Wednesday, October 7, 2026
22.5 C
Odisha

    ମହାପ୍ରଭୁଙ୍କ ଗୁଆଲି ଯାତ୍ରା: ଶ୍ରୀମନ୍ଦିରରେ ଚମ୍ପକ ଦ୍ବାଦଶୀ, ବାଟରୁ ପାଛୋଟି ନେଲେ ଗଜପତି

    ଆଗକୁ ପଢନ୍ତୁ

    ପୁରୀ: ଆଜି ପବିତ୍ର ଜ୍ୟେଷ୍ଠ ଶୁକ୍ଳ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ଚମ୍ପକ ଦ୍ବାଦଶୀ ନୀତି ଅନୁଷ୍ଠିତ ହୋଇଯାଇଛି। ଗତକାଲି ଋକ୍ମିଣୀ ହରଣ ଏକା‌ଦଶୀରେ ଶିଶୁପାଳଙ୍କୁ ବନ୍ଦୀ କରି ମହାପ୍ରଭୁ ଋକ୍ମିଣୀ(ମହାଲକ୍ଷ୍ମୀ)ଙ୍କୁ ହରଣ ସହ ବିବାହ ମଣ୍ଡପ(ମାଜଣାମଣ୍ଡପ)ରେ ବିବାହ କରିଥିଲେ। ଗତକାଲି ବିବାହ ନୀତି ସଂପନ୍ନ ପରେ ଆଜି ମହାପ୍ରଭୁଙ୍କ ଗୁଆଲି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କୁ ସାଙ୍ଗରେ ନେଇ ଶ୍ରୀନଅର ବିଜେ କରିବା ସହ ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ଯୋଗ ଦେଇଛନ୍ତି। ପରେ ଶ୍ରୀଜମ୍ବେଶ୍ବରଙ୍କ ମନ୍ଦିର ଯାଇ ପଞ୍ଚଗ୍ରାସୀ ନୀତି ସଂପନ୍ନ କରି ପୁନର୍ବାର ‌ଶ୍ରୀମନ୍ଦିର ଫେରିଛନ୍ତି।
    ଶ୍ରୀମନ୍ଦିରରେ ଚମ୍ପକ ଦ୍ବାଦଶୀ
    ବାଟରୁ ପାଛୋଟି ନେଲେ ଗଜପତି
    ରାଜନଅରରେ ବର-କନ୍ୟାଙ୍କୁ ରାଣୀ ଓ ରାଜ ପରିବାରଙ୍କ ବନ୍ଦାପନା, ଭେଟି

    ପରମ୍ପରା ଅନୁଯାୟୀ, ଆଜି ସକାଳଧୂପ, ଭୋଗମଣ୍ଡପ ଓ ଆଲଟ ଲାଗି ନୀତି ପରେ ତିନିବାଡ଼ରେ ମହାସ୍ନାନ ହୋଇ ନୂଆ ଲୁଗା ଲାଗି ହୋଇଥିଲା। ଏହାପରେ ଶ୍ରୀଅଙ୍ଗରେ ସର୍ବାଙ୍ଗ ଚନ୍ଦନ ଲାଗି କରାଯାଇଥିଲା। ବେଶ ବଢ଼ି ମଧ୍ୟାହ୍ନ ଧୂପ ପରେ ପାଣି ପଡ଼ି ବର-କନ୍ୟା ଶ୍ରୀମନ୍ଦିର ରତ୍ନବେଦି ନିକଟକୁ ବିଜେ କରିଥିଲେ। ବନ୍ଦାପନା ବଢ଼ିବା ପରେ ବର-କନ୍ୟା ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ ହୋଇ ବଡ଼ଦେଉଳରେ ଥରେ ବେଢ଼ା ପରିକ୍ରମା କରି ସିଂହଦ୍ବାର ଦେଇ ରାଜନଅରକୁ ବିଜେ କରିଥିଲେ। ଗଜପତି ମହାରାଜ ଦିବ୍ୟସିଂହ ଦେବ ବିଜେ ଠାକୁରାଣୀଙ୍କୁ ବାଟରୁ ପାଛୋଟି ନେଇ ନଅର ଅଗଣାରେ ରହିଥିବା ଖଟରେ ବିଜେ କରାଇଥିଲେ। ଏଠାରେ ପଞ୍ଚୋପଚାରରେ ପୂଜା କରାଯାଇଥିଲା। ପିଠା ମଣୋହି କରାଯାଇ ପ୍ରସାଦ ଲାଗି ହୋଇଥିଲା। ପରେ ବନ୍ଦାପନା ସହ ଆଲଟ ଲାଗି ହୋଇଥିଲା। ନଅର ଭିତରେ ଶୁଦ୍ଧ ହୋଇ ସେବକମାନେ ବାହାରକୁ ଆସିବା ପରେ ରାଜନଅର ଦ୍ବାର ବନ୍ଦ କରାଯାଇଥିଲା। ରାଣୀ ଓ ରାଜ-ପରିବାରବର୍ଗ ଆସିବା ପରେ ଦ୍ବାର ଖୋଲାଯାଇଥିଲା। ରାଣୀ ଓ ରାଜ-ପରିବାରବର୍ଗ ବିଜେ ବର-କନ୍ୟାଙ୍କୁ ବନ୍ଦାପନା କରି ବିଧି ଅନୁସାରେ ଭେଟି ଦେଇଥିଲେ। ଏହା ପରେ ବର-କନ୍ୟାଙ୍କୁ ପାଲିଙ୍କିରେ ବିଜେ କରାଇ ଶ୍ରୀଜମ୍ବେଶ୍ବର ମହାଦେବଙ୍କ ମନ୍ଦିର ନିଆଯାଇଥିଲା। ସେଠାରେ ପଞ୍ଚଗ୍ରାସୀ ଭୋଗ ହୋଇ ବନ୍ଦାପନା ପରେ ବର-କନ୍ୟା ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ। ପରେ ଦକ୍ଷିଣୀ ଘରକୁ ବର-କନ୍ୟା ବିଜେ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ