Friday, September 4, 2026
23 C
Odisha

    ମହାକୁମ୍ଭରେ ଓଡ଼ିଆ ଭାଷା: ଷ୍ଟେସନରେ ସ୍ୱତନ୍ତ୍ର ଓଡ଼ିଆ କିଓସ୍କ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ମହାକୁମ୍ଭ ମେଳା ପାଇଁ ପ୍ରୟାଗରାଜ ରେଳଷ୍ଟେସନରେ ଡିଜିଟାଲ ସୁବିଧା ଉପଲବ୍ଧ କରାଯାଇଛି। ବିନା କାହାର ସହାୟତାରେ ଶ୍ରଦ୍ଧାଳୁ ଡିଜିଟାଲ କିଓସ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ସୁବିଧା ପାଇବେ। ତା ପୁଣି ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ। ଓଡ଼ିଶାରୁ ମହାକୁମ୍ଭ ମେଳାକୁ ଆସୁଥିବା ଶ୍ରଦ୍ଧାଳୁ କେଉଁ ସ୍ଥାନକୁ ଯିବେ, କେଉଁ ଟ୍ରେନ ଧରିବେ, କେଉଁଠି ବିଶ୍ରାମ ନେବେ ଓ ଅନ୍ୟାନ୍ୟ ସୁବିଧା ଡିଜିଟାଲ କିଓସ୍କରୁ ପାଇବେ। କେବଳ ସେତିକି ନୁହେଁ, ଓଡ଼ିଆ ସମେତ ଦେଶର ୧୫ଟି ଭାଷାରେ ହେଲ୍‌ପ ଲାଇନ ନମ୍ବର ଉପଲବ୍ଧ କରାଯିବ। ଯାହାର କୌଣସି ଦ୍ୱନ୍ଦ୍ବ ଥିବ ଓଡ଼ିଆ ଭାଷାରେ ଫୋନ କରି ବୁଝିପାରିବେ। ଷ୍ଟେସନରେ ମଧ୍ୟ ଓଡ଼ିଆ ଭାଷାରେ ଘାଷଣା କରାଯିବ। ଓଡିଶାରୁ ଆସିବାକୁ ଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ଷ୍ଟେସନ ସମେତ ମହାକୁମ୍ଭର ବିଭିନ୍ନ ସ୍ଥାନରେ ଓଡ଼ିଆ ଅଧିକାରୀମାନଙ୍କୁ ନିଯୁକ୍ତ କରାଯିବ। ମେଳାକୁ ଆହୁରି ମାସେ ରହିଥିବା ବେଳେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ ଆସି ଏଠାରେ ପହଞ୍ଚିଛନ୍ତି। ତ୍ରିବେଣୀ ସଙ୍ଗମ ସ୍ଥଳରେ ଆଜି ସନ୍ଧ୍ୟାରେ ରାଉରକେଲାରୁ ଆସିଥିବା ଏକ ଗ୍ରୁପ ସ୍ନାନ କରିବା ସହ ଆଳତି କରିଛନ୍ତି।

    ଭିଡ଼ ନିୟନ୍ତ୍ରଣ କରିବାକୁ ଏନ୍‌କ୍ଲୋଜର
    ଭିଡ଼ ନିୟନ୍ତ୍ରଣ କରିବାକୁ ରେଳ ଷ୍ଟେସନରେ ଏନକ୍ଲୋଜର ନିର୍ମାଣ ହୋଇଛି। ସହରର କୌଣସି ସ୍ଥାନରେ ଅଧିକ ଭିଡ ହେଲେ କିମ୍ବା ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଲେ ଶ୍ରଦ୍ଧାଳୁଙ୍କୁ ଏନକ୍ଲୋଜର ନିକଟରେ ଅଟକାଯିବ। ପ୍ରତି ଏନକ୍ଲୋଜରରେ ୨ରୁ ୪ ହଜାର ଶ୍ରଦ୍ଧାଳୁ ଅଟକାଇବାର କ୍ଷମତା ରହିଛି। ଗ୍ରିଲ ଭିତରେ ଅଟକି ରହିବାକୁ ଥିବା ଯାତ୍ରୀଙ୍କ ସୁବିଧା ପାଇଁ ଶୌଚାଳୟ, ପାନୀୟ ଜଳ ସୁବିଧା, ସହାୟତା କେନ୍ଦ୍ର, ଫାଷ୍ଟଏଡ କେନ୍ଦ୍ର ହୋଇଛି। ଶ୍ରଦ୍ଧାଳୁମାନେ ସେଠାରେ ବିଶ୍ରାମ କରିପାରିବେ।

    ପ୍ଲାଟଫର୍ମ ସମେତ ନୂତନ ନିର୍ମାଣ
    ମହାକୁମ୍ଭ ସମୟରେ ଜିଲ୍ଲାର ସମସ୍ତ ଷ୍ଟେସନରେ ବହୁ ସଂଖ୍ୟାରେ ଯାତ୍ରୀ ରହିବେ। ଏହାକୁ ପରିଚାଳନା କରିବା ପାଇଁ ଷ୍ଟେସନରେ ନୂତନ ପ୍ଲାଟଫର୍ମ ସ୍ଥାପନ କରାଯାଉଛି ଏବଂ ପ୍ରୟାଗ ମାର୍ଗରେ ନୂତନ ରେଳ ଲାଇନ ମଧ୍ୟ ରଖାଯାଉଛି। ଯାତ୍ରୀ ଆଶ୍ରୟସ୍ଥଳୀ ଓ ପ୍ରତୀକ୍ଷା କକ୍ଷ ନିର୍ମାଣ କରାଯାଇଛି। ସମସ୍ତ ଆଶ୍ରୟସ୍ଥଳୀ ଶୌଚାଳୟ, କ୍ୟାଟରିଂ ଷ୍ଟଲ୍, ସର୍ବସାଧାରଣ ଘୋଷଣା ଏବଂ ସୂଚନା ଓ ଅନୁସନ୍ଧାନ ପ୍ରଦର୍ଶନ ଇତ୍ୟାଦି ମୌଳିକ ସୁବିଧା ସହିତ ସଜ୍ଜିତ ରହିଛି। ଏହାସହିତ ଷ୍ଟେସନରେ ଯାତ୍ରୀଙ୍କୁ ସେମାନଙ୍କର ଆବଶ୍ୟକତାରେ ଲଗେଜ୍ ଟ୍ରଲି ବୁକିଂ, ହ୍ୱିଲ ଚେୟାର ସେବା, ଟ୍ୟାକ୍ସି ଓ ହୋଟେଲ ବୁକିଂ ଇତ୍ୟାଦିରେ ସାହାଯ୍ୟ କରିବା ପାଇଁ ଷ୍ଟେସନରେ ‘ମେ ଆଇ ହେଲପ୍ ୟୁ’ ବୁଥ୍ ମଧ୍ୟ ଖୋଲାଯାଉଛି।

    ଯାତ୍ରୀ ସେବାରେ ୧୩ ହଜାର ଟ୍ରେନ୍
    କୁମ୍ଭ ପାଇଁ ଏକ ବିସ୍ତୃତ ବ୍ଲୁ ପ୍ରିଣ୍ଟ ସୃଷ୍ଟି କରି ଭାରତୀୟ ରେଳ ୯୩୩.୬୨ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମିକୁ ମଜଭୂତ କରିଥିଲା। ଏହା ସହିତ ୪୯୪.୯୦ କୋଟି ଟଙ୍କା ବ୍ୟୟରେ ଯାତ୍ରୀ ସୁବିଧା ବୃଦ୍ଧି କରାଯାଇଥିଲା ଏବଂ ୪୩୮.୭୨ କୋଟି ଟଙ୍କା ବ୍ୟୟରେ ପରିବହନକୁ ସହଜ କରିବା ପାଇଁ ବ୍ରିଜ ଓ ବ୍ରିଜ ଉପରେ ରାସ୍ତା ନିର୍ମାଣ କରାଯାଇଥିଲା। ଗଙ୍ଗା ଉପରେ ଏକ ନୂତନ ସେତୁ ମଧ୍ୟ ନିର୍ମାଣ ହୋଇଛି। ମହାକୁମ୍ଭ ସମୟରେ କୋଟି କୋଟି ଯାତ୍ରୀ ପରିବହନ ପାଇଁ ୩୧୩୪ଟି ସ୍ୱତନ୍ତ୍ର ଟ୍ରେନ୍ ସମେତ ୧୩ ହଜାରରୁ ଅଧିକ ଟ୍ରେନ୍ ଚଳାଚଳ କରିବ। ଯାତ୍ରୀମାନଙ୍କୁ ଦ୍ରୁତ ଗତିରେ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କର ଯାତ୍ରାକୁ ସହଜ କରିବାରେ ଏହି ଟ୍ରେନ୍‌ଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଯାତ୍ରୀଙ୍କ ସୁବିଧା ପାଇଁ ଟିକେଟ୍ କାଉଣ୍ଟର, ଅନୁସନ୍ଧାନ ବୁଥ୍ ଏବଂ ଡିଜିଟାଲ୍ ସୂଚନା ବ୍ୟବସ୍ଥା ମଧ୍ୟ ହାଇ-ଟେକ୍ କରାଯାଇଛି। ଏଥିସହ ତୀର୍ଥଯାତ୍ରୀଙ୍କୁ ସାହାଯ୍ୟ କରିବାକୁ କଲ ସେଣ୍ଟର ସ୍ଥାପନ କରାଯାଇଛି। ମହାକୁମ୍ବ ରେଳବାଇ ହେଲ୍ପଲାଇନ ଟୋଲ ଫ୍ରି ନମ୍ବର -୧୮୦୦-୪୧୯୯-୧୩୯ରେ ରେଳ ସହ ଜଡିତ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବ। ଯେଉଁଠାରେ ଅପରେଟରମାନେ ୩୪x୭ ଅର୍ଥାତ୍ ପ୍ରତିଦିନ ୨୪ ଘଣ୍ଟା ଉପସ୍ଥିତ ରହିବେ। ଅନ-ଲାଇନରେ ସାହାଯ୍ୟ କରିବା ପାଇଁ କୁମ୍ବ -୨୦୨୫ ମୋବାଇଲ୍ ଆପ୍ ମଧ୍ୟ ବିକଶିତ ହେଉଛି।

    ଦୈନିକ ୨୦ ଲକ୍ଷ ଟିକେଟ୍ ଉପଲବ୍ଧ
    ସମସ୍ତ ଷ୍ଟେସନରେ ତଥା ମେଳା ଅଞ୍ଚଳରେ ସଂରକ୍ଷିତ ଟିକେଟ୍ ସିଷ୍ଟମ୍, ଅଟୋମେଟିକ୍ ଟିକେଟ୍ ଭେଣ୍ଡିଙ୍ଗ ମେସିନ୍ (ଏଟିଭିଏମ୍) ସହିତ ମୋଟ ୫୪୨ଟି ଟିକେଟ୍ ପଏଣ୍ଟ ଯୋଗାଇ ଦିଆଯାଉଛି। ସେଥିମଧ୍ୟରୁ କେବଳ ପ୍ରୟାଗରାଜ ଜଙ୍କସନରେ ୧୩୨ କାଉଣ୍ଟର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ସମସ୍ତ କାଉଣ୍ଟର ପ୍ରତିଦିନ ପ୍ରାୟ ୯ଲକ୍ଷ ୭୬ ହଜାର ଟିକେଟ୍ ପ୍ରଦାନ କରିପାରିବ। ଦୈନିକ ୨୦ ଲକ୍ଷ ଯାତ୍ରୀଙ୍କୁ ଟିକେଟ୍ ପ୍ରତି ଦୁଇ ଜଣ ଯାତ୍ରୀ ହାରରେ ଟ୍ରାଭେଲ ଟିକେଟ୍ ଉପଲବ୍ଧ କରାଯାଇପାରିବ।

    ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି
    କୁମ୍ଭ ମେଳାର ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାଗରାଜରେ ବହୁ ସଂଖ୍ୟକ ଆରପିଏଫ୍‌ ଓ ଆର୍‌ପିଏସ୍‌ଏଫ୍‌ ନିୟୋଜିତ କରାଯାଉଛି। ଷ୍ଟେସନଗୁଡ଼ିକରେ ଏହା ନିଶ୍ଚିତ କରାଯାଇଛି ଯେ କୌଣସି ପରିସ୍ଥିତିରେ କ୍ରସ୍ ଗତି କରିବାର ସମ୍ଭାବନା ନାହିଁ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଷ୍ଟେସନରେ ପ୍ରାଥମିକ ସହାୟତା ବୁଥ୍ ଓ ରାପିଡ୍‌ ଆକ୍ସନ ଫୋର୍ସ ମଧ୍ୟ ଗଠନ କରାଯାଉଛି। ସମସ୍ତ ୯ ଫାୟାର ଷ୍ଟେସନର ଅଡିଟ୍ କରାଯାଇଛି। ତଦାରଖ ପାଇଁ ୬୫୧ ଅତିରିକ୍ତ ସିସିଟିଭି କ୍ୟାମେରା ଲଗାଯାଉଛି। ଏହି କ୍ୟାମେରାର ପ୍ରାୟ ୧୦୦ଟିରେ ଏଆଇ ଆଧାରିତ ଚେହେରା ଚିହ୍ନିବା ବ୍ୟବସ୍ଥା ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    87 %
    0.8kmh
    97 %
    Fri
    28 °
    Sat
    31 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ