ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଛି ନୂଆ ଗେଜେଟ୍ ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । ତେବେ ୨,୦୦୦ରୁ ଅଧିକ କାରବାର ଉପରେ ତୁରନ୍ତ କୌଣସି ନୂଆ ଫି’ ଲାଗୁ ହୋଇନାହିଁ । ଏହା କେବଳ ଭବିଷ୍ୟତରେ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ଶୁଳ୍କ ଲଗାଇବା ପାଇଁ ଆଇନଗତ ଭିତ୍ତି ପ୍ରସ୍ତୁତ କରିଛି । ବ୍ୟାଙ୍କ କିମ୍ବା ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର PhonePe, Google Payରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଆଦାୟ କରିପାରିବେନି । ଟଙ୍କା ପଠାଉଥିବା କିମ୍ବା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଠାରୁ କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଆଦାୟ କରିପାରିବେ ନାହିଁ ।
୩୦ ଡିସେମ୍ବର ୨୦୧୯ର ବିଜ୍ଞପ୍ତି ଅନୁଯାୟୀ ସମସ୍ତ UPI କାରବାର ଉପରେ ବିନା ଟଙ୍କାର ସୀମାରେ ଥିଲା । ଏବେ ସେହି ନିୟମରେ ପରିବର୍ତ୍ତନ କରି ୨,୦୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ କରାଯାଇଛି । ବିଜ୍ଞପ୍ତିରେ ୨,୦୦୦ରୁ ଅଧିକ କାରବାର ଉପରେ କୌଣସି ନୂଆ ଚାର୍ଜ ବା ହାର ଘୋଷଣା କରାଯାଇ ନାହିଁ । ସାଙ୍ଗସାଥୀ, ପରିବାର କିମ୍ବା ଯେକୌଣସି ବ୍ୟକ୍ତିଙ୍କୁ ଟଙ୍କା ପଠାଇବା ସମ୍ପୂର୍ଣ୍ଣ ମାଗଣା ରହିବ, ତାହା ୧୦୦ ହେଉ କିମ୍ବା ୫୦,୦୦୦ । ଆପଣ ଯଦି କୌଣସି ଦୋକାନରେ ୫,୦୦୦ ପେମେଣ୍ଟ UPI ମାଧ୍ୟମରେ କରୁଛନ୍ତି, ତେବେ କେବଳ ଏହି ବିଜ୍ଞପ୍ତି ଯୋଗୁଁ ଆପଣଙ୍କ ଆକାଉଣ୍ଟରୁ କୌଣସି ଅତିରିକ୍ତ ଶୁଳ୍କ କଟିବ ନାହିଁ ।
ଭବିଷ୍ୟତରେ ଯଦି କୌଣସି ଚାର୍ଜ ଲାଗୁ ହୁଏ, ତାହା MDR (Merchant Discount Rate) ଆକାରରେ ବ୍ୟବସାୟୀ ବା ଦୋକାନୀଙ୍କ ଉପରେ ଲାଗିବ, ଗ୍ରାହକଙ୍କ ଉପରେ ନୁହେଁ । UPI କାରବାର ପରିମାଣ ପ୍ରତିମାସରେ ହଜାର ହଜାର କୋଟି ଟଙ୍କା ଟପୁଛି । ଏହି ବିଶାଳ ନେଟୱାର୍କ ଚଳାଇବା, ସର୍ଭର କ୍ଷମତା ବୃଦ୍ଧି କରିବା, ସାଇବର ସୁରକ୍ଷା ଏବଂ ନୂତନ ଟେକ୍ନୋଲୋଜିରେ ବିନିଯୋଗ କରିବା ପାଇଁ ବ୍ୟାଙ୍କ ଏବଂ ଫିନଟେକ୍ କମ୍ପାନୀଗୁଡ଼ିକ ଉପରେ ପ୍ରବଳ ଆର୍ଥିକ ଚାପ ରହୁଛି । ଏହି ସୀମା ବାହାରେ ଥିବା କାରବାର ଉପରେ କେବେଠାରୁ ଏବଂ କେତେ ଶୁଳ୍କ ଲାଗିବ, ତାର କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇ ନାହିଁ ।
