Wednesday, October 14, 2026
22.5 C
Odisha

    ସୁକିନ୍ଦା: ଶରତଙ୍କ ନିରବତା, ଚିନ୍ତାରେ ବିଜେଡି ଶିବିର

    ଆଗକୁ ପଢନ୍ତୁ

    ଯାଜପୁର: କ୍ରୋମ୍ ଉପତ୍ୟକା କାଳିଆପାଣି ଓ ଇସ୍ପାତ ରାଜଧାନୀ କଳିଙ୍ଗନଗରକୁ ନେଇ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀର ରାଜନୀତି ଏବେ ରୋଚକ ମୋଡ଼ରେ। ୪୦ବର୍ଷ ଧରି ସୁକିନ୍ଦା ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେଉଥିବା ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ନିରବ। ଶରତ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ତାଙ୍କ ସମର୍ଥକମାନେ ପ୍ରଚାର କରୁଛନ୍ତି। ଏପରିକି ବଡ଼ଚଣାରେ କଂଗ୍ରେସର ଏକ ସମାବେଶରେ ଏଥର ଯୁବକମାନଙ୍କୁ ସୁଯୋଗ ଦେବା ଉଚିତ ବୋଲି ସେ ପରୋକ୍ଷ ଇସାରା ଦେଇଥିଲେ। ଶରତଙ୍କ ନିରବତା ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି।
    ଗତ ତିନୋଟି ନିର୍ବାଚନରେ ବିରୋଧୀ ଭୋଟ ଭାଗଭାଗ ହେବା ଯୋଗୁ ବିଜେଡିର ବିଜୟ ସମ୍ଭବ ହୋଇଥିଲା। ୨୦୧୪ରେ ସୁକିନ୍ଦାରେ ସ୍ବାଧୀନ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ୧୭,୯୨୭ଭୋଟ, ଆମ ଓଡ଼ିଶା ପାର୍ଟିର ଆଦିବାସୀ ଯୁବନେତା ରବି ଜାରିକା ୬,୩୧୪ଭୋଟ ଓ ବିଜେପିର ଅଭିନ୍ନ କୁମାର ହୋତା ୩,୭୩୮ଭୋଟ ପାଇଥିଲେ। ଫଳରେ ଶ୍ରୀ ରାଉତ ୪,୭୦୪ଭୋଟ ବ୍ୟବଧାନରେ ଇଂ ପ୍ରୀତିରଞ୍ଜନ ଘଡ଼େଇଙ୍କ ଠାରୁ ହାରିଥିଲେ। ୨୦୧୯ରେ ଶ୍ରୀ ବଳସାମନ୍ତ ବିଜେପିରୁ ଲଢ଼ିବାରୁ ଶ୍ରୀ ରାଉତ ତୃତୀୟ ସ୍ଥାନକୁ ଚାଲିଗଲେ। ଶ୍ରୀ ରାଉତ ୧୮ ହଜାର ଭୋଟ ପାଇଥିବା ବେଳେ ପ୍ରୀତିରଞ୍ଜନ ଘଡ଼େଇ ୧୬,୭୩୦ ଭୋଟ ବ୍ୟବଧାନରେ ଜିତିଥିଲେ।

    ସୁକିନ୍ଦାର ୪୦ବର୍ଷ ରାଜନୀତି ମଧ୍ୟ‌ରେ ଶ୍ରୀ ରାଉତ ୧୯୮୫ରେ ବିଜୟ ହୋଇ ସର୍ବକନିଷ୍ଠ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ଏହାପରଠାରୁ ସେ ଲଗାତର ହାରୁଛନ୍ତି। ସୁକିନ୍ଦା ରାଜନୀତିରେ କଂଗ୍ରେସ ଶ୍ରୀ ରାଉତଙ୍କୁ ଛାଡ଼ି ଅନ୍ୟ କାହାରିକୁ ସୁଯୋଗ ଦେଇ ନାହିଁ। ତେଣୁ ଏଥର ଶରତ ନଲଢ଼ିଲେ କଂଗ୍ରେସରୁ କିଏ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଖଣିଖାଦାନ ଅଞ୍ଚଳରେ ପ୍ରଭାବ ବିସ୍ତାର କରିଥିବା କଂଗ୍ରେସର ପୂର୍ବତନ ନେତା ଅମଳେନ୍ଦୁ ବେହୁରା ଏବେ ବିଜେପି ଶିବିରରେ ସକ୍ରିୟ। ଏହି ଦୃଷ୍ଟିରୁ ଏଥର ବିରୋଧୀ ଭୋଟ ଭାଗଭାଗ ହେବା ସମ୍ଭାବନା କ୍ଷୀଣ। ଏହା ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ୩୫ବର୍ଷ ହେଲା ପ୍ରଫଲ୍ଲ ଘଡ଼େଇ ଓ ତାଙ୍କ ପୁଅ ଇଂ ପ୍ରୀତିରଞ୍ଜନ ଘଡ଼େଇ ସୁକିନ୍ଦାର ନେତୃତ୍ବ ନେଇଆସିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ