Thursday, March 26, 2026
30.8 C
Odisha

    ୮୨ ଶୁଆ ଶାବକ ଉଦ୍ଧାର, ୨ ଗିରଫ

    ଆଗକୁ ପଢନ୍ତୁ

    ରାଉରକେଲା: ଶୁଆ ଚୋରାଚାଲାଣ ରାକେଟ୍‌ର ଦୁଇଜଣଙ୍କୁ ଗିରଫ କରିଛି ରାଉରକେଲା ବନ ବିଭାଗ ଟିମ୍‌। ଏମାନଙ୍କ ନିକଟରୁ ମୋଟ ୮୨ ଶୁଆ ଶାବକ ଉଦ୍ଧାର ହୋଇଛନ୍ତି। ଏଥି ମଧ୍ୟରୁ ୧୦ଟି ଶୁଆଙ୍କୁ ରାଉରକେଲାରୁ କଟକ ଚାଲାଣ କରା ଯାଉଥିଲା। ସେତିକିବେଳେ ଛକି ବସିଥିବା ବନବିଭାଗ ଟିମ୍ ଶୁଆ ଶାବକଙ୍କ ସହ ଚାଲାଣକାରୀଙ୍କୁ ଧରିଥିଲା। ଅନ୍ୟ ୭୨ଟି ଶୁଆଙ୍କୁ ବେପାରୀଙ୍କ ନାଲା ରୋଡ୍‌ସ୍ଥ ଭଡ଼ାଘରୁ ଉଦ୍ଧାର କରାଯାଇଛି। ବନ୍ୟଜନ୍ତୁ ଚାଲାଣ ଅଭିଯୋଗରେ ଗିରଫଙ୍କ ମଧ୍ୟରୁ ଜଣେ ହେଲା ବନ୍ଧମୁଣ୍ଡା ଶୀତଳନଗରର ମୁନ୍ନା ସାହୁ (୩୪)। ତା’ ସହ ନାଲାରୋଡରେ ରହୁଥିବା ତା’ର ଅନ୍ୟଜଣେ ନାବାଳକ ସହଯୋଗୀକୁ ଧରିଛି। ସେମାନେ ଛତିଶଗଡର ରାୟପୁର, ରାଞ୍ଚି, କୋଲକାତା, କଟକ, ସମ୍ବଲପୁର, ଭୁବନେଶ୍ବର ଆଦି ପ୍ରମୁଖ ସହରକୁ ଶୁଆ ଶାବକ ଚାଲାଣ କରୁଥିଲେ। ଏଥିସହ ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼, ରାଉରକେଲା ସମେତ ଏହାର ଆଖପାଖରେ ଚଢ଼ା ଦରରେ ବିକ୍ରି କରୁଥିଲେ। ଗ୍ରାହକ ଦେଖି ମୂଲ୍ୟ ଧାର୍ଯ୍ୟ କରୁଥିଲେ। ମଙ୍ଗଳବାର ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏହି ସୂଚନା ଦେଇଛନ୍ତି।
    ସେ କହିଛନ୍ତି, ରାକେଟ୍‌ରେ ଅନ୍ୟ କେଉଁମାନେ ଅଛନ୍ତି? କେତେ ଦିନ ଧରି ଏହି ବେଆଇନ୍‌ କାରବାର ଚାଲିଥଲା? ବନବିଭାଗ ପକ୍ଷରୁ ଗଠିତ ଟିମ୍‌ ତାର ତଦନ୍ତ କରୁଛି। ଶୀଘ୍ର ଏଥିରେ ସାମିଲ ଅନ୍ୟମାନଙ୍କୁ ଗିରଫ କରାଯିବ। ସେ କହିଛନ୍ତି, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଓ ବିଶ୍ରା ସଂରକ୍ଷିତ ଜଙ୍ଗଲରେ ଅଧିକ ଶାଳଗଛ ରହିଛି, ଯେଉଁଠି ଶୁଆମାନେ ରହିଥାନ୍ତି। ବନ୍ଧମୁଣ୍ଡାରେ ମୁନ୍ନା ସାହୁର ଏକ ‘ପେଟ୍‌ ସପ୍‌’ ରହିଛି। ସେ ଓ ତା’ର ସହଯୋଗୀ ବିଶ୍ରା ଓ ଏହାର ଆଖପାଖ ସ୍ଥାନୀୟ ଲୋକଙ୍କ ସହାୟତାରେ ଶୁଆ ଶାବକଗୁଡ଼ିକୁ ଧରୁଛନ୍ତି। ଗତ ୨୧ ତାରିଖ ସଂଧ୍ୟାରେ ମୁନ୍ନା ଓ ତା’ର ସହଯୋଗୀ ଦୁହେଁ ମୋଟରବାଇକ୍‌ରେ ୧୦ଟି ଶୁଆ ଶାବକ କଟକ ପଠାଇବାକୁ ସେକ୍ଟର-୨ ବସ୍‌ଷ୍ଟାଣ୍ଡକୁ ଯାଉଥିଲେ। ସୂଚନା ପାଇ ରାଉରକେଲା ବନାଞ୍ଚଳ ଅଧିକାରୀ ଜ୍ଞାନେନ୍ଦ୍ର ଲିମା, ବନପାଳ ପ୍ରଦୀପ କୁମାର ସାହୁ, ବନରକ୍ଷୀ ରଜତ କୁମାର ମହାନ୍ତି, ଅଲିଅଳ ବେହେରାଙ୍କ ନେତୃତ୍ବରେ ଗଠିତ ଟିମ୍‌ ଇନ୍ଦିରାଗାନ୍ଧି ପାର୍କ ସମ୍ମୁଖରେ ଦୁହିଁଙ୍କୁ ଜଗି ରହିଥିଲେ। ଇନ୍ଦିରାଗାନ୍ଧି ପାର୍କ ଅତିକ୍ରମ କରୁଥିବାବେଳେ ଦୁହିଁଙ୍କୁ ଅଟକାଇ ଯାଞ୍ଚ କରିବାରୁ ମୋଟରବାଇକ୍‌ରୁ ୧୦ଟି ଶୁଆ ଶାବକ ମିଳିଥିଲେ। ଦୁହିଁଙ୍କୁ ପଚରାଉଚୁରା କରିବାରୁ ସେମାନେ ଆଉ ୭୨ଟି ଶୁଆ ଶାବକ ନାଲାରୋଡସ୍ଥ ଭଡ଼ାଘରେ ରହିଥିବା କହିଥିଲେ। ସେମାନଙ୍କ ସୂଚନା ଆଧାରରେ ବନ ବିଭାଗ ଟିମ୍‌ ଭଡ଼ାଘରୁ ଆଉ ୭୨ଟି ଶୁଆ ଶବକ ଉଦ୍ଧାର କରିଥିଲେ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ହୋଇଥିବାରୁ ଦୁହିଁଙ୍କୁ ଗିରଫ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ