Sunday, February 16, 2025
17 C
Odisha

    ଏ ବର୍ଷ ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି: ମୁକ୍ତିମଣ୍ଡପ ପଣ୍ଡିତସଭାର ଭୁଲ୍ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ

    ଆଗକୁ ପଢନ୍ତୁ

    କଟକ: ଅଧିବର୍ଷ କାରଣରୁ ୨୦୨୪ ମସିହା ୩୬୫ ଦିନ ବଦଳରେ ୩୬୬ ଦିନ ହେଉଥିବାରୁ ଏ ବର୍ଷ ୧୪ ବଦଳରେ ଏପ୍ରିଲ ୧୩ ତାରିଖରେ ପଡ଼ୁଛି ମହାବିଷୁବ ପଣା ସଂକ୍ରାନ୍ତି। ଓଡ଼ିଶାରେ ପ୍ରାୟ ସମସ୍ତ ପାଞ୍ଜି ଗଣନାରେ ବିଶେଷଭାବେ ଅବଲମ୍ବନ କରାଯାଉଥିବା ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ, ଯାଜପୁର ଜିଲ୍ଲାରେ ବିରଜା ପାଞ୍ଜି ଗଣନାରେ ବ୍ୟବହୃତ ଶତାନନ୍ଦଙ୍କ ଭାସ୍ବତୀ, ସାରା ଭାରତରେ ପାରମ୍ପରିକ ପାଞ୍ଜି ଗଣନାରେ ବ୍ୟବହୃତ ସୂର୍ଯ୍ୟସିଦ୍ଧାନ୍ତ ଏବଂ ଆଧୁନିକ ବୈଜ୍ଞାନିକ ପଦ୍ଧତି ଗଣନା ଅନୁସାରେ ଏପ୍ରିଲ ୧୩ ତାରିଖରେ ପଣା ସଂକ୍ରାନ୍ତି ପଡ଼ୁଛି।

    ଓଡ଼ିଶା ତଥା ସର୍ବଭାରତୀୟ ସ୍ତରର ପ୍ରାୟ ସମସ୍ତ ପଞ୍ଜିକାରେ ଏପ୍ରିଲ ୧୩ରେ ହିଁ ମେଷ ରାଶିକୁ ନିରୟଣ ରବି ଚଳନ ହେଉଥିବା ଦର୍ଶାଯାଇଛି। ଭାରତ ସରକାରଙ୍କ ରାଷ୍ଟ୍ରୀୟ ପଞ୍ଚାଙ୍ଗ, ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର ‘ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା’, ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶିଙ୍କ ଦ୍ବାରା ଗଣିତ ଭାଗ୍ୟଜ୍ୟୋତି ପ୍ରକାଶନର ପରମେଶ୍ୱରୀ ପଞ୍ଜିକା ଓ ଶ୍ରୀକ୍ଷେତ୍ର ପାଞ୍ଜି, ସମ୍ବାଦ ଓ ଆମ ଓଡ଼ିଶାର ‘ଆମ ପଞ୍ଜି’, ଭାଗ୍ୟଦୀପ ପଞ୍ଜିକା, ସାରଳା ପାଞ୍ଜି ଓ ରାଧାରମଣ ପ୍ରେସର ବିରଜା ପାଞ୍ଜିରେ ଏପ୍ରିଲ ୧୩ରେ ହିଁ ପଣାସଂକ୍ରାନ୍ତି ବୋଲି ଉଲ୍ଲେଖ କରାଯାଇଛି। ଏପରି ସ୍ଥଳେ ୧୪-୦୪-୨୦୨୪ରେ ପଣା ସଂକ୍ରାନ୍ତି ବୋଲି ଭୁଲ ଗଣନା କରିଥିବା ରାଧାରମଣ ପ୍ରେସର ଜଗନ୍ନାଥ ପାଞ୍ଜି, ଓଡ଼ିଶା କୋହିନୁର ପ୍ରେସ୍ ପଞ୍ଜିକା ଏବଂ ଜି.ଏନ୍. ତ୍ରିପାଠୀ ଉତ୍କଳ ଜାତୀୟ ଖଡ଼ିରତ୍ନ ପଞ୍ଜିକାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦନ ଦେଇ ଥିବାରୁ ଏବଂ ପୂର୍ବବର୍ଷର ଭୁଲକୁ ଘୋଡ଼େଇବା ପାଇଁ ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ବୋଲି ଘୋଷଣା କରିଥିବାରୁ ଏହା ବିରୋଧରେ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି।

    ବରିଷ୍ଠ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ଏବଂ ବିବୁଧେନ୍ଦୁ ମିଶ୍ରଙ୍କ ଦ୍ବାରା କେସ୍ ନଂ. ଡିଡବ୍ଲୁପିସି-୧୫୯୧୫/୨୦୨୪ ଅନୁଯାୟୀ ଆଜି ଦାୟର କରାଯାଇଥିବା ଏହି ଆବେଦନପତ୍ରରେ ସେକ୍ରେଟାରୀ, ମୁକ୍ତିମଣ୍ଡପ ପଣ୍ଡିତ ସଭା, ଶ୍ରୀମନ୍ଦିର ପ୍ରଶାସନ, ପୁରୀ, ସମ୍ପୃକ୍ତ ପ୍ରତିପକ୍ଷ ପଞ୍ଜିକା ଏବଂ ଓଡ଼ିଶା ସରକାରଙ୍କ ସମ୍ପୃକ୍ତ ବିଭାଗକୁ ପକ୍ଷ କରାଯାଇଛି। ଭୁଲ୍ ଦିନରେ ପୁଣ୍ୟପର୍ବାଦି ପାଳନ ବ୍ୟକ୍ତି, ରାଜ୍ୟ ତଥା ସମାଜ ପାଇଁ ହାନିକାରକ ହୋଇଥିବାରୁ ଓଡ଼ିଶାବାସୀ ଠିକ୍ ଦିନରେ ଏହି ଧାର୍ମିକ ଦିବସଟି ପାଳନ କରିବାକୁ ଆବେଦକ ତଥା ପାଞ୍ଜି ଗଣକ ଦୋଳଗୋବିନ୍ଦ ପଣ୍ଡା ନିବେଦନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17 ° C
    17 °
    17 °
    24 %
    1.3kmh
    5 %
    Sun
    34 °
    Mon
    35 °
    Tue
    36 °
    Wed
    36 °
    Thu
    35 °

    ସମ୍ବନ୍ଧିତ