Monday, October 19, 2026
30.4 C
Odisha

    ଫ୍ରାନ୍ସରେ ଦରଦାମ ବୃଦ୍ଧି ବିରୋଧୀ ହିଂସା

    ଆଗକୁ ପଢନ୍ତୁ

    ପ୍ୟାରିସ  : ଦରଦାମ, ଇନ୍ଧନ ମୂଲ୍ୟ ବୃଦ୍ଧି ସହିତ ମହଙ୍ଗା ଶିକ୍ଷା, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବିଦ୍ୟାଳୟରେ ଖରାପ ଅବସ୍ଥା ଓ ଶିକ୍ଷକ ନିଯୁକ୍ତି ଦାବିରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସରକାର ବିରୋଧରେ ଜନ ଅସନ୍ତୋଷ ତୀବ୍ର ହୋଇଛି। ଏହା ଫଳରେ ୮ ଲକ୍ଷରୁ ଅଧିକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ରାଜଧାନୀ ପ୍ୟାରିସ ସ୍ଥିତ ରାଷ୍ଟ୍ରପତି ଭବନ ଏଲିଜେ ପ୍ୟାଲେସଠାରୁ ମାତ୍ର ୪୦୦ ମିଟର ଦୂରରେ ପ୍ରଦର୍ଶନକାରୀମାନେ ହିଂସାତ୍ମକ ପ୍ରଦର୍ଶନ କରିବା ସହ ପୋଡାଜଳା କରିଛନ୍ତି। ବିକ୍ଷୋଭକାରୀମାନେ ଅନେକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏହା ସହ ସରକାରୀ କୋଠା ଜାଳି ଦେଇଛନ୍ତି। ବିଭିନ୍ନ ଦୋକାନରୁ ଲୁଟପାଟ କରିଛନ୍ତି। ଜୋକର, କ୍ୟାପଟେନ ବେଶରେ ଆସି ବିକ୍ଷୋଭକାରୀ ପୁଲିସକୁ ଦୌଡ଼ାଇଛନ୍ତି। ଗାଡ଼ି ଉପରକୁ ପଥରମାଡ଼ କରିିଛନ୍ତି। କିଛି ସ୍ଥାନରେ ଥିବା ଆପଲ ଷ୍ଟୋରରୁ ଆଇଫୋନ ଲୁଟି ନେଇଛନ୍ତି। ଅନେକ ସ୍ଥାନରେ ବିକ୍ଷୋଭକାରୀ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲୁହବୁହା ଗୋଳା ମାଡ଼ କରିବା ସହିତ ଲାଠିଚାର୍ଜ କରିଛି। ଏହି ଘଟଣାରେ ପ୍ରାୟ ୧,୮୦୦ ଲୋକଙ୍କୁ ଗିରଫ କରାଯାଇଛି।
    ଅନ୍ୟପକ୍ଷରେ ଲିମୋଜ ସହରରେ ମୁଖା ପିନ୍ଧିଥିବା ପ୍ରଦର୍ଶନକାରୀମାନେ ଟାଉନ୍‌ ହଲ୍‌ରେ ନିଆଁ ଲଗାଇ ଦେଇଥିଲେ। ଫଳରେ ୧୪୩ ବର୍ଷ ପୁରୁଣା ଏହି କୋଠାଟି ପ୍ରାୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଫ୍ରାନ୍ସରେ ପ୍ରାୟ ମାସେ ହେଲା ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ତେବେ ଶନିବାର ଏହା ଉଗ୍ର ରୂପ ଧାରଣା କରିଥିଲା। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିରୋଧ ଯୋଗଁୁ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ବ୍ୟାପକ ସାମାଜିକ ଆନ୍ଦୋଳନର ରୂପ ନେଇଛି। ଲୋକେ ଦରଦାମ ବୃଦ୍ଧି ଓ ପେଟ୍ରୋଲ-ଡିଜେଲର ଉଚ୍ଚ ଦରକୁ ବିରୋଧ କରି ବିକ୍ଷୋଭରେ ସାମିଲ ହୋଇଥିଲେ।
    ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନକୁ ନେଇ ଉପହାସ କରିଛନ୍ତି। ଫ୍ରାନ୍ସ ଆନ୍ଦୋଳନ ପାଇଁ ଏକ ସ୍ୱାଭାବିକ ସ୍ଥାନ ପାଲଟି ଯାଇଛି ବୋଲି କହିଛନ୍ତି। ଟ୍ରମ୍ପ ଥଟ୍ଟା କରି କହିଥିଲେ ଯେ ‘ଚାଲ ଫ୍ରାନ୍ସ ଯିବା। ଏହା ଏକ ସୁନ୍ଦର ସ୍ଥାନ। ସେଠାରେ ନା ଦଙ୍ଗା ଅଛି, ନା ବିପ୍ଳବ। ଜାଣିଛ, ଫ୍ରାନ୍ସ ବିପ୍ଳବ ପାଇଁ ଏତେ ଉପଯୁକ୍ତ ସ୍ଥାନ ଯେ ବିଶ୍ୱାସ କରିବା କଷ୍ଟକର। ଚାଲ ଫ୍ରାନ୍ସ ଯାଇ ସେଠାକାର ବିପ୍ଳବରେ ସାମିଲ ହେବା।’
    ବିକ୍ଷୋଭକାରୀମାନେ ଆନ୍ଦୋଳନ ବନ୍ଦ କରିବା ପାଇଁ ଚାରିଟି ଦାବି ରଖିଛନ୍ତି। ଦରମା ଓ ଭତ୍ତା ବୃଦ୍ଧି। ଦରଦାମ ବୃଦ୍ଧି ନିୟନ୍ତ୍ରଣ ସହ ହ୍ରାସ କରିବା। ସରକାରୀ ସେବାକୁ ଉନ୍ନତ କରିବା। ବିଦ୍ୟାଳୟର ଶିକ୍ଷକ ସମସ୍ୟା ଦୂର କରି ଖରାପ କୋଠା ଗୁଡିକୁ ଠିକ କରିବା। ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୧ରେ ପ୍ୟାରିସର ଲାଇସି ସେଣ୍ଟ-ଏକସ୍ୟୁପେରୀ ବିଦ୍ୟାଳୟରୁ ଏହି ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଏହି ବିଦ୍ୟାଳୟର ଆଖପାଖ ଅଞ୍ଚଳରେ ଅତ୍ୟନ୍ତ ଗରିବ ଲୋକ ରହୁଛନ୍ତି। ତେଣୁ ବିଦ୍ୟାଳୟରେ ଲାଗି ରହିଥିବା ଶିକ୍ଷକ ଅଭାବ ଜନିତ ସମସ୍ୟା ଓ ଆବଶ୍ୟକ ବ୍ୟବସ୍ଥା ଯୋଗାଇ ଦେବାକୁ ଛାତ୍ରଛାତ୍ରୀ ଦାବି କରିଥିଲେ। ସେପ୍ଟେମ୍ବର ୨୯ରେ ସରକାର ଅତିରିକ୍ତ କର୍ମଚାରୀ ପଠାଇବାରୁ ଏହି ଆନ୍ଦୋଳନ ବନ୍ଦ ହୋଇଯାଇଥିଲା। ତେବେ ୮ ଦିନ ଭିତରେ ଏହି ଆନ୍ଦୋଳନ ୪୧୦ ବିଦ୍ୟାଳୟକୁ ବ୍ୟାପୀ ଯାଇଥିଲା। ଏହା ପରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ ହେବାରୁ ଆନ୍ଦୋଳନ ବ୍ୟାପକ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    52 %
    2.3kmh
    5 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ