Monday, March 23, 2026
20.3 C
Odisha

    ଅଂଶୁଘାତ ଆତଙ୍କ; ୭୨ ଘଣ୍ଟାରେ ୯୯ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆତଙ୍କ ଖେଳାଇଛି ଅଂଶୁଘାତ। ରାଜ୍ୟରେ ସନ୍ଦିଗ୍ଧ ଅଂଶୁଘାତ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲଗାତାର ଭାବେ ପଶ୍ଚିମ ଓଡ଼ିଶାରେ ଏହି ମୃତ୍ୟୁ ଯୋଗୁଁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଯଦିଓ ସମସ୍ତ ମୃତ୍ୟୁର କାରଣ ଅଂଶୁଘାତ ବୋଲି ସ୍ପଷ୍ଟ ହୋଇ ନାହିଁ, ହେଲେ ହଠାତ କୌଣସି କାରଣ ନ ଥାଇ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଉଥିବାରୁ ପଶ୍ଚିମ ଓଡ଼ିଶାରେ ଲୋକଙ୍କୁ ଭୟ ଘାରିଛି। ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ତାତିର ପ୍ରକୋପ ଅଧିକ ରହୁଥିବା ବେଳେ ଆଗକୁ ଏହି ସ୍ଥିତି ଆହୁରି ଉଦ୍‌ବେଗ ଜନିକ ହେବା ନେଇ ଆକଳନ କରାଯାଇଛି। ତେଣୁ ସ୍ଥିତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ରବିବାର ସନ୍ଧ୍ୟା ସୁଦ୍ଧା ଏସ୍‌ଆରସିଙ୍କ କାର୍ଯ୍ୟାଳରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଗତ ୩୦ ତାରିଖ ସୁଦ୍ଧା ୪୨ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ମୃତ୍ୟୁ ମାମଲାଗୁଡ଼ିକ ଯାଞ୍ଚ କରାଯିବା ପରେ ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁର କାରଣ ଅଂଶୁଘାତ ବୋଲି ସ୍ପଷ୍ଟ ହୋଇଥିବା ବେଳେ ବାକି ୬ ଜଣଙ୍କ ମୃତ୍ୟୁର କାରଣ ଅଂଶୁଘାତରୁ ହୋଇ ନାହିଁ ବୋଲି ପୋଷ୍ଟମୋର୍ଟମ ପରେ ଜଣାପଡ଼ିଥିଲା। ତେବେ ଗତ ୭୨ ଘଣ୍ଟା ମଧ୍ୟରେ ଏହି ସ୍ଥିତି ଉଦ୍‌ବେଗଜନକ ହୋଇଥିବା ବେଳେ ୭୨ ଘଣ୍ଟାରେ ୯୯ ଜଣ ପ୍ରାଣ ହରାଇଛନ୍ତି ଓ ଏମାନଙ୍କ ମୃତ୍ୟୁର କାରଣ ଅଂଶୁଘାତ ବୋଲି ଦାବି କରାଯାଇଛି। ତେବେ ଏହି ମୃତକଙ୍କର ମୃତ୍ୟୁର କାରଣ ଯାଞ୍ଚ କରାଯାଇ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁର କାରଣ ଅଂଶୁଘାତ ଯୋଗୁଁ ହୋଇଥିବା ନେଇ ସ୍ଥାନୀୟ ଜିଲ୍ଲାପାଳ ଏସ୍‌ଆରସିଙ୍କ ଅବଗତ କରାଇଛନ୍ତି। ବାକି ୨ ଜଣଙ୍କ ମୃତ୍ୟୁର କାରଣ ଅଂଶୁଘାଚ ଯୋଗୁଁ ହୋଇ ନାହିଁ ବୋଲି ଜଣାପଡ଼ିଛି। ଚଳିତ ଗ୍ରୀଷ୍ମ ଋତୁରେ ମୋଟ୍‌ ୧୪୧ ଟି ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରୁ ଯୁଗ୍ମ ତଦନ୍ତ ଓ ପୋଷ୍ଟମୋର୍ଟମ ପରେ ୨୬ ଜଣଙ୍କ ମୃତ୍ୟୁ ଅଂଶୁଘାତ ପାଇଁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ଓ ବାକି ୧୦୭ ଜଣଙ୍କର ମୃତ୍ୟୁ କାରଣ ନେଇ ଯାଞ୍ଚ ଜାରି ରହିଛି ବୋଲି ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସୂଚନା ଥାଉ କି ପଶ୍ଚିମ ଓଡ଼ିଶାରେ ତାତି ଯୋଗୁଁ ଦୈନିକ ବିଭିନ୍ନ ଜିଲ୍ଲାରେ ଏକାଧିକ ଲୋକ ପ୍ରାଣ ହରାଉଥିବା ନେଇ ଅଭିଯୋଗ ହେଉଛି। ବିଶେଷ କରି ଝାରସୁଗୁଡ଼ା ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରୁ ମୃତକଙ୍କ ସଂଖ୍ୟା ଅଧିକ ରହୁଛି। ଶନିବାର ସୁଦ୍ଧା ସମ୍ବଲପୁରରେ ୧୮ ଜଣଙ୍କର ଏହି ଅସ୍ୱାଭିବକ ମୃତ୍ୟୁ ହୋଇସାରିଥିବା ବେଳେ ଏମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଥିବା ସ୍ପଷ୍ଟ ହୋଇଛି।

    ସେହିପରି ରାଉରକେଲାରେ ୩୫ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କର ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏଭଳି ମୃତ୍ୟୁ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରୁଛି। ସେହିପରି ରବିବାର ଅପରାହ୍ଣରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବଜ୍ରପାତରେ ରାୟଗଡ଼ା ସଦର ବ୍ଲକର କାରୁବାଇ ଓ ମିରାବାଲି ଗ୍ରାମର ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିରାବାଲି ଗ୍ରାମ ପଞ୍ଚାୟତ ସଦର ମିରାବାଲି ଗ୍ରାମର ସୀତାଇ ଜିଲାକାରା(୪୫) ଏବଂ କାରୁବାଇ ଗ୍ରାମ ପଞ୍ଚାୟତର ସଦର କାରୁବାଇ ଗ୍ରାମର ମୁଟୁକା ମାଣ୍ଡାଙ୍ଗି(୪୫)ଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ମିଳିଥିବା ସୂଚନା ପ୍ରକାରେ, ମିରାବାଲି ଗ୍ରାମର ସିତାଇ ଜିଲାକାରା ଅପରାହ୍ଣରେ ଟୋଲ ଗୋଟାଇ ଘରକୁ ଫେରୁଥିବା ସମୟରେ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେହିପରି କାରୁବାଇ ଗ୍ରାମର ମୁଟୁକା ମାଣ୍ଡାଙ୍ଗି ଗାଁ ପାଖ ଅଞ୍ଚଳକୁ ଯାଇ ଘରକୁ ଫେରୁଥିବା ସମୟରେ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଉଭୟ ଗ୍ରାମରେ ଏ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଉଭୟ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ମୃତଦେହକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବାବେଳେ ସନ୍ଧ୍ୟା ହୋଇଯାଇଥିବାରୁ ସୋମବାର ସକାଳେ ଶବ ବ୍ୟବେଚ୍ଛଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ