Saturday, October 17, 2026
23.8 C
Odisha

    ଆଜିଠୁ ଓଡ଼ିଶାର ରଣଜୀ ଅଭିଯାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭାରତର ସବୁଠୁ ବୃହତ୍‌ ତଥା ସମ୍ମାନଜନକ ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ରଣଜୀ ଟ୍ରଫି ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଛି। ଏଲିଟ୍‌ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ତ୍ରିପୁରା ବିପକ୍ଷରେ ଅଗରତାଲାରେ ଅଭିଯାନ ଆରମ୍ଭ କରିବ। ୨୦୧୯-୨୦ ଋତୁ ପରେ ପ୍ରଥମ ଥର ଏହି ଦୁଇ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। କିନ୍ତୁ ମ୍ୟାଚ୍‌ ଉପରେ ବର୍ଷା ବାଧକ ସାଜିପାରେ। ଗତ କିଛି ଦିନ ‌ଧରି ବର୍ଷା ଲାଗି ରହିଥିବାରୁ ପଡ଼ିଆ ଖେଳିବା ପାଇଁ ଅନୁପଯୁକ୍ତ ହୋଇପଡ଼ିଛି। ଗୁରୁବାର ବର୍ଷା ଛାଡ଼ିଥିବାରୁ ଖେଳାଳିମାନେ ହାଲ୍‌କା ଅଭ୍ୟାସ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ନେଟ୍ସକୁ ଠିକ୍‌ ଭାବେ ଓହ୍ଲାଇପାରି ନାହାନ୍ତି। ପଡ଼ିଆ ଓଦା ଥିବାରୁ ଶୁକ୍ରବାର ମ୍ୟାଚ୍ ମଧ୍ୟ ଆରମ୍ଭ ହେବା ବିଳମ୍ବ ହୋଇପାରେ।
    ୨୦୨୦ ଜାନୁଆରି ୩ ତାରିଖରେ ଅଗରତାଲାରେ ହୋଇଥିବା ଶେଷ ମୁକାବିଲାରେ ମ୍ୟାଚ୍‌ ଅମୀମାଂସିତ ରହିଥିଲା। କିନ୍ତୁ ଓଡ଼ିଶା ଫଲୋଅନ୍‌ ହୋଇଥିବାରୁ ଘରୋଇ ଦଳ ୩ ପଏଣ୍ଟ ପାଇଯାଇଥିଲା। ବର୍ଷା ଯୋଗୁଁ ପ୍ରଥମ ଦୁଇଦିନ ଖେଳ ସମ୍ଭବ ହୋଇ ନଥିଲା। ତୃତୀୟ ଦିନ କେବଳ ୪୪ ଓଭର ଖେଳ ସମ୍ଭବ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ତ୍ରିପୁରା ୨୮୮/୬ରେ ପାଳି ଘୋଷଣା କରିଥିଲା। ମିଲିନ୍ଦ କୁମାର ଶତକ (୧୦୫*) ଓ ସମ୍ରାଟ ସିଂହ (୬୫), ମଣିଶଙ୍କର ମୁରାସିଂହ (୭୨)ଙ୍କ ଅର୍ଦ୍ଧଶତକୀୟ ପାଳି ଖେଳାଳି ଓଡ଼ିଶା ବୋଲର୍‌ଙ୍କୁ ନୟାନ୍ତ କରିଥିଲେ। ରାଜେଶ ମହାନ୍ତି (୩/୭୮) ସଫଳ ବୋଲର ଥିଲେ। ଓଡ଼ିଶାର ପ୍ରଥମ ପାଳି କିନ୍ତୁ ବିପର୍ଯ୍ୟୟ ଭରା ଥିଲା। ବିପ୍ଲବ ସାମନ୍ତରାୟ (୫୧)ଙ୍କୁ ଛାଡ଼ିଦେଲେ ଆଉ କେହି ତ୍ରିପୁରା ବୋଲର୍‌ଙ୍କୁ ଅଧିକ ସମୟ ସାମ୍ନା କରିପାରି ନଥିଲେ। ମାତ୍ର ୧୨୧ ରନ୍‌ରେ ଫଲୋଅନ୍‌ ହେବା ପରେ ଓଡ଼ିଶା ଦ୍ବିତୀୟ ପାଳିରେ ଗୋବିନ୍ଦ ପୋଦ୍ଦାର (୩୩*) ଓ ଶୁଭ୍ରାଂଶୁ ସେନାପତି (୨୬*)ଙ୍କ ରକ୍ଷଣାତ୍ମକ ବ୍ୟାଟିଂ ଯୋଗୁଁ ୭୧/୧ ସ୍କୋର କରି ଓଡ଼ିଶାକୁ ୧ ପଏଣ୍ଟ ଆଣିବାରେ ସକ୍ଷମ ହୋଇଥିଲେ।

    ଏବେ ମଧ୍ୟ ସମାନ ପାଗରେ ରଣଜୀ ମ୍ୟାଚ୍ ‌ଖେଳାଯିବାକୁ ଥିବା ବେଳେ ଯୁବ ପ୍ରତିଭାଙ୍କୁ ନେଇ ଓଡ଼ିଶା ଦଳ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଶୁଭ୍ରାଂଶୁ ସେନାପତି ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶ ଚାଲିଯାଇଥିବାରୁ ଦଳର ମଧ୍ୟଭାଗ ପୂର୍ବାପେକ୍ଷା ଦୁର୍ବଳ ହୋଇପାରେ। କିନ୍ତୁ ଆଶୀର୍ବାଦ ସ୍ବାଇଁ, ରାଜେଶ ଧୂପର, ଗୋବିନ୍ଦ ପୋଦ୍ଦାର ଓ ବିପ୍ଲବ ସାମନ୍ତରାୟଙ୍କ ଉପରେ ଏହି ଶୂନ୍ୟସ୍ଥାନ ପୂରଣ କରିବା ଦାୟିତ୍ବ ରହିବ। ଏହାବ୍ୟତୀତ ପାଗ ଦୃଷ୍ଟିରୁ ଦ୍ରୁତ ବୋଲରଙ୍କ ଭୂମିକା ଏଠାରେ ଅଧିକ ରହିବ। ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି, ସୁନୀଲ ରାଉଳ ପ୍ରଥମ ପସନ୍ଦର ବୋଲର ହୋଇଥିବା ବେଳେ ତରଣୀ ସା’ଙ୍କୁ ଅପେକ୍ଷା କରିବାକୁ ପଡ଼ିପାରେ। ସ୍ପିନରଙ୍କ ମଧ୍ୟରେ ହର୍ଷିତ ରାଠୋଡ଼ ଥିଲେ ମଧ୍ୟ ସୁମିତ ଶର୍ମାଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ। ସୂଚନାଯୋଗ୍ୟ, ଗତ ଋତୁରେ ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ଡି’ରେ ୭ ମ୍ୟାଚ୍‌ରୁ ୧ ବିଜୟ ଓ ୪ ପରାଜୟ ସହିତ ସପ୍ତମ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ତ୍ରିପୁରା ଏଲିଟ୍‌ ଗ୍ରୁପ୍‌ ସି’ରେ ସମାନ ସଂଖ୍ୟକ ମ୍ୟାଚ୍‌ରୁ ୨ ଲେଖାଏଁ ବିଜୟ ଓ ପରାଜୟ ପାଇ ପଞ୍ଚମ ସ୍ଥାନରେ ରହିଥିଲା।

    ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ବିପ୍ଲବ ସାମନ୍ତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ, ଅନୀଲ ପରିଡ଼ା, କାର୍ତ୍ତିକ ବିଶ୍ବାଳ, ରାଜଶ ଧୂପର, ସନ୍ଦୀପ ପଟ୍ଟନାୟକ, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି, ହର୍ଷିତ ରାଠୋଡ଼, ସୁନୀଲ ରାଉଳ, ସ୍ବସ୍ତିକ ସାମଲ, ଅନୁରାଗ ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର, ସୁମିତ ଶର୍ମା, ଆଶୀର୍ବାଦ ସ୍ବାଇଁ, ତରଣୀ ସା’।

    ତ୍ରିପୁରା ଦଳ: ବିକ୍ରମ କୁମାର ଦାସ, ରଜତ ଦେ, ଶ୍ରୀନିବାସ ଶରତ, ମନଦୀପ ସିଂହ (ଅଧିନାୟକ), ମଣିଶଙ୍କର ମୁରାସିଂହ, ଶ୍ରୀଦମ ପଲ୍‌, ପରଭେଜ୍‌ ସୁଲତାନ, ଶଙ୍କର ପଲ୍‌, ରାଣା ଦତ୍ତ, ଅଜୟ ସରକାର, ଜୟଦୀପ ବଣିକ, ସୌରଭ ଦାସ, ବିକ୍ରମଜୀତ ଦେବନାଥ, ତେଜସ୍ବୀ ଜୟସ୍ବାଲ, ଜିବନଜ୍ୟୋତ ସିଂହ, ସନ୍ଦୀପ ସରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    89 %
    0.3kmh
    70 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ