Saturday, October 10, 2026
21.6 C
Odisha

    ପୁଣି ଉପରମୁହାଁ ପାରଦ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତାତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାର ତାପମାତ୍ରା ପୁଣିଥରେ ଉପରମୁହାଁ। କାଳବୈଶାଖୀ ପ୍ରଭାବରେ କିଛି ଦିନ ପାଇଁ ଓଡ଼ିଶାବାସୀଙ୍କୁ ତାତିରୁ ଆଶ୍ବସ୍ତି ମିଳିଥିବା ବେଳେ ଏବେ ପଶ୍ଚିମ ଓଡ଼ିଶା ତତଲା ପାଲଟିଲାଣି। ଉପକୂଳ ଓ ଉତ୍ତର ଓଡ଼ିଶାରେ ପାରଦ ୪୦ ଡିଗ୍ରି ତଳେ ରହିଛି। ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ। ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଏହି ସମୟରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଅଞ୍ଚଳଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରି ଡେଇଁଯିବାର ଆଶଙ୍କା ରହିଛି। ତେଣୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। କାରଣ ଆଜି ବଲାଙ୍ଗୀର ଓ ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରି ଡେଇଁଗଲାଣି। ଏହି ଦୁଇ ସହର ତତଲା ପାଲଟିଥିଲେ ମଧ୍ୟ ତାହାକୁ ଖାତିର ନ କରି ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ସଭା, ସମିତି, ଶୋଭାଯାତ୍ରା କରିବା ସହ ୪୦ ଡିଗ୍ରି ତାତିରେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି। ହାତରେ ଆଉ ଚାରି ଦିନ ପ୍ରଚାର ରହିଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ପ୍ରାର୍ଥୀ ଓ କର୍ମୀମାନେ ଆଉଟୁପାଉଟୁ ହେବା ଏକପ୍ରକାର ଥୟ।
    ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ତି, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବ‌ାଲେଶ୍ବର ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ହୋଇପାରେ। ପରବର୍ତ୍ତୀ ତିନି ଦିନରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢ଼ିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଡେଇଁଯିବାର ଆଶଙ୍କା ରହିଛି। ଅଳ୍ପ କିଛି ସ୍ଥାନରେ କାଳବୈଶାଖୀ ହୋଇପାରେ। ତେବେ ତାହାର ପ୍ରଭାବ ସେତେଟା ପଡ଼ିବ ନାହିଁ। ୧୯ ତାରିଖ ବେଳକୁ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସହରରେ ପାରଦ ୪୦ ଡିଗ୍ରି ଉପରେ ରହିବାର ସମ୍ଭାବନା ରହିବ। ଆଜି ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ରେକର୍ଡ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ