣି ଗ୍ରାମ ନିକଟସ୍ଥ ପଞ୍ଚାୟତ ଅପରପାର୍ଶ୍ୱରେ ଡାହୁକା ନଦୀରେ ଆନିକଟ ନିର୍ମାଣ ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି।

    ଏ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ଏବଂ ଜଳସଂପଦ ବିଭାଗ ପକ୍ଷରୁ ପୃଥକ ଭାବେ ଡାହୁକା ନଦୀରେ ସର୍ଭେ କରାଯିବା ସହ ପ୍ରକଳ୍ପ ନିର୍ମାଣକୁ ସବୁଜ ସଂକେତ ମିଳିଥିଲା। ଡାହୁକା ନଦୀର ଧାରେ ଧାରେ ସୁଉଚ୍ଚ ବନ୍ଧ ଓ ରାସ୍ତା ନିର୍ମାଣ ସହ ଶାଖା କେନାଲ ଜରିଆରେ ଆଖପାଖ ୫ ପଞ୍ଚାୟତକୁ ଜଳସେଚନ ସୁବିଧା ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖିଥିଲା ଜିଲ୍ଲା ପ୍ରଶାସନ। ୨୦୧୮ ମସିହାରେ ଶେଷଥର ପାଇଁ ପୃଥକ ପୃଥକ ଭାବେ ମୁଖ୍ୟଯନ୍ତ୍ରୀ ଓ ଜିଲ୍ଲା ପ୍ରଶାସନର ଟିମ୍‌ ଉକ୍ତ ଅଞ୍ଚଳ ପରିଦର୍ଶନ ସହ ପ୍ରକଳ୍ପ ନିର୍ମାଣ ଦିଗରେ ଆଗେଇଥିବା ତତ୍କାଳୀନ ସରପଞ୍ଚ ରବୀନ୍ଦ୍ର କୁମାର ମହାନ୍ତିଙ୍କଠାରୁ ସୂଚନା ମିଳିଛି। ଏପରିକି ଉକ୍ତ ପ୍ରକଳ୍ପ ନିମନ୍ତେ ପ୍ରାୟ ୭ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ସହ ବିଭାଗୀୟ ଅନୁମୋଦନ ପାଇଁ ପଠାଯାଇଥିଲା ବୋଲି ପୂର୍ବତନ ସରପଞ୍ଚ ଶ୍ରୀ ମହାନ୍ତି କହିଛନ୍ତି। ମାତ୍ର ଘଟଣାକୁ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆନଯିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

    ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରକଳ୍ପ ନିମନ୍ତେ ଆସିଥିବା ୭ କୋଟି ଅନୁଦାନ ରାଶି ଫେରିଯାଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଉକ୍ତ ପ୍ରକଳ୍ପ ଦ୍ୱାରା ଗୁଣ୍ଠୁଣି, ରାଣିପଡା, ଶାଳଝରିଆ, ଶିଖରପୁର, ଜଗନ୍ନାଥପ୍ରସାଦ ଭଳି ୫ଟି ପଞ୍ଚାୟତର ଏକାଧିକ ଚାଷ ଜମି ଜଳସେଚିତ ହେବା ସହ ବନ୍ୟା ଜଳ ନିୟନ୍ତ୍ରଣ, ନଦୀ ଗର୍ଭରେ ସୀମିତ ଜଳ ସଂରକ୍ଷଣ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁଗମ ହୋଇପାରିଥାନ୍ତା। ଖାଲି ସେତିକି ନୁହେଁ ଏହି ଆନିକଟ ଯୋଗୁ ସ୍ଥାନୀୟ ଲୋକମାନଙ୍କ ଚାଷ କାର୍ଯ୍ୟ ସହ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇପାରିବ ବୋଲି ଲକ୍ଷ୍ୟ ଥିଲା। ମାତ୍ର ବିଭାଗୀୟ ଉଦାସୀନତା ଓ ଦାୟିତ୍ୱହୀନତା ଯୋଗୁ ଚାଷୀଙ୍କ ସ୍ୱାର୍ଥ ବଳିପଡ଼ିଥିବା କଂଗ୍ରେସ ଅଭିଯୋଗ ଆଣିଛି। ବ୍ଲକ୍‌ କଂଗ୍ରେସ ସଭାପତି ଦେବବ୍ରତ ବେହେରା ଏଥିନିମନ୍ତେ କ୍ଷୁଦ୍ର ଜଳସେଚନ ଓ ଜଳସେଚନ ବିଭାଗ ସମନ୍ୱୟ ଅଭାବକୁ ଦାୟୀ କରିଥିବା ବେଳେ ଆଗାମୀ ଦିନରେ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରି ଶାସକ ଦଳକୁ ଜବାବ ମାଗିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ବ୍ଲକ୍‌ ଅଞ୍ଚଳରେ ମାଳମାଳ ନଦୀ ବହି ଯାଇଥିଲେ ମଧ୍ୟ ଜଳ ପରିଚାଳନା ପାଇଁ ପଦକ୍ଷେପ ନିଆ ନଯିବାରୁ ଅକାରଣରେ ଜଳ ମହାନଦୀକୁ ବହି ଯାଉଥିବା ସୂଚନା ମିଳିଛି। ଜିଲ୍ଲାରେ କୁସୁମି ନଦୀରେ ସୁନାଲଟିଠାରେ ବ୍ୟାରେଜ ଏବଂ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଛଡ଼ା ଅନ୍ୟ ବଡ଼ ପ୍ରକଳ୍ପ ନଥିବା ବେଳେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ସମସ୍ୟା ଓ ଦାବି ପ୍ରତି ଗୁରୁତ୍ୱ ଦେଇ ଛୋଟ ଛୋଟ ପ୍ରକଳ୍ପ ନିର୍ମାଣ ନିମନ୍ତେ ଦୀର୍ଘବର୍ଷ ହେବ ଦାବି ହେଉଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଅଶ୍ୱିନୀ କୁମାର ଶାନ୍ତଙ୍କ ସହ ଯୋଗାଯୋଗ କରିବାରେ ପ୍ରାୟ ୮ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ଏବଂ ଟେଣ୍ଡର ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏ ଦିଗରେ ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ପ୍ରତିକ୍ରିୟା ଦେଇଛନ୍ତି। ଏପରି କ୍ଷେତ୍ରରେ ଚାଷୀଙ୍କ ସ୍ୱାର୍ଥ ପାଇଁ ପ୍ରକଳ୍ପ କେବେ ଅନୁମୋଦନ ଲାଭ କରୁଛି ତାକୁ ନେଇ ସ୍ଥାନୀୟ ପଞ୍ଚାୟତବାସୀ ଅପେକ୍ଷା କରିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    88 %
    1.5kmh
    2 %
    Tue
    22 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ