Friday, March 27, 2026
29.9 C
Odisha

    ଏହି ଓଡ଼ିଶାରେ; ଦୁଇ ଜଣଙ୍କୁ ଜୀବନ ଦେଲା ୨୧ ମାସର ଶିଶୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ମାତ୍ର ୨୧ ମାସର ଶିଶୁ ପୁତ୍ରକୁ ହରାଇଲେ। କିନ୍ତୁ ନିଜ ସନ୍ତାନକୁ ଅମର ରଖିବା ପାଇଁ ତା’ର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ। ୨୧ ମାସର ଶିଶୁଟି ଦୁଇ ଜଣ ରୋଗୀଙ୍କୁ ନୂଆ ଜୀବନ ଦେଇଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଭୁବନେଶ୍ୱରର ସମ୍‌‌ ହସ୍ପିଟାଲରେ। ତେବେ ଏତେ କମ୍‌‌ ବୟସର ଶିଶୁର ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଦିଆଯିବା ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି। ୨୦୨୨ ଜୁଲାଇରେ ଜନ୍ମ ହୋଇଥିବା ଶିଶୁଟିର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସହ ସେ ଅସୁସ୍ଥ ହୋଇପଡ଼ିଥିଲା। ସେ ଅନେକଥର ହସ୍ପିଟାଲ୍‌‌ ଆସିବା ସହ ଚିକିତ୍ସିତ ହୋଇ ପୁଣି ଘରକୁ ଫେରୁଥିଲା। ୧୫ଦିନ ତଳେ ଶିଶୁଟି ମେନିନ୍‌‌ଜାଇଟିସ୍‌‌ରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍‌‌‌ରେ ଭର୍ତ୍ତି ହୋଇଥିଲା। ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଦିନ ସେପ୍ଟିକ୍‌‌ ସକ୍‌‌ ହେବା ପରେ ଶିଶୁଟିକୁ ବ୍ରେନ୍‌‌ଡେଡ୍‌‌ ଘୋଷଣା କରାଯାଇଥିଲା। ଶିଶୁଟିର ବ୍ରେନ୍‌‌ଡେଡ୍‌‌ ହୋଇଯିବା ପରେ ତା’ର ଚିତ୍ରକର ପିତାମାତା ଗୌରୀଶଙ୍କର ପାଣିଗ୍ରାହୀ ଓ ଶର୍ମିଷ୍ଠା ପାଣିଗ୍ରାହୀ ତା’ର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଏପରି ଏକ ଦୁଃଖଦ ସମୟରେ ବି ସମାଜ ପ୍ରତି ଥିବା ନିଜ କର୍ତ୍ତବ୍ୟକୁ ଭୁଲି ନଥିଲେ ପାଣିଗ୍ରାହୀ ଦମ୍ପତି। ହସ୍ପିଟାଲ୍‌‌ କର୍ତ୍ତୃପକ୍ଷ ଷ୍ଟେଟ୍‌‌ ଅର୍ଗାନ୍‌‌ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‌‌ (ସୋଟୋ)କୁ ଏହି ସୂଚନା ଦେବା ସହ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନ୍ୟାସନାଲ୍‌‌ ଅର୍ଗାନ୍‌‌ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‌‌ (ନୋଟୋ)କୁ ଯୋଗାଯୋଗ କରିଥିଲେ। ଶିଶୁଟିର ଲିଭରକୁ ନୂଆଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଣେ ଶିଶୁର ଶରୀରରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଥିବା ବେଳେ ଦୁଇଟି କିଡ୍‌‌ନୀକୁ ଭୁବନେଶ୍ୱରର ଏକ ହସ୍ପିଟାଲ୍‌‌ରେ ଚିକିତ୍ସିତ ହେଉଥିବା ଆଉ ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯିବ।

    ଭୁବନେଶ୍ୱର ଏମ୍ସର ଏକ ଡାକ୍ତରୀ ଟିମ୍‌‌ ଶିଶୁଟିର ଶରୀରରୁ ଲିଭର୍‌ଟିକୁ ବାହାର କରିଥିଲେ। ଏହା ପରେ କମିସନରେଟ୍‌‌ ପୁଲିସ ସହାୟତାରେ ହସ୍ପଟାଲ୍‌‌ରୁ ବିମାନବନ୍ଦର ଯିବା ପାଇଁ ରାସ୍ତାରେ ଏକ ଗ୍ରୀନ କରିଡର୍‌ ପ୍ରସ୍ତୁତ କରାଯାଇଥିଲା। ଆଇଏମ୍‌ଏସ୍‌ ଆଣ୍ଡ ସମ୍‌‌ ହସ୍ପିଟାଲର ମେଡିକାଲ ଅଧୀକ୍ଷକ ଡାକ୍ତର ରଚିତା ଷଡ଼ଙ୍ଗୀ କହିଛନ୍ତି ଯେ ଓଡ଼ିଶାରେ ପ୍ରଥମଥର ପାଇଁ ଏତେ ଛୋଟ୍‌‌ ଶିଶୁର ଅଙ୍ଗ କଢ଼ାଯାଇ ଅନ୍ୟ କାହାର ଜୀବନ ବଞ୍ଚାଇବା ନିମନ୍ତେ ପ୍ରତ୍ୟାରୋପଣ ପାଇଁ ପଠାଯାଇଛି। ଦୁଃଖରେ ଭାଙ୍ଗିପଡ଼ିଥିବା ଶିଶୁର ମାଆ ଶର୍ମିଷ୍ଠା କହିଛନ୍ତି ଯେ ଯଦିଓ ତାଙ୍କ ପୁଅ ତାଙ୍କ କୋଳରେ ନାହିଁ, କିନ୍ତୁ ଅନ୍ୟ କାହାର ଶରୀରରେ ତାଙ୍କ ପୁଅର ଅଙ୍ଗ ପ୍ରତ୍ୟାରୋପଣ କରାଗଲେ ନିଜ ପିଲା ଅନ୍ୟର ଶରୀରେ ଜୀବିତ ରହିବ ବୋଲି କହିଛନ୍ତି। ଆଇଏମଏସ ଆଣ୍ଡ ସମ୍‌‌ ହସ୍ପିଟାଲରେ ୨୦୨୨ ପରଠାରୁ ତୃତୀୟଥର ପାଇଁ ବ୍ରେନ୍‌‌ଡେଡ୍‌‌ ବ୍ୟକ୍ତିଙ୍କ ଶରରୀରୁ ଅଙ୍ଗ କଢ଼ାଯାଇ ପ୍ରତ୍ୟାରୋପଣ ପାଇଁ ବାହାରକୁ ପଠାଯାଇଥିବା ବେଳେ ଗତ ଏକ ବର୍ଷ ମଧ୍ୟରେ ସମ୍‌‌ ଅଲ୍ଟିମେଟ୍‌‌ ମେଡିକେୟାରରେ ମଧ୍ୟ ଦୁଇଜଣ ବ୍ରେନ୍‌‌ଡେଡ୍‌‌ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ କଢ଼ାଯାଇ ଅନ୍ୟ ସହରଗୁଡ଼ିକରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    36 %
    3.8kmh
    87 %
    Fri
    29 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ