ଏସ୍ସିବି ମେଡିକାଲ୍ ସମ୍ପ୍ରସାରଣ କାର୍ଯ୍ୟକୁ ବିଳମ୍ବିତ କରି ଚାଲିଥିବା ଏଲ୍ଆଣ୍ଡଟିକୁ ଯାଜପୁର, ପୁରୀ,ବାଲେଶ୍ବର ଓ ବାରିପଦା (ମୟୁରଭଞ୍ଜ)ରେ ସ୍ଥାପିତ ମେଡିକାଲ୍ କଲେଜ ନିର୍ମାଣ ମଧ୍ୟ ଚଢ଼ା ଦରରେ ଦିଆଯାଇଥିଲା। ଉଲ୍ଲେଖଥାଉକି, ଦେଶରେ ଡାକ୍ତରଙ୍କ ଅଭାବ ପୂରଣ ଲକ୍ଷ୍ୟରେ ଜିଲ୍ଲା ମହକୁମା ହସ୍ପିଟାଲକୁ ମେଡିକାଲ୍ କଲେଜରେ ରୂପାନ୍ତର ଲାଗି ୨୦୧୯ରେ ନରେନ୍ଦ୍ର ମୋଦୀ ସରକାର ନୀତିଗତ ଯୋଜନା ପ୍ରଣୟନ କରିଥିଲେ। ତଦନୁଯାୟୀ ସ୍ଥାନ ବିଶେଷରେ ଏଭଳି ମେଡିକାଲ୍ କଲେଜ ସ୍ଥାପନ ଲାଗି ଆକଳନ ମୂଲ୍ୟ ୧୮୯ କୋଟିରୁ ୨୫୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସ୍ବତନ୍ତ୍ର ପାହ୍ୟା ରାଜ୍ୟଙ୍କୁ ପ୍ରକଳ୍ପ ମୂଲ୍ୟର ୯୦% ଓ ଅନ୍ୟାନ୍ୟ ରାଜ୍ୟକୁ ୬୦% ଅନୁଦାନ ଦେବାକୁ ନୀତି ନିର୍ଦ୍ଧାରଣ କରିଥିଲେ କେନ୍ଦ୍ର ସରକାର। ନିର୍ଦ୍ଧାରିତ ରାଶିରେ ଓଡ଼ିଶାର ଅନ୍ୟ କେତେକ ମେଡିକାଲ୍ କଲେଜ ସ୍ଥାପିତ ହୋଇଛି।
ମାତ୍ର ଯାଜପୁରସ୍ଥିତ ଯଯାତିକେଶରୀ ମେଡିକାଲ୍ କଲେଜ ନିର୍ମାଣ ଠିକା ନେଇଥିବା ଏଲ୍ଆଣ୍ଡଟି ଉଠାଇଛି ୫୨୬ କୋଟି ଟଙ୍କାର ବିଲ୍; ଯଦିଓ ଏହାର ମୂଳ ଆକଳନ ଥିଲା ୩୨୬ କୋଟି। ଡିଏମ୍ଏଫ୍ ଓ ଅନ୍ୟାନ୍ୟ ସୂତ୍ରରୁ ଅର୍ଥ ଆଣି ସରକାର ଏହି ଠିକା ସଂସ୍ଥାକୁ ଅଧିକ ୨୦୦ କୋଟି ଟଙ୍କାର ବିଲ୍ ପ୍ରଦାନ କରିଛନ୍ତି। ସେହିପରି ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜରେ ସରକାରୀ ମେଡିକାଲ୍ କଲେଜ କୋଠା ନିର୍ମାଣ ପାଇଁ ୬୮୫ କୋଟି ୮୮ ଲକ୍ଷ ଟଙ୍କା ମୂଲ୍ୟରେ ଟେଣ୍ଡର ଚୁକ୍ତି କରିଥିବା ଏହି ଠିକା ସଂସ୍ଥା ଚୂଡ଼ାନ୍ତ ବିଲ୍ କେତେ ଉଠାଇଲା, ସେ ତଥ୍ୟ ଦେବାକୁ ଅଧିକାରୀ ଏବେ କୁନ୍ଥକୁନ୍ଥ। ଏମିତିରେ ବି ମେଡିକାଲ୍ କଲେଜ କୋଠା ନିର୍ମାଣର ନକ୍ସା, ଡିଜାଇନ୍, ଅଟକଳ ସମେତ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିବାକୁ ସରକାର ଏହି ସଂସ୍ଥାକୁ କ୍ଷମତା ଅର୍ପଣ କରିଥିଲେ, ଯାହା ତଦନ୍ତ ସାପେକ୍ଷ।
ତେବେ କେଉଁ ବାଧ୍ୟବାଧକତା ଲାଗି ନୂଆ ସରକାର ଏସବୁ ପ୍ରସଙ୍ଗରେ ନିରବ ରହୁଛନ୍ତି, ତାହା ବୁଝାପଡ଼ୁନାହିଁ। ସୁତରାଂ ସରକାରଙ୍କୁ ଲୋକେ ଧୀରେ ଧୀରେ ସନ୍ଦେହ କଲେଣି।
