Tuesday, September 15, 2026
25.2 C
Odisha

    ଓଡ଼ିଶାରେ ବଢ଼ିବ କି ଖରାଛୁଟି ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଆହୁରି କିଛି ଦିନ କଲବଲ କରିପାରେ ଗୁଳୁଗୁଳି । ଅନ୍ୟ ଜିଲ୍ଲାକୁ ମୌସୁମି ପହଞ୍ଚିବାକୁ ୪ରୁ ୫ ଦିନ ଲାଗିପାରେ । କିଛି ସ୍ଥାନର ପ୍ରାକ୍‌ ମୌସୁମି ବର୍ଷା ସମ୍ଭାବନା ରହିଛି । ୧୮ ଓ ୧୯ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିପାରେ । ଅନ୍ୟପଟେ ଆଜି ଖରା ଛୁଟିର ଶେଷ ଦିନ। ଆସନ୍ତାକାଲିଠାରୁ ଖୋଲିବ ସ୍କୁଲ୍। ସେଥିପାଇଁ କିଛି ଦିନ ପୂର୍ବରୁ ସ୍କୁଲ୍ ପରିସରକୁ ସଫାସୁତର କରିବା ସହିତ ମଧ୍ୟାହ୍ନ ଭୋଜନ ନିମିତ୍ତ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଆସନ୍ତାକାଲି ସ୍କୁଲ୍ ନଖୋଲି ଆଉ ତିନି-ଚାରି ଦିନ ଘୁଞ୍ଚାଇ ଦେବା ପାଇଁ ଦାବି କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା।

    ସାରା ରାଜ୍ୟରେ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି କରିଛି ଓଷ୍ଟା। ସଂଘ ପକ୍ଷରୁ କୁହାଯାଇଛି, ସାରା ରାଜ୍ୟରେ ଏବେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି। ଏହି ଜୁନ୍ ମାସର ମଧ୍ୟଭାଗରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଦିନର ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ରହୁଛି। ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ରାଜ୍ୟର ଅଧିକାଂଶ ସ୍କୁଲ ଘର ଆଜବେଷ୍ଟସ କିମ୍ବା ଏକ ମହଲା ଛାତ ବିଶିଷ୍ଟ। ଅନେକ ସ୍କୁଲ୍କୁ ବିଦ୍ୟୁତ୍ ସଂଯୋଗ ନାହିଁ। ଯେଉଁଠାରେ ବିଦ୍ୟୁତ୍ ସଂଯୋଗ ହୋଇଛି ସେଠାରେ ଅଧା ଅଚଳ ଅବସ୍ଥାରେ ପଡ଼ି ରହିଛି। ଯେଉଁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ଦିନ ବେଳେ ଚାଲୁଛି, ସେଠାରେ କୁଲର ଓ ଏସି ଚାଲୁଛି ଏବଂ ଥଣ୍ଡା ପିଇବା ପାଣିର ସୁବିଧା ଉପଳବ୍ଧ ଅଛି। କିନ୍ତୁ ବିଦ୍ୟାଳୟଗୁଡ଼ିକରେ ଏଭଳି ସୁବିଧା ନାହିଁ। କାଳବୈଶାଖୀ ପ୍ରଭାବରେ କାଁ ଭାଁ ଯେଉଁ ବର୍ଷା ହେଉଛି, ତାହା ତାପମାତ୍ରାକୁ ହ୍ରାସ କରିପାରୁ ନାହିଁ। ଅନ୍ୟପଟେ ଆଦ୍ରତା ବଢୁଛି ଓ ଅସହ୍ୟ ଗୁଳୁଗୁଳି ହେଉଛି। ତେଣୁ ୧୮ ତାରିଖରୁ ସ୍କୁଲ୍ଗୁଡ଼ିକୁ ନଖୋଲି ଆଉ କିଛି ଦିନ ଘୁଞ୍ଚାଇ ଦେବା ପାଇଁ ଓଷ୍ଟା ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। ଗ୍ରୀଷ୍ମ ଛୁଟି ବଢ଼ାଇବା ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି, ଖରା ଓ ଗୁଳଗୁଳିକୁ ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଛି, ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ। ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ପାଣିପାଗ ବିଭାଗ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.2 ° C
    25.2 °
    25.2 °
    85 %
    1.4kmh
    23 %
    Tue
    25 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ