Wednesday, July 1, 2026
24.8 C
Odisha

    ବିଧାନସଭାରେ ପୁଣି ମିସନ୍‌ ଶକ୍ତି ଝଡ଼: ଯିଏ କ୍ଷମତାକୁ ଆସିବ, ସମାଧାନ ଦାୟିତ୍ବ ତା’ର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ଏମ୍‌ବିକେ, ସିଆର୍‌ପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ନେଇ ଲଗାତାର ତୃତୀୟ ଦିନ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ପୂର୍ବ ସରକାରକୁ ଦୋଷ ନ ଲଦି ସମାଧାନର ବାଟ ବାହାର କରିବାକୁ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ବିରୋଧୀ। ନିଜ ଦୋଷ ଘୋଡ଼ାଇବାକୁ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଶାସକ ଦଳର ସଦସ୍ୟମାନେ ଆକ୍ଷେପ କରିଛନ୍ତି।

    ଦୋଷ ନ ଲଦି ସମାଧାନର ବାଟ ବାହାର କର
    ନିଜ ଦୋଷ ଘୋଡ଼ାଇବାକୁ କୁମ୍ଭୀର କାନ୍ଦଣା: ଶାସକ ଦଳ

    ଆଜି ବିଜେଡି ପକ୍ଷରୁ ‘ମିସନ୍‌ ଶକ୍ତିକୁ ଶକ୍ତିହୀନ କରିବାକୁ ହେଉଛି ଉଦ୍ୟମ, ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ’ ବୋଲି ମୁଲତବୀ ପ୍ରସ୍ତାବ ଆସିଥିଲା। ବିଜେଡି ପକ୍ଷରୁ ଅରୁଣ କୁମାର ସାହୁ କହିଲେ, ପୂର୍ବ ସରକାରକୁ ଦୋଷ ଦେଇ ଆପଣମାନେ ଖସିପାରିବେ ନାହିଁ। ଯିଏ କ୍ଷମତାକୁ ଆସିବ, ସମାଧାନର ଦାୟିତ୍ବ ତା’ର। କାନ୍ଧରୁ ଦାୟିତ୍ବ ଖସାଇ ଅସହାୟତା ପ୍ରକାଶ କରିବା ଦରକାର ନାହିଁ। ହଜାର ହଜାର ସଂଖ୍ୟାରେ ମହିଳା ଶୀତ କାକରରେ ରାଜରାସ୍ତାରେ ପଡ଼ିଛନ୍ତି। ରାତିରେ ସେହି ରାସ୍ତାରେ ଶୋଉଛନ୍ତି। ଶୌଚାଳୟ ନାହିଁ କି ପିଇବା ପାଣି ନାହିଁ। ସେମାନେ ନିଜର ସାମାଜିକ ସ୍ଥିତି, ରୋଜଗାର ପାଇଁ ଏଠାକୁ ଆସିଛନ୍ତି। ଏଇଟା ରାଜନୈତିକ ଦଳର ପଇସା ଦିଆ ରାଲି ନୁହେଁ। ପଇସା ଦିଆ ରାଲିରେ ଲୋକ ଘଣ୍ଟାଏ ପରେ ପଳାଇବେ। କିନ୍ତୁ ସେମାନେ ନିଜର ଭବିଷ୍ୟତର ସୁରକ୍ଷା ପାଇଁ ଦିନରାତି ପଡ଼ି ରହିଛନ୍ତି। ସରକାର ଟିକେ ସମ୍ବେଦନଶୀଳ ହୋଇ ସେମାନଙ୍କ କଥା ବିଚାର କରନ୍ତୁ। ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ମା’ମାନେ ରାଜରାସ୍ତାରେ ନିଜର ଅଧିକାର ମାଗୁଛନ୍ତି। ସରକାର ଦାବି ଗ୍ରହଣ କରିବା ତ ଦୂରର କଥା, ସମବେଦନା ବି ଜଣାଉ ନାହାନ୍ତି। ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ମହିଳା ଆନ୍ଦୋଳନ କରୁଛନ୍ତି। ତୁମ ସ୍ତ୍ରୀ କିମ୍ବା ମୋ ସ୍ତ୍ରୀ ସେଠାରେ ବସି ନାହାନ୍ତି। ସରକାର ସେମାନଙ୍କ ଭବିଷ୍ୟତ କଥା ଚିନ୍ତା କରନ୍ତୁ। ସୁଜାତା ସାହୁ କହିଲେ, ପୂର୍ବ ସରକାରଙ୍କ ଉଦ୍ୟମରେ ମିସନ ଶକ୍ତି ମାଧ୍ୟମରେ ୭୦ ଲକ୍ଷ ମହିଳା ସଶକ୍ତ ଓ ସ୍ବାବଲମ୍ବୀ ହୋଇଥିଲେ। କିନ୍ତୁ ବର୍ତ୍ତମାନର ସରକାର ସେମାନଙ୍କୁ ରାଜରାସ୍ତାରେ ବସିବାକୁ ବାଧ୍ୟ କରିଛନ୍ତି।

    କଂଗ୍ରେସ ପକ୍ଷରୁ ସୋଫିଆ ଫିର୍‌ଦୋସ କହିଛନ୍ତି, ମହିଳାମାନେ ରାସ୍ତାରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପଡ଼ିଛନ୍ତି। ସେମାନଙ୍କ ଦୁଃଖ ସରକାର ଶୁଣନ୍ତୁ। ପୂର୍ବ ସରକାର କି ବର୍ତ୍ତମାନର ସରକାରଙ୍କ ଭୁ୍ଲ, ତାହା ଭିନ୍ନ କଥା। କିନ୍ତୁ ସମାଧାନର ବାଟ ବାହାରୁ। ଆନ୍ଦୋଳନକାରୀଙ୍କ ମଧ୍ୟରୁ କିଛି ମହିଳା ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇ ହସ୍ପିଟାଲ ଗଲେଣି। ସେଠି ପିଇବାକୁ ପାଣି ନାହିଁ କି ଶୌଚ ପାଇଁ ଜାଗା ନାହିଁ। ସେମାନଙ୍କ ସହ ଆଲୋଚନା କରିବାକୁ ଆପଣମାନଙ୍କୁ ଅଟକାଉଛି କିଏ? ଅଶୋକ ଦାସ କହିଲେ, ମହିଳାମାନେ ଗୁହାରୀ କରିବା ପାଇଁ ରାଜଧାନୀ ଆସିଛନ୍ତି। କିନ୍ତୁ ଆପଣମାନେ ସେମାନଙ୍କ ସହ ଆଲୋଚନା ବି କରୁ ନାହାନ୍ତି। ଆପଣମାନେ ନାଁ ଓ ରଙ୍ଗ ବଦଳାଇବାରେ ମାହିର। ତେଣୁ ଯୋଜନାର ନାଁ ବଦଳାଇ ଦିଅନ୍ତୁ, କିନ୍ତୁ ମହିଳାଙ୍କ ଦାବି ଶୁଣନ୍ତୁ। ଶାସକ ଦଳ ପକ୍ଷରୁ ଯୁକ୍ତି କରାଯାଇଥିଲା, ଏମ୍‌ବିକେ, ସିଆର୍‌ପି ଓ ବ୍ୟାଙ୍କ ମିତ୍ରମାନଙ୍କ ୫ ବର୍ଷିଆ ଚୁକ୍ତି ଅବଧି କାହିଁକି ରଖାଯାଇଥିଲା? ୨୦୧୯ରେ ସେମାନଙ୍କୁ ନିଯୁକ୍ତି ଦେଲା ବେଳେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ୨୦୨୪ରେ ସେମାନଙ୍କ ଚୁକ୍ତି ସରିବ ଓ ଜିପିଏଲ୍ଏଫ୍‌ ଟଙ୍କା ଦିଆଯିବନି। ନିଜ ଦୋଷକୁ ଘଣ୍ଟ ଘୋଡ଼ାଇବା ପାଇଁ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନ ବେଳେ ସେମାନଙ୍କୁ ବିଜେଡି ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ବ୍ୟବହାର କରିଥିଲା। ବିଧାନସଭା ଚାଲିଥିବାରୁ ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ରାଜରାସ୍ତାକୁ ଅଣାଯାଇଛି। ଶାସକ ଦଳ ସଭ୍ୟ ମାନସ ଦତ୍ତ, ସନ୍ତୋଷ ଖଟୁଆ, ଉପାସନା ମହାପାତ୍ର ଓ ସୀମାରାଣୀ ନାଏକ ଆଲୋଚନାରେ ଭାଗ ନେଇଥିଲେ।

    ପୂର୍ବ ସରକାରରେ ‘ମିସନ୍‌ ଶକ୍ତି’ ପୋଲିଓ ଆକ୍ରାନ୍ତ ହୋଇଛି: ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମିସନ୍‌ ଶକ୍ତି ସଂକ୍ରାନ୍ତୀୟ ମୁଲତବୀ ଆଲୋଚନାର ଉତ୍ତର ରଖି ବିଜେଡିକୁ ଟାର୍ଗେଟ୍ କରିଛନ୍ତି ମିସନ୍‌ ଶକ୍ତି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ବିଜେଡି ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମିସନ୍‌ ଶକ୍ତିକୁ ଅଡ଼ୁଆ ପାହାଡ଼ ଉପରେ ଠିଆ କରାଇଛନ୍ତି। ମିସନ୍‌ ଶକ୍ତି ବିଭାଗକୁ ପୋଲିଓ ଆକ୍ରାନ୍ତ କରିଦେଇଛନ୍ତି। ଏବେ ମା’ମାନଙ୍କ ପାଇଁ ବିଜେଡି ଛଳନା କରୁଛି।
    ଶ୍ରୀମତୀ ପରିଡ଼ା କହିଥିଲେ, ଏମ୍‌ବିକେ, ସିଆର୍‌ପି ଓ ବ୍ୟାଙ୍କ ମିତ୍ରମାନଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ବିରୋଧୀଙ୍କ ଅଭିଯୋଗ ଆଦୌ ସତ ନୁହେଁ। ସେମାନଙ୍କର ଏକ ପ୍ରତିନିଧି ଦଳ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିଥିଲେ।

    ଆନ୍ଦୋଳନରୁ ଓହରିଯିବେ ବୋଲି କହିକି ଯାଇଥିଲେ। କିନ୍ତୁ ବାହାରକୁ ଯାଇ ଆନ୍ଦୋଳନ ଜାରି ରଖିଲେ। ପୂର୍ବ ସରକାର କରିଥିବା ଚୁକ୍ତି ଗତ ଏପ୍ରିଲରେ ଶେଷ ହୋଇଛି। ସେମାନେ ଚାହିଥିଲେ ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଚୁକ୍ତିର ନବୀକରଣ କରିପାରିଥା’ନ୍ତେ। କିନ୍ତୁ ସେମାନେ ମହିଳାଙ୍କୁ କେବଳ ଭୋଟ୍ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲେ। ପୂର୍ବ ସରକାରରେ ମିସନ୍‌ ଶକ୍ତି ବିଫଳ ହୋଇଥିଲା। ଜିପିଏଲ୍ଏଫ୍ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେଲାନି। ସିଏସ୍ଏସ୍‌ମାନଙ୍କୁ ପାରିଶ୍ରମିକ ଦେବାରେ ଏହା ସକ୍ଷମ ନୁହେଁ। ଆହୁରି ମଧ୍ୟ ଅବାଶ୍ୟକ ଠାରୁ ଅଧିକ ସିଏସ୍ଏସ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଯେଉଁମାନେ ୫ ବର୍ଷର ଅବଧି ଭିତରେ ଅଛନ୍ତି ସେମାନଙ୍କୁ ପାରିଶ୍ରମିକ ଦେବା ପାଇଁ ଗତ ମାସ ୪ ତାରିଖରେ ଚିଠି ଯାଇଛି। ଉପମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମିସନ ଶକ୍ତିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆମ ସରକାର ୨୦୩୬ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛି। ଭିଜନ ଡକ୍ୟୁମେଣ୍ଟର ପ୍ରଥମ ଧାର୍ଯ୍ୟ ଲକ୍ଷ୍ୟ ହିସାବରେ ୨୦୨୭ ମସିହା ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହେବାକୁ ଯାଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.8 ° C
    24.8 °
    24.8 °
    93 %
    0.8kmh
    100 %
    Wed
    26 °
    Thu
    31 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ